Home > କଳା ସଂସ୍କୃତି
ଜ୍ୱରରେ ପୀଡ଼ିତ ମହାପ୍ରଭୁ, ଚାଲିଛି ଗୁପ୍ତ ଉପଚାର, ଆଜିଠାରୁ ଅଲାରନାଥ ଦର୍ଶନ
Khabar Odisha:Darshan-of-lord-alarnath-starts-from-today
ପୁରୀ, ଜୁନ ୧୮ (ଖବର ଓଡ଼ିଶା):

ଆଜିଠାରୁ ପୁରୀ ବ୍ରହ୍ମଗିରିରେ ଭଗବାନ ଅଲାରନାଥଙ୍କ ଦର୍ଶନ ଆରମ୍ଭ ହୋଇଛି । ରଥଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ ମହାପ୍ରଭୁ । ସେଥିପାଇଁ ସକାଳୁ ସକାଳୁ ମନ୍ଦିରରେ ଲମ୍ବା ଧାଡ଼ି ଲାଗିଛି । ଅନ୍ୟପକ୍ଷରେ ୧୦୮ ଗରା ଜଳରେ ମହାସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରେ ରତ୍ନବେଦୀ ଛାଡ଼ି ଅଣସର ପିଣ୍ଡିରେ ଅଛନ୍ତି ଶ୍ରୀଜିଉ । 

ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ଗାଧୋଇବା ଯୋଗୁଁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ସେଥିଲାଗି ସ୍ନାନମଣ୍ଡପରୁ ଯାଇ ଅଣସରରେ ପିଣ୍ଡିରେ ବିଶ୍ରାମ କରୁଛନ୍ତି ମହାପ୍ରଭୁ । ସେଠାରେ ଶ୍ରୀଜୀଉ ଜ୍ୱର ଉପଶମ ପାଇଁ ସ୍ୱତନ୍ତ୍ର ଗୁପ୍ତ ଚିକିତ୍ସା ଆରମ୍ଭ ହୋଇଛି । ରଥଯାତ୍ରା ପର୍ଯ୍ୟନ୍ତ ଦୀର୍ଘ ପନ୍ଦର ଦିନ ଧରି ଶ୍ରୀଜୀଉଙ୍କ ଉପଚାର କରାଯିବ । ଫଳରେ ଭକ୍ତମାନେ ଆଉ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି  ପାରିବେ ନାହିଁ । ଏହି ପନ୍ଦର ଦିନ ମହାପ୍ରଭୁ ଭଗବାନ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ । ସେଥିପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଦୂର ଦୂରାନ୍ତରୁ ଭକ୍ତମାନେ ଏବେ ବ୍ରହ୍ମଗିରିରେ ଭିଡ଼ ଜମାଇଛନ୍ତି । ସେଠାରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । 

ଅଲାରନାଥ ଦର୍ଶନର ପୌରାଣିକ କଥାବସ୍ତୁ

ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ସତ୍ୟଯୁଗରେ ମହାପ୍ରଭୁଙ୍କ ଲୀଳା ବ୍ରହ୍ମଗିରିରେ ହୋଇଥିଲା । ମହାନ ବୈଷ୍ଣବ ସନ୍ଥ ଚୈତନ୍ୟ ତାଙ୍କ ଜୀବନର ଶେଷ ୧୮ବର୍ଷ ଶ୍ରୀକ୍ଷେତ୍ରରେ କଟାଇଥିଲେ । ସେ ପ୍ରତ୍ୟେକ ଦିନ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିଲେ । ଅଣସର ସମୟରେ ପ୍ରଭୁଙ୍କର ଦର୍ଶନ ନ ପାଇ ବିରହ ଜ୍ୱାଳାରେ ମିୟମ୍ରାଣ ହୋଇପଡ଼ିଥିଲେ । ଏହା ପରେ ମହାପ୍ରଭୁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଲାରନାଥ ଯିବାକୁ । ସେଠାରେ ସେ ତାଙ୍କୁ ଦର୍ଶନ କରିପାରିବେ । ଚୈତନ୍ୟ ଅଲାରନାଥଙ୍କ ପୀଠରେ ପହଞ୍ଚି ନାରାୟଣ ମୂର୍ତ୍ତିଙ୍କୁ ଦର୍ଶନ କରି ଭାବ ବିହ୍ୱଳିତ ହୋଇଯାଇଥିଲେ । ସେଠାରେ ପଡ଼ିଥିବା ଏକ ପ୍ରସ୍ତର ଖଣ୍ଡ ଉପରେ ଦଣ୍ଡବତ ପ୍ରଣିପାତ କରିଥିଲେ । ଶ୍ରୀବିଗ୍ରହଙ୍କ ଦର୍ଶନ ନ ପାଇ ବିରହ ଜ୍ୱାଳାରେ ତାଙ୍କ ଶରୀର ଏତେ ଉତ୍ତପ୍ତ ହୋଇଯାଇଥିଲା ଯେ ଉକ୍ତ ପ୍ରସ୍ତର ଖଣ୍ଡକ ତାଙ୍କ ଶରୀରର ଆକାର ଅନୁଯାୟୀ ତରଳି ଯାଇଥିଲା । ଏବେ ବି ସେହି ପଥର ଖଣ୍ଡିକ ସର୍ବାଙ୍ଗ ଶିଳା ଭାବେ ମନ୍ଦିର ପରିସରରେ ପୂଜିତ ହେଉଛି । କ୍ଷୀରି ହେଉଛି ଅଲାରନାଥଙ୍କ ଅତି ପ୍ରୀୟ ଭୋଗ ।  

  • Tags: