Home > ଶିକ୍ଷା
ଅସହାୟ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର
Khabar Odisha:Anganwadi-situation-Odisha
ଭୁବନେଶ୍ୱର, ଜୁନ ୧୯ (ଖବର ଓଡ଼ିଶା):

 ମହିଳା ଓ ଶିଶୁଙ୍କ ବିକାଶ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଶିକ୍ଷା ବିଜ୍ଞାନ ଓ ଶିଶୁଙ୍କ ବୌଦ୍ଧିକ ବିକାଶ ନିମନ୍ତେ ରାଜ୍ୟରେ ଖୋଲାଯାଇଛି ହଜାର ହଜାର ଅଙ୍ଗନବାଡି କେନ୍ଦ୍ର । ବିଶେଷତଃ ଗରିବ ଶିଶୁମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ଖୋଲାଯାଇଥିଲେ ବର୍ତମାନ ପ୍ରାୟ ସେସବୁ ଅସହାୟ ଅବସ୍ଥାରେ । ମହିଳା ଓ ଶିଶୁ ସମନ୍ୱୟ ବିକାଶ ଦ୍ୱାରା ଶିଶୁ ସୁରକ୍ଷାର ବାହାବା ନିଆଯାଉଥିବା ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା ପ୍ରତିଫଳିତ ହୋଇଛି। 

ରାଜ୍ୟରେ ୩୪ ହଜାରରୁ ଉଦ୍ଧ୍ୱର୍ ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନଥିବା ବେଳେ ୭ ହଜାର ୨୮୧ ଅଙ୍ଗନବାଡି କେନ୍ଦ୍ର ଖୋଲା ଆକାଶ ତଳେ ଚାଲୁଛି । ଅଙ୍ଗନବାଡି କେନ୍ଦ୍ର ପାଇଁ ରାଜ୍ୟରେ ଭିତିଭୂମିର ଅଭାବ ଥିବାବେଳେ ସ୍ଥାୟୀ ଗୃହ ନଥିବା ଯୋଗୁଁ କେଉଁଠି ବିଦ୍ୟାଳୟ ପିଣ୍ଡା ଓ କେଉଁଠି ଗାଁ କୋଠାଘରେ ଏବଂ ଅନ୍ୟ କେଉଁଠି ଆମ୍ବ ତୋଟା କିମ୍ବା ବିପଦସଂକୁଳ ଅବସ୍ଥାରେ ଚାଲିଛି । ଏପରିକି କିଛି ସ୍ଥାନରେ ଅଙ୍ଗନବାଡି କର୍ମୀ ଓ ହେଲପରଙ୍କ ଘରେ ପିଲାମାନେ ପାଠ ପଢୁଥିବାର ନଜିର ରହିଛି । ଅଧିକାଂଶ କେନ୍ଦ୍ରରେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ଖୋଲା ଆକାଶ ତଳେ ରୋଷେଇ କରି କୋମଳମତି ଶିଶୁ ମାନଙ୍କୁ ରନ୍ଧା ଖାଦ୍ୟ ପରସା ଯାଉଛି ।   

ବିଧାନସଭାରେ ସରକାରୀ ପ୍ରଦତ ତଥ୍ୟ ଅନୁଯାୟୀ, ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ୭୨, ୫୮୭ ଅଙ୍ଗନବାଡି ଓ ମିନି ଅଙ୍ଗନବାଡି ମଧ୍ୟରୁ ୩୮,୧୨୪ କେନ୍ଦ୍ରର ନିଜସ୍ୱ ଗୃହ ଅଛି । ୧୧,୭୭୮ କେନ୍ଦ୍ର ବିଦ୍ୟାଳୟ ଗୃହରେ ୪୭୨୭ କେନ୍ଦ୍ର ଭଡା ଘରେ, ୧୦,୬୭୭ କେନ୍ଦ୍ର ଗୋଷ୍ଠୀ କେନ୍ଦ୍ରରେ ଏବଂ ୨୮୧ କେନ୍ଦ୍ର ଅନ୍ୟାନ୍ୟ ସ୍ଥାନରେ ଚାଲୁଅଛି ।   

ଏହି ତଥ୍ୟକୁ ଦେଖିଲେ ସରକାରଙ୍କ ପିଲାଙ୍କ ଶିକ୍ଷା ପ୍ରତି ଥିବା ଅଭିଳାଷା ସ୍ପଷ୍ଟ ବାରି ହୋଇପଡୁଛି । ଭବିଷ୍ୟ ଉଜ୍ଜଳ ପାଇଁ ଶିକ୍ଷାର ପ୍ରଥମ ପାହାଚ ସ୍ୱରୂପ ଅଙ୍ଗନବାଡିକୁ ଯାଉଥିବା ଗରିବ ଘରର ପିଲାମାନେ ଘୋର ଅସୁବିଧାର ସାମ୍ନା କରୁଛନ୍ତି । ଅନ୍ୟ ବ୍ୟବସ୍ଥା ନକହିଲେ ଭଲ । ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଅଙ୍ଗନବାଡିର ଦୃଶ୍ୟ ଏପରି ଥିବାବେଳେ ରାଜ୍ୟ ସରକାର କେବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କେବେ ସମସ୍ତ ଗୃହ ନିର୍ମାଣ ହେବ ଏ ନେଇ ବିରାଟ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


ସତ୍ୟଜିତ ସାମଲ

samalsatyajit63@gmail.com