Home > ଶିକ୍ଷା
ଜାଣନ୍ତୁ ଟଙ୍କା ପ୍ରଚଳନର ଇତିହାସ, କିଏ କରିଥିଲେ ଏହାର ଆରମ୍ଭ
Khabar Odisha:special-odisha-ser-saha-suri-first-started-coin-in-india
ଭୁବନେଶ୍ଵର, ଅକ୍ଟୋବର ୧୧ (ଖବର ଓଡିଶା) :

ଟଙ୍କା ପାଇଁ ସମସ୍ତେ ପରିଶ୍ରମ କରିଥାନ୍ତି। କୁହନ୍ତି ପାଖରେ ଅର୍ଥ ନଥିଲେ କେହି ଚିହ୍ନନ୍ତି ନାହିଁ। ତେବେ କଣ ଆପଣ ଜାଣିଛନ୍ତି ଏହି ଟଙ୍କାର ଇତିହାସ। ଏହାକୁ କିଏ ପ୍ରଚଳନ କରିଥିଲା। କେବେ କରିଥିଲା। ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଟଙ୍କାର ଇତିହାସ। 

ଭାରତରେ ପ୍ରଥମେ ସେର ଶାହା ସୁରୀ ଟଙ୍କାର ପ୍ରଚଳନ କରିଥିଲେ। ଭାରତରେ ସୂରୀ ସାମ୍ରାଜ୍ୟ ସ୍ଥାପନ କରିଥିବା ତଥା ଭାରତର ସିଂହ ନାମରେ ପ୍ରସିଦ୍ଧ ସେର ଶାହା ସୂରୀ ଖୁବ୍ କମ୍ ସମୟ ମଧ୍ୟରେ ବହୁ ବଡ ବଡ ଇତିହାସ ସୃଷ୍ଟି କରିଥିଲେ। ସେ ଏଭଳି ସବୁ ପ୍ରଥାର ଆରମ୍ଭ କରିଥିଲେ ଯାହାକି ଆଜି ଯାଏଁ ଆମେ ବ୍ୟବହାର କରୁଛୁ। 

୧୪୫୧ରେ ଭାରତରେ ପ୍ରଥମ ଥର ପାଇଁ ଅଫଗାନ ସାମ୍ରାଜ୍ୟର ଆରମ୍ଭ ହୋଇଥିଲା। ଏହାପରେ ଆଫଗାନିସ୍ତାନରୁ ବହୁ ଲୋକ ନିଜ ଅବସ୍ଥା ସୁଧାରିବାକୁ ଭାରତ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଇବ୍ରାହିମ ସୂରୀ। ଯିଏକି ଘୋଡା ବ୍ୟବସାୟ କରୁଥିଲେ। ତାଙ୍କ ପୁଅ ହସନ ଖାନ ଜୌନପୁରର ଗଭର୍ଣ୍ଣର ଚମଲଖାନଙ୍କ ସେବାରେ ଥିଲେ। ହସନ ଖାନଙ୍କ ୪ଜଣ ସ୍ତ୍ରୀ ଓ ୮ଟି ସନ୍ତାନ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ  ଥିଲେ ଫରିଦ ଖାନ ଅର୍ଥାତ୍ ସେର ଶାହା ସୂରୀ। ତାଙ୍କ ଜନ୍ମକୁ ନେଇ ଇତିହାସକାର ଅଲଗା ଅଲଗା ମତ ଦେଉଛନ୍ତି। କିନ୍ତୁ ବହୁ ଇତିହାସକାରଙ୍କ କହିବା ଅନୁଯାୟୀ ତାଙ୍କର ଜନ୍ମ ୧୪୮୬ରେ ହୋଇଥିଲା। 

୧୫ ବର୍ଷ ବୟସରେ ଫରିଦ ଖାନ ନିଜ ସାବତ ମାଙ୍କ ଠାରୁ ଅତିଷ୍ଠ ହୋଇ ଘର ଛାଡି ଜୌନପୁର ପଳାଇଥିଲେ। ସେଠାରେ ସେ ଶିକ୍ଷାଲାଭ କରିଥିଲେ। ଏହାପରେ ୧୫୨୨ରେ ବିହାରର ଗଭର୍ଣ୍ଣର ସୁଲତାନ ମହମ୍ମଦ ଖାନଙ୍କ ସେବାରେ ସାମିଲ ହୋଇଥିଲେ। ନିଜର ସୌର‌୍ୟ୍ୟ ପ୍ରଦର୍ଶନ କରିବାକୁ ଯାଇ ସେ ଥରେ ଏକାକୀ ସିଂହର ସାମ୍ନା କରିଥିଲେ ଏବଂ ସିଂହକୁ ମାରିବାରେ ସଫଳ ହୋଇଥିଲେ। ତାଙ୍କର ଏହି ପରାକ୍ରମ ପରଠାରୁ ସେର ଖାନ ନାମରେ ନାମିତ ହୋଇଥିଲେ। ଏହାପରେ ସେର ଖାନ ମୋଗଲ ଶାସକ ବାବରଙ୍କ ସେବାରେ ସାମିଲ ହୋଇଥିଲେ। ୧୫୩୪ରେ ସେର ଖାନ ସୁରଜଗଡ ଯୁଦ୍ଧରେ ମହମ୍ମଦ ଶାହାକୁ ପରାସ୍ତ କରି ବଙ୍ଗାଳର ବହୁ ଅଂଶ ହାସଲ କରିଥିଲେ। ସେପଟେ ୧୫୩୦ରେ ବାବରଙ୍କ ପରଲୋକ ପରେ ତାଙ୍କ ପୁଅ ହୁମାୟୁନ ମୋଗଲ ଶାସନ ସମ୍ଭାଳିଥିଲେ। ସେହି ସମୟରେ ୧୫୩୭-୩୯ ଯାଏଁ ହୁମାୟୁନ ଆଗ୍ରା ନଥିଲେ। ଏହାର ସୁଯୋଗ ନେଇ ସେର ଖାନ ଆଗ୍ରା ହାସଲ କରିଥିଲେ। 

ଏହି କ୍ରମରେ ୧୫୪୦ରୁ ଭାରତରେ ଦ୍ଵିତୀୟ ଅଫଗାନ ଶାସନ ଆରମ୍ଭ ହେଲା। ସେର ଶାହା ସୂରୀ ତାଙ୍କ ଶାସନ କାଳର ୭ ବର୍ଷ ମଧ୍ୟ ବହୁ ଉପଲବ୍ଧି ହାସଲ କରିଥିଲେ। ଟଙ୍କା ପ୍ରଚଳନ ଆରମ୍ଭ କରିଥିଲେ। ଯାହା ଆମେ ଆଜି ବି ବ୍ୟବହାର କରୁଛେ। ତାଙ୍କର ପ୍ରଭାବ ଏଭଳି ଥିଲା କି ସେର ଶାହାଙ୍କ ଶତ୍ରୁ ହୁମାୟୁନ ତାଙ୍କର ମୃତ୍ୟୁ ପରେ ରାଜାଙ୍କର ଗୁରୁ ସମ୍ମାନରେ ସମ୍ମାନିତ କରିଥିଲେ।