Home > ନିର୍ବାଚନ
ମୋଦୀ ଝଡ଼ରେ ସଫା ହୋଇଗଲେ ବୁଆ-ବବୁଆ-ଦିଦି, ଆଞ୍ଚଳିକ ଦଳ
Khabar Odisha:Politics-odisha-narendra-modi-tsunami-mamata-banerjee-odisha-up-bhabua-lok-sabha-elections-2019
ନୂଆଦିଲ୍ଲୀ, ମେ ୨୩ (ଖବର ଓଡ଼ିଶା):

ଲୋକସଭା ନିର୍ବାଚନ ୨୦୧୯ର ଫଳାଫଳ ଚିତ୍ର ଆପାତଃ ସ୍ପଷ୍ଟ ହୋଇ ଯାଇଛି। ପୁଣି ଥରେ ନରେନ୍ଦ୍ର ମୋଦୀ ପ୍ରଚଣ୍ଡ ବହୁମତ ସହିତ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।  ମୋଦୀ ନାମକ ସୁନାମୀ ଏତେ ଜୋରରେ ବହିଲା ଯେ ଦେଶର ଅନେକ ଅଂଶରେ ଭାରତୀୟ ଜନତା ପାର୍ଟି କ୍ଲିନ୍ ସୁଇପ କରିଛି। କଂଗ୍ରେସର ସ୍ଥିତି ପୁଣି ଥରେ ଶୋଚନୀୟ ହେଉଥିଲେ ମଧ୍ୟ ଏହି ସୁନାମୀରେ ସବୁଠୁ ଅଧିକ କ୍ଷତି ଆଞ୍ଚଳିକ ଦଳଗୁଡିକୁ ହୋଇଛି। ମୋଦୀ ଝଡରେ ଏଥର ଟିଏମସି, ଏନସିପି, ଏସପି, ବିଏସପି ଧରାଶାୟୀ ହୋଇଛନ୍ତି।

 ପ୍ରଥମ ଥର ମମତାଙ୍କ ଗଡ଼ରେ ବିଜେପିର ଶକ୍ତି ପ୍ରଦର୍ଶନ

ଅମିତ୍ ଶାହା ପ୍ରତିଶ୍ରୁତି ଦେଇଥିଲେ ଯେ, ଏଥର ବିଜେପି ପଶ୍ଚିମବଙ୍ଗରେ ୨୩ଟି ଆସନ ଜିତିବ। ଏ ପର୍ୟ୍ୟଶନ୍ତ ଭୋଟ୍ ଗଣତି ମୁତାବକ ବଙ୍ଗାଲର ମୋଟ୍ ୪୨ ସିଟରୁ ବିଜେପି ୧୭ଟିରେ ଆଗୁଆ ରହିଛି। ଟିଏମସି ୨୪ ସିଟରେ ଆଗୁଆ ରହିଛି। ୨୦୧୪ରେ ମମତା ବାନାର୍ଜୀଙ୍କ ପାର୍ଟି ୩୫ଟି ସିଟରେ କବଜା କରିଥିଲେ। ଏହା ସହିତ ଭୋଟ୍ ସେୟାରିଂ ମଧ୍ୟ ବିଜେପିର ବୃଦ୍ଧି ଘଟିଛି। 

ବୁଆ-ବବୁଆ ହେଲେ ଧରାଶାୟୀ

ଉତ୍ତର ପ୍ରଦେଶରେ  ନରେନ୍ଦ୍ର ମୋଦୀଙ୍କ ସାମ୍ନା କରିବା ପାଇଁ ବଡ଼ ଆଶା ସହିତ ମାୟାବତୀ ଓ ଅଖିଳେଶ ଯାଦବ ଏକାଠି ହୋଇଥିଲେ। ୨୫ ବର୍ଷର ଶତ୍ରୁତାକୁ ଭୁଲି ଏକ ସଙ୍ଗେ ଅନେକ ସଭା କରିଥିଲେ। ପ୍ରଧାନମନ୍ତ୍ରୀ ହେବାକୁ ସ୍ଵପ୍ନ ଦେଖୁଥିବା ମମତାଙ୍କ ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା। ନା ଚାଲିଲା ଜାତି ରାଜନୀତି, ନା ଦଳିତ ରାଜନୀତି  ସବୁ ପ୍ରକାରର ଉଦ୍ୟମ ବିଫଳ ହୋଇଛି। ୟୁପିରେ ବିଜେପି ୫୫ ସିଟରେ ଆଗୁଆ ରହିଛି। ମହାମେଣ୍ଟ କେବଳ ୨୪ଟି ସିଟରେ ବିଜୟୀ ହେବାର ସ୍ଥିତିରେ ରହିଛି। 

ଅନ୍ୟ ପଟେ ବିରୋଧୀ ନେତା ଶରଦ ପାଓ୍ଵାରଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡୁଛି। ମହାରାଷ୍ଟ୍ରରେ ଏନସିପି-କଂଗ୍ରେସ ଯୋଡ଼ି ଧରାଶାୟୀ ହୋଇଛି। ମୋଟ୍ ୪୮ ସିଟରୁ ବିଜେପି-ଶିବସେନା ଯୋଡ଼ି ୪୪ ସିଟରେ ଆଗୁଆ ରହିଛନ୍ତି। 

ଅନ୍ୟ ପଟେ ଆମ୍ ଆଦମୀ ପାର୍ଟିର ପ୍ରମୁଖ ଅରବିନ୍ଦ କେଜ୍ରିଓ୍ଵାଲ ଲୋକସଭା ନିର୍ବାଚନ ପୂର୍ବରୁ ସବୁ ୭ ସିଟରେ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରୁଥିଲେ।  ମାତ୍ର ଭୋଟ୍ ଗଣତି ମୁତାବକ ଦିଲ୍ଲୀର ସବୁ ୭ ସିଟରେ ବିଜେପି ଆଗୁଆ ରହିଛି। 

ବିହାରରେ ମଧ୍ୟ ମହାମେଣ୍ଟକୁ ଜୋରଦାର ଝଟକା ଲାଗିଛି। ୫ଟି ପାର୍ଟିକୁ ନେଇ ଗଠନ ମହାମେଣ୍ଟ କେବଳ ୨ଟି ସିଟରେ ସୀମିତ ରହୁଥିବା ଦେଖା ଦେଇଛି। କଂଗ୍ରେସ, ଆରଜେଡି ସହିତ ଅନ୍ୟ ତିନି ଦଳ ମୋଦୀ ସୁନାମୀରେ ଧରାଶାୟୀ ହୋଇଛନ୍ତି।