Home > ଅପରାଧ
ମୋ ସ୍ଵାମୀ ଓ ତାଙ୍କ ସମ୍ପତ୍ତି ଉପରେ ସ୍ମିତାରାଣୀଙ୍କ ଆଖି ଥିଲା, ମୋ ସ୍ଵାମୀ ନିର୍ଦ୍ଦୋଷ- ରୂପେଶଙ୍କ ପତ୍ନୀ
Khabar Odisha:state-odisha-PEO-smitarani-biswal-murder-case
ଯାଜପୁର, ଅକ୍ଟୋବର ୨୦ (ଖବର ଓଡିଶା) :

ଯାଜପୁର ହରିଦାସପୁର ଧର୍ମଶାଳାର ପିଇଓ ସ୍ମିତାରାଣୀ ବିଶ୍ଵାଳଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ ଆସିଛି। ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ପତ୍ନୀ ତଥା ସରପଞ୍ଚ ମଧୁସ୍ମିତା ଭଦ୍ର ଆଜି ଏନେଇ ମୁହଁ ଖୋଲିଛନ୍ତି। ରୂପେଶଙ୍କ ସମ୍ପତ୍ତି ଉପରେ ସ୍ମିତାରାଣୀଙ୍କର ଲାଳସା ରହିଥିଲା। ସେଥିପାଇଁ ତାଙ୍କୁ ଫସାଇବାକୁ ଷଡଯନ୍ତ୍ର କରୁଥିଲେ। କିନ୍ତୁ ରୂପେଶ ଏନେଇ ରାଜି ନଥିଲେ। ମୋ ସ୍ଵାମୀଙ୍କ ବିରୋଧରେ ଯେଉଁ ଖବର ପ୍ରସାରଣ କରାଯାଉଛି ତାହା ମିଥ୍ୟା। ତେଣୁ ବାଧ୍ୟ ହୋଇ ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି। ଯଦି ମୋ ସ୍ଵାମୀଙ୍କୁ ନ୍ୟାୟ ନମିଳେ ତେବେ ମୁଁ ଆତ୍ମହତ୍ୟା କରିବି ବୋଲି ରୂପେଶଙ୍କ ପତ୍ନୀ ମଧୁସ୍ମିତା ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। 

ମଧୁସ୍ମିତା କହିଛନ୍ତି କି, ସ୍ମିତାରାଣୀ ଏବଂ ତାଙ୍କ ପରିବାର ମଧ୍ୟରେ ଭଲ ସମ୍ପର୍କ ଥିଲା। ୩ ବର୍ଷରେ ଦୁଇ ପରିବାର ବହୁ ସମୟ ବିତାଇଥିଲେ। ଏହି ସମୟ ମଧ୍ୟରେ କୌଣସୀ ପ୍ରକାର ମତାନ୍ତର ନଥିଲା। କିନ୍ତୁ ସ୍ମିତାରାଣୀଙ୍କ ମୃତ୍ୟୁ ପରେ ପରକୀୟା ପ୍ରୀତିର ଅଭିଯୋଗ ଆସିଥିଲା। ଯାହାକି ସମ୍ପୂର୍ଣ୍ଣ ମିଛ। ମୋ ସ୍ଵାମୀ ଜଣେ ଭଲ ମଣିଷ, ସେ ପରଦୁଃଖ ସହି ପାରନ୍ତି ନାହିଁ। ସ୍ମିତାରାଣୀଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ଫସିଛନ୍ତି। ସ୍ମିତାରସାଣୀର ପରିବାର ସହ ଭଲ ସମ୍ପର୍କ ନଥିଲା। ସ୍ମିତାର ବାପା ଭାଇଙ୍କ ଅନୁରୋଧ କ୍ରମେ ଅାମେ ସାହାଯ୍ୟ କରିଥିଲୁ। ଏଭିତରେ ସ୍ମିତାର ମୋ ସ୍ଵାମୀଙ୍କ ଉପରେ ନଜର ଥିଲା ମୁଁ ଜାଣି ନଥିଲି। ଜାଣିଶୁଣି ରୂପେଶଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ତାଙ୍କ ପତ୍ନୀ କହିଛନ୍ତି। ଏପରିକି ଯଦି ତାଙ୍କ ସ୍ଵାମୀଙ୍କୁ ନ୍ୟାୟ ନମିଳେ ତେବେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି। 

ସୂଚନାଯୋଗ୍ୟ, ଗତକାଲି ଯାଜପୁର ଏସପି ଚରଣ ସିଂହ ମୀନା କହିଥିଲେ କି, ସ୍ମିତାରାଣୀ ବିଶ୍ଵାଳଙ୍କୁ ହତ୍ୟା କରାଯାଇନି ବରଂ ସେ ଆତ୍ମହତ୍ୟା କରିଛନ୍ତି। ସ୍ମିତା ରୂପେଶଙ୍କ ମଧ୍ୟରେ ସମ୍ପର୍କ ଥିଲା। ଘଟଣା ଦିନ ରୂପେଶ ସ୍ମିତାଙ୍କୁ ତାଙ୍କ ଗେଷ୍ଟ ହାଉସକୁ ଡାକିଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ସ୍ମିତାରାଣୀ ଉପର ମହଲାରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଏନେଇ ରୂପେଶଙ୍କୁ ଦାୟୀ କରି ପୁଲିସ ତାଙ୍କୁ ଗତକାଲି ଗିରଫ କରିଥିଲା।