Home > ବାଣିଜ୍ୟ
କଳାଧନ ତଲାସୀରେ ଭାରତକୁ ମିଳିଲା ବଡ଼ ସଫଳତା, ସ୍ଵିଜରଲାଣ୍ଡ ଦେଲା ଜମାକାରୀଙ୍କ ବିବରଣୀ
Khabar Odisha:business-odisha-india-gets-first-tranche-of-information-about-indians-swiss-bank-account-detail
ନୂଆଦିଲ୍ଲୀ,ଅକ୍ଟୋବର୦୭(ଖବର ଓଡ଼ିଶା):

କଳାଧନ ବିରୁଦ୍ଧ ଲଢେଇରେ ଭାରତକୁ ମିଳିଛି ବଡ଼ ସଫଳତା। ସ୍ଵିସ୍ ବ୍ୟାଙ୍କରେ ଜମା ଭାରତୀୟଙ୍କ କଳାଧନ ସଂପର୍କିତ ପ୍ରଥମ ପର୍ଯ୍ୟାୟ ବିବରଣୀ ସ୍ଵିଜରଲାଣ୍ଡ ଭାରତକୁ ପ୍ରଦାନ କରିଛି। ଏଥିରେ ଚାଲୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ସୂଚନା ପ୍ରଦାନ କରାଯାଇଛି। ସ୍ଵିଜରଲାଣ୍ଡ ସ୍ଵଚାଳିତ ବ୍ୟବସ୍ଥା ଆଧାରରେ ଏହି ସୂଚନା ଭାରତକୁ ଉପଲବ୍ଧ କରାଇଛି। ଏଫଟିଏର ମୁଖପାତ୍ର କହିଛନ୍ତି ଯେ, ଭାରତ ସହ ୭୫ ଦେଶକୁ ବିବରଣୀ ପ୍ରଦାନ କରାଯାଇଛି। ବିବରଣୀ ମିଳିବା ପରେ  କଳାଧନ ଲୁଚାଇ ରଖିଥିବା ବ୍ୟକ୍ତି ଛାନିଆ ହେଲେଣି। 

ଭାରତକୁ ପ୍ରଥମ ଥର ଏଇଓଆଇ ପ୍ରକ୍ରିୟା ଆଧାରରେ ବ୍ୟାଙ୍କ ଖାତା ବିଷୟରେ ସୂଚନା ପ୍ରଦାନ କରାଯାଇଛି। ସେଥିରେ ବର୍ତ୍ତମାନ ସକ୍ରିୟ ଥିବା ଖାତା ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ଏହା ବ୍ୟତୀତ ସେହି ଖାତାର ତଥ୍ୟ ମଧ୍ୟ ଉପଲବ୍ଧ କରାଯାଇଛି, ଯାହା ୨୦୧୮ରେ ବନ୍ଦ କରାଯାଇଛି। ମୁଖପାତ୍ର କହିଛନ୍ତି ଯେ, ଏହି ବ୍ୟବସ୍ଥା ଆଧାରରେ ଭାରତକୁ ପରବର୍ତ୍ତୀ ସୂଚନା ୨୦୨୦ ସେପ୍ଟେମ୍ବରରେ ଦିଆଯିବ। 

ସ୍ଵିସ୍ ନ୍ୟାସନାଲ ବ୍ୟାଙ୍କ(ଏସଏନବି) ଦ୍ଵାରା ଜାରି ତଥ୍ୟ ମୁତାବକ, ସ୍ଵିସ୍ ବ୍ୟାଙ୍କରେ ଭାରତୀୟଙ୍କ ଦ୍ଵାରା ଜମା ଅର୍ଥ ୨୦୧୮ରେ ପ୍ରାୟ ଛଅ ପ୍ରତିଶତ ହ୍ରାସ ପାଇ ୬,୭୫୭ କୋଟି ଟଙ୍କାରେ ରହିଥିଲା। ଗତ ଦୁଇ ଦଶନ୍ଧିରେ ଜମା ଅର୍ଥର ଏହା ହେଉଛି ଦ୍ଵିତୀୟ ସର୍ବନିମ୍ନସ୍ତର। ୨୦୧୮ରେ ସମସ୍ତ ବିଦେଶୀ ଗ୍ରାହକଙ୍କ ଦ୍ଵାରା ସ୍ଵିସ୍ ବ୍ୟାଙ୍କରେ ଜମା ଅର୍ଥରାଶି ଚାରି ପ୍ରତିଶତ ହ୍ରାସ ପାଇ ୯୯ ଲକ୍ଷ କୋଟି ଟଙ୍କା ରହିଛି। ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ ସେଟଲମେଣ୍ଟ(ବିଆଇଏସ)ର ଲୋକେଶନାଲ ବ୍ୟାଙ୍କିଙ୍ଗ ଷ୍ଟାଟିଷ୍ଟିକ୍ସ ଅନୁଯାୟୀ ୨୦୧୮ରେ ଭାରତୀୟଙ୍କ ଦ୍ଵାରା ସ୍ଵିସ୍ ବ୍ୟାଙ୍କରେ ଜମା ଅର୍ଥରେ ୧୧ ପ୍ରତିଶତ ହ୍ରାସ ଘଟିଛି।

କଳାଧନ ଜମା ମାମଲାରେ ୭୪ତମ ସ୍ଥାନରେ ଭାରତ

ସ୍ଵିସ୍ ବ୍ୟାଙ୍କରେ କଳାଧନ ଜମା କରିବା ଦେଶ ତାଲିକାରେ ଭାରତ ସମଗ୍ର ଦୁନିଆରେ ୭୪ତମ ସ୍ଥାନରେ ରହିଛି। ତାଲିକାରେ ବ୍ରିଟେନ୍ ପ୍ରଥମ ସ୍ଥାନରେ ରହିଛି। ସ୍ଵିଜରଲାଣ୍ଡ ସ୍ଥିତ ବ୍ୟାଙ୍କ ଦ୍ଵାରା ଜାରି ତଥ୍ୟରୁ ଏହି ସୂଚନା ମିଳିଛି। ଗତ ବର୍ଷ ଭାରତ ୧୫ଟି ସ୍ଥାନ ଉପରକୁ ଉଠି ତାଲିକାର ୭୩ତମ ସ୍ଥାନରେ ଥିଲା। 

ସ୍ଵିସ୍ ବ୍ୟାଙ୍କରେ କଳାଧନ ଜମା କରିବା ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛି ଆମେରିକା। ତୃତୀୟରେ ଓ୍ଵେଷ୍ଟଇଣ୍ଡିଜ, ଚତୁର୍ଥରେ ଫ୍ରାନ୍ସ ଏବଂ ପଞ୍ଚମରେ ହଂକଂ ରହିଛି। ସ୍ଵିସ୍ ବ୍ୟାଙ୍କରେ ଜମା ୫୦ ପ୍ରତିଶତରୁ ଅଧିକ ଧନ ଏହି ପାଞ୍ଚଟି ଦେଶର ଲୋକଙ୍କର ରହିଛି। ତାଲିକାର ଶୀର୍ଷ ୧୦ରେ ଥିବା ଅନ୍ୟ ଦେଶ ହେଉଛନ୍ତି ବହାମସ, ଜର୍ମାନୀ, ଲକଜମବର୍ଗ, କାୟମାନ ଆଇଲାଣ୍ଡ ଓ ସିଙ୍ଗାପୁର ସାମିଲ।