Home > ବାଣିଜ୍ୟ
୪୫ ପ୍ରତିଶତ ଭାରତୀୟଙ୍କୁ ମିଳୁଛି ୧୦ ହଜାରରୁ କମ୍ ବେତନ : ସର୍ଭେ
Khabar Odisha:state-odisha-45-percent-population-in-urban-india-earn-less-than-10k-per-month-says-government-survey
ନୂଆଦିଲ୍ଲୀ, ଅଗଷ୍ଟ ୦୯ (ଖବର ଓଡିଶା) :

 ଏହି ପ୍ରତିଯୋଗୀମୂଳକ ସମାଜରେ ଏବେ ସବୁ କ୍ଷେତ୍ରରେ ପ୍ରତିଦ୍ୱନ୍ଦୀତା କରିବା ପାଇଁ ଲୋକମାନେ ବ୍ୟସ୍ତ ହୋଇ ପଡିଛନ୍ତି । ଏହି ମଧ୍ୟରେ ଲୋକଙ୍କର ଆୟକୁ ନେଇ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ସହରରେ ଚାକିରୀ କରୁଥିବା ୪୫ ପ୍ରତିଶତ ଭାରତୀୟଙ୍କୁ ପ୍ରାୟ ୧୦ ହଜାର ଟଙ୍କାର କମ୍ ବେତନ ମିଳୁଥିବା ଏହି ସର୍ଭେରେ ଜଣା ପଡିଛି । 

ଇକୋନୋମିକ ଟାଇମ୍ସର ଏକ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଏନଏସଏସଓ ଦ୍ୱାରା ପୁରୁଣା ରୋଜଗାର ଡାଟାକୁ ହଟାଇ ନୂଆ ପିରିଓଡିକ ଲେବର ଫୋର୍ସ ସର୍ଭେ ଜାରୀ କରାଯାଇଛି । ବାଣିଜ୍ୟ ବର୍ଷ ୨୦୧୭-୧୮ପାଇଁ ଜାରୀ କରାଯାଇଥିବା ସର୍ଭେ ଅନୁସାରେ ୨୦୧୧-୧୨ ରୁ ୨୦୧୭-୧୮ ମଧ୍ୟରେ କାମ କରୁଥିବା ଲୋକଙ୍କ ସଂଖ୍ୟା ୫ପ୍ରତିଶତ ବୃଦ୍ଧି ହୋଇଛି । 

ସହର ଓ ଗାଁ ମଧ୍ୟରେ ପ୍ରଭେଦ

ଏବେ ସୁଦ୍ଧା ଆୟ ମାମଲାରେ ଗାଁ ଓ ସହର ମଧ୍ୟରେ ପ୍ରଭେଦ ଦେଖିବାକୁ ମିଳୁଛି । ସହରରେ କାମ କରୁଥିବା ଲୋକଙ୍କ ବେତନ ଗାଁରେ କାମ କରୁଥିବା ଲୋକଙ୍କ ବେତନ ଠାରୁ ଅଧିକ ରହିଛି । ସେହି ପରି ପୁରୁଷ ଓ ମହିଳାଙ୍କୁ ମିଳୁଥିବା ବେତନରେ ମଧ୍ୟ ପ୍ରଭେଦ ରହିଛି । ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କମ୍ ବେତନ ମିଳୁଛି । ୬୩ ପ୍ରତିଶତ ମହିଳାଙ୍କୁ ୧୦ ହଜାର ଟଙ୍କାରୁ କମ୍ ବେତନ ମିଳୁଛି । ସେହି ପରି ୩୨ ପ୍ରତିଶତ ମହିଳାଙ୍କୁ ୫ହଜାର ଟଙ୍କା ବେତନ ମିଳୁଛି । ଗ୍ରାମୀଣ ଅଂଚଳରେ ୫୫ ପ୍ରତିଶତ ଲୋକ ୧୦ ହଜାର ଟଙ୍କାରୁ କମ୍ ବେତନ ପାଉଛନ୍ତି । କିନ୍ତୁ ସହରରେ ଏହି ସଂଖ୍ୟା ୩୮ ପ୍ରତିଶତ ରହିଛି । 

କେବଳ ୩ପ୍ରତିଶତ ଲୋକଙ୍କ ବୃଦ୍ଧି ପାଉଛି ବେତନ

ସର୍ଭେ ଅନୁସାରେ ସମ୍ପୂର୍ଣ୍ଣ ଦେଶରେ କେବଳ ତିନି ପ୍ରତିଶତ ଲୋକଙ୍କୁ ଭଲ ବେତନ ମିଳୁଛି । ସେମାନଙ୍କର ବେତନ ରାଶି ୫୦ ହଜାର ଟଙ୍କାରୁ ୧ ଲକ୍ଷ ପର୍ଯ୍ୟନ୍ତ ରହିଛି । ସେହିପରି ଏକ ଲକ୍ଷରୁ ଅଧିକ ବେତନ ପାଉଥିବା ଲୋକଙ୍କ ସଂଖ୍ୟା ୨ପ୍ରତିଶତ ରହିଛି । 

ଗ୍ରାମୀଣ ଅଞ୍ଚଳରେ ପୁରୁଷଙ୍କୁ ଅଧିକ ବେତନ

ଗ୍ରାମୀଣ ଅଂଚଳରେ ପୁରୁଷଙ୍କୁ ପ୍ରତି ମାସ ୧୩ରୁ ୧୪ ହଜାର ବେତନ ମିଳୁଛି । ସେହି ଭଳି ମହିଳାଙ୍କୁ ୮୫୦୦ ଠାରୁ ନେଇ ୧୦ ହଜାର ପର୍ଯ୍ୟନ୍ତ ବେତନ ମିଳୁଛି । ଅନ୍ୟପକ୍ଷରେ ସହରୀ ଅଂଚଳରେ କାମ କରୁଥିବା ପୁରୁଷଙ୍କୁ ୧୭ରୁ ୧୮ ହଜାର ଓ ମହିଳାଙ୍କୁ ୧୪ରୁ ୧୫ ହଜାର ବେତନ ମିଳୁଛି । 

ଜନସଂଖ୍ୟା ଦୃଷ୍ଟିରେ ଦେଖିବାକୁ ଗଲେ ଗ୍ରାମୀଣ ଅଂଚଳରେ ୫୪.୯ ପ୍ରତିଶତ ପୁରୁଷ ଏବଂ ୧୮.୨ ପ୍ରତିଶତ ମହିଳା ଚାକିରୀ କରନ୍ତି । ସେହି ଭଳି ସହରୀ ଅଂଚଳରେ ୫୭ ପ୍ରତିଶତ ପୁରୁଷ ଏବଂ ୧୫.୯ପ୍ରତିଶତ ମହିଳା ଚାକିରୀ କରୁଛନ୍ତି । ସ୍ୱରୋଜଗାର ଠାରୁ ୫୨.୨ ପ୍ରତିଶତ ଲୋକ ଗାଁରେ ଆୟ କରୁଛନ୍ତି । ସହରରେ ଏହାର ସଂଖ୍ୟା ୩୨.୪ ପ୍ରତିଶତ ରହିଛି । 

ଚୌକିଦାରଙ୍କୁ ମିଳୁଛି ସବୁଠୁ କମ୍ ବେତନ

ସର୍ଭେ ଅନୁସାରେ ଚୌକିଦାରଙ୍କୁ ସବୁଠାରୁ କମ୍ ବରତନ ମିଳୁଛି । ସେମାନଙ୍କୁ ପ୍ରାୟ ୭ହଜାର ଟଙ୍କା ମିଳୁଛି । ଏହାପରେ ଦ୍ୱିତୀୟ ସ୍ଥାନରେ ମତ୍ସଚାଷ ଓ କୃଷି କାର୍ଯ୍ୟ କରୁଥିବା ଲୋକ ଅଛନ୍ତି । ସମ୍ପୂର୍ଣ୍ଣ ଦେଶରେ ଏକ ଚତୁର୍ଥାଂଶ ଲୋକ ୨୦ ହଜାର ଟଙ୍କାରୁ କମ୍ ବେତନ ପାଉଛନ୍ତି ।