Home > ବାଣିଜ୍ୟ
ଗୃହ ନିର୍ମାଣ କ୍ଷେତ୍ରକୁ ମୋଦୀ ସରକାରଙ୍କ ବଡ଼ ଆଶ୍ଵସ୍ତି, ମିଳିବ ୨୫ ହଜାର କୋଟି
Khabar Odisha:business-odisha-cabinet-approves-10-thousand-crore-special-fund-for-housing-sector-beg-relief-for-real-estate-sector
ନୂଆଦିଲ୍ଲୀ, ନଭେମ୍ଵର୦୬(ଖବର ଓଡ଼ିଶା):

ଦେଶରେ ସଂପ୍ରତି ମାନ୍ଦାବସ୍ଥାରୁ ମୁକୁଳିବା ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ମନେ ହେଉନାହିଁ। ଫଳରେ ଦେଶରେ ଅର୍ଥନୀତିରେ ଦେଖା ଦେଇଥିବା ମନ୍ଥରତାକୁ ଗତି ଦେବା ଲାଗି କେନ୍ଦ୍ର ସରକାର ରିୟଲ ଇଷ୍ଟେଟ୍ ସେକ୍ଟରକୁ ବଡ଼ ଆଶ୍ଵସ୍ତି ଦେବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାବିନେଟ୍ ବୁଧବାର ୨୫,୦୦୦ କୋଟି ଟଙ୍କାର ଏକ ବିକଳ୍ପ ନିବେଶ କୋଷ(ଏଆଇଏଫ) ଗଠନକୁ ମଞ୍ଜୁରୀ ଦେଇଛନ୍ତି। 

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ୨୫,୦୦୦ କୋଟି ଅର୍ଥର କୋଷ ଲାଗି ସରକାର, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଏଲଆଇସି ଅର୍ଥ ଯୋଗାଇ ଦେବେ। ଏଥିରେ ସରକାରଙ୍କ ପକ୍ଷରୁ ୧୦ ହଜାର କୋଟି ଟଙ୍କା ଉପଲବ୍ଧ କରାଯିବ।  ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଅର୍ଥମନ୍ତ୍ରୀ କହିଥିଲେ ଯେ, ସଂପ୍ରତି ଆର୍ଥିକ ସ୍ଥିତିର ସୁଧାର ଲାଗି ତ୍ଵରାନ୍ଵିତ ପଦକ୍ଷେପ ନିଆଯିବ। 

୨୫ ହଜାର କୋଟିର ସ୍ଵତନ୍ତ୍ର ପୁଞ୍ଜି  

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି କୋଷରୁ ୪.୫୮ ଲକ୍ଷ ଘରର ୧୬୦୦ ଆବାସୀୟ ପ୍ରକଳ୍ପକୁ ସହାୟତା କରାଯିବ। ଏହି ୨୫,୦୦୦ କୋଟି କୋଷରୁ ଅଧାରେ ଅଟକି ଥିବା ପ୍ରକଳ୍ପ ଲାଗି ପର୍ଯ୍ୟାୟକ୍ରମେ ଆର୍ଥିକ ସହାୟତା ଉପଲବ୍ଧ କରାଯିବ। ଏଥିରେ ସରକାରଙ୍କ ସରକାରଙ୍କ ଯୋଗଦାନ ୧୦ ହଜାର କୋଟି ଟଙ୍କା ରହିବ। ଏଥିରେ ଅନେକ ସଂସ୍ଥା ସାମିଲ ହେବେ  ଓ ସମସ୍ତଙ୍କୁ ମିଶାଇ ୨୫,୦୦୦ କୋଟି ଟଙ୍କାର ପୁଞ୍ଜି ପ୍ରସ୍ତୁତ କରାଯିବ। ଆଗାମୀ ସମୟରେ ଅନେକ ସଂସ୍ଥା ଜଡ଼ିତ  ହେବେ ଏବଂ ତଦନୁଯାୟୀ ପୁଞ୍ଜି ରାଶି ବୃଦ୍ଧି କରାଯିବ।  

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ପୁଞ୍ଜି ଦ୍ଵାରା  ଗୋଟିଏ ଆକାଉଣ୍ଟରେ ଅର୍ଥ ଜମା କରି ଅସଂପୂର୍ଣ୍ଣ ପ୍ରକଳ୍ପକୁ ପୂର୍ଣ୍ଣ କରିବାରେ ସହଯୋଗ କରାଯିବ। ପ୍ରାରମ୍ଭରେ ଏହି ଆକାଉଣ୍ଟ ଏସବିଆଇ ପାଖରେ ରହିବ। ସୀତାରମଣ କହିଛନ୍ତି, ରେରାରେ ଯେଉଁ ସବୁ ଅସଂପୂର୍ଣ୍ଣ ପ୍ରକଳ୍ପ ରହିଛି ତାକୁ ଏକ ନିର୍ଦ୍ଧାରିତ ଲକ୍ଷ୍ୟରେ ସହାୟତା ଦିଆଯିବ। ଅର୍ଥାତ ଯଦି ୩୦ ପ୍ରତିଶତ କାମ ଅଧୁରା ରହିଛି ତେବେ ଯେ ପର୍ଯ୍ୟନ୍ତ ପ୍ରକଳ୍ପ ପୂରା ନହୋଇଛି ସେ ଯାଏ ସାହାଯ୍ୟ କରାଯିବ, ଯଦ୍ଵାରା ଘର କିଣିବାକୁ ପ୍ରସ୍ତୁତ ଲୋକଙ୍କୁ ଶୀଘ୍ର ଘର ଯୋଗାଇ ଦିଆଯାଇପାରିବ। ଯଦି ଏହା ଏନପିଏ ଅନ୍ତର୍ଗତ ଥିବ ତେବେ ମଧ୍ୟ ଉକ୍ତ ପ୍ରକଳ୍ପକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। 

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅନେକ ଘର କ୍ରେତା ଅଗ୍ରୀମ ଅର୍ଥ ପୈଠ କରିଥିଲେ ମଧ୍ୟ ସେମାନଙ୍କୁ ଏ ଯାଏ ଘର ମିଳିନାହିଁ। ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୧୬୦୦ରୁ ଗୃହ ନିର୍ମାଣ ପ୍ରକଳ୍ପ ଅଟକି ରହିଛି ଏବଂ ୪.୫୮ ହାଉସିଂ ୟୁନିଟର କାମ ଅଧାରେ ପଡ଼ି ରହିଛି। ଏହାକୁ ନେଇ ଗତ ଦୁଇ ମାସରେ ପ୍ରଭାବିତ ଲୋକ ଓ ବ୍ୟାଙ୍କ ସହିତ ଅନେକ ବୈଠକ ହୋଇଛି। ଗୋଟିଏ ବୈଠକରେ ତ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଉପସ୍ଥିତ ଥିଲେ।