କନ୍ଧମାଳ, ଅଗଷ୍ଟ ୧୩(ଖବର ଓଡ଼ିଶା):
ରାଜ୍ୟରେ ଦିନକୁ ଗଞ୍ଜେଇ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରାଯାଉଥିଲେ ମଧ୍ୟ ଚାଲାଣକାରୀ ବେଧଡ଼କଭାବେ ଅପରାଧ କରିଚାଲିଛନ୍ତି । ଆଜି ପୁଣି କନ୍ଧମାଳରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।
କନ୍ଧମାଳ ଜିଲ୍ଲା ତିରିଙ୍ଗିଆ ମୁସେଲପାଙ୍ଗା ନିକଟରେ ଗଞ୍ଜେଇ ଚାଲାଣ ବେଳେ ଆଜି କୈାଣସି ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ସେଠାରୁ ଦେଢ କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ବୋଲେରୋ ପୋଲିସ ଜବତ କରିଛି । ଏହା ସହ ଏହି ଗଞ୍ଜେଇ ଚୋରାଚାଲାଣ କାର୍ଯ୍ୟରେ ସମ୍ପୃକ୍ତ ୨ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ଚୋରାଚାଲାଣ ଲିଙ୍କ କେତେ ଦୂର ରହିଛି ଓ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୋଲିସ ।