Home > କଳା ସଂସ୍କୃତି
୧୦୮ ଗରା ସୁବାଷିତ ଜଳରେ ମହା ସ୍ନାନ କଲେ ଶ୍ରୀଜୀଉ
Khabar Odisha:State-Odisha-Lord-jagannath-Rituals-for-Snanapurnima
ପୁରୀ, ଜୁନ ୧୭(ଖବର ଓଡ଼ିଶା):

ଶ୍ରୀକ୍ଷେତ୍ର ପୁରୀରେ ସୋମବାର ମହାପ୍ରଭୁଙ୍କ ସ୍ନାନଯାତ୍ରା ଶେଷ ହୋଇଛି । ପ୍ରଭୁ ଶ୍ରୀଜଗନ୍ନାଥ ନିଜର ବଡ଼ଭାଇ ଓ ଭଉଣୀଙ୍କ ସହ ବଡ଼ଦେଉଳର ରତ୍ନବେଦୀରୁ ବାହାରି ସ୍ନାନମଣ୍ଡପରେ ବିରାଜମାନ କରି ବେଢ଼ା ବାହାରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହାପରେ ମନ୍ଦିରର ପରିସର ମହାସ୍ନାନ ହୋଇଛି । ଶ୍ରୀ ବଳଭଦ୍ର ୩୩ ଗରା, ୩୫ ଗରାରେ ମହାପ୍ରଭୁ ଜଗନ୍ନାଥ, ୨୨ ଗରାରେ ସୁଭଦ୍ରାଙ୍କ ଓ ୧୮ ଗରାରେ ସୁଦର୍ଶନ ସ୍ନାନ କରିଛନ୍ତି । ବଡ଼ ଦାଣ୍ଡରେ ମଧ୍ୟ ଠାକୁରଙ୍କୁ ଦର୍ଶନ କରିପାରିବେ । 

ମନ୍ଦିର ପ୍ରଶାସନର କାର୍ଯ୍ୟସୂଚୀ ଆଧାରରେ ଆଜି ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିଛନ୍ତି । ବର୍ତ୍ତମାନ ଶ୍ରୀଜିଉଙ୍କ ହାତୀବେଶ ଅନୁଷ୍ଠିତ ହୋଇଛି। ଗଜାନନ ବେଶରେ ମହାପ୍ରଭୂ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ସେହିଭଳି ରାତି ୭ଟାରୁ ସାହାଣମେଳା ନୀତି ଆରମ୍ଭ ହେବ । ଏତଦ ବ୍ୟତୀତ ଅନ୍ୟାନ୍ୟ ନୀତି ଠିକ ସମୟରେ ଅନୁଷ୍ଠିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । 

ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଠାରୁ ରଥଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ନାନଯାତ୍ରା ଉପଲକ୍ଷେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ବାତ୍ୟା ‘ଫୋନି’ ପରେ ପୁରୀର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଦର୍ଶକଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁତୟନ କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ୩୦୦ ପୋଲିସ ଅଧିକାରୀ ଓ ୧୨୪ ସେକ୍ସନ ଫୋର୍ସ ମୁତୟନ କରାଯାଇଛି । 

  • Tags: