Home > କଳା ସଂସ୍କୃତି
ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର, ପଣାର ମଜା ନେଉଛନ୍ତି ଓଡ଼ିଶାବାସୀ
Khabar Odisha:art-and-culture-odisha-today-is-pana-sankranti-and-hanuman-jayanti
ଭୁବନେଶ୍ୱର, ଅପ୍ରେଲ ୧୪ (ଖବର ଓଡ଼ିଶା):

ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ଓଡ଼ିଆମାନଙ୍କର ପଣା ସଂକ୍ରାନ୍ତି  । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ବୈଶାଖ ମାସ ପ୍ରଥମ ଦିନରୁ ଓଡ଼ିଶାର ନବ ବର୍ଷ ଆରମ୍ଭ ହୁଏ । ଏହି ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି ।

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ଗରମ ମଧ୍ୟ ବଢ଼ିଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନର ବ୍ୟବସ୍ଥା ମଧ୍ୟ ଅଛି । ଆଜି ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଛତୁଆ, ବେଲ, ଦହି, ଗୁଡ଼, କଦଳୀ, ନଡିଆ, ଗୋଲ ମରିଚ ଓ କଞ୍ଚା ଆମ୍ବ କଷି ମିଶ୍ରଣରେ ପଣା ପ୍ରସ୍ତୁତ କରାଯାଇଥାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ । ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ବୃନ୍ଦବତୀରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି ।

ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍‌ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍‌ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି । ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।

  • Tags: