Home > ନିର୍ବାଚନ
ଲୋକସଭା ନିର୍ବାଚନ: ପଶ୍ଚିମ ଓଡ଼ିଶାରେ ପୋଛିନେଲା ବିଜେପି, ମୋଦୀଙ୍କୁ ଭରସା କଲେ ଜନତା
Khabar Odisha:State-Oidsha-BJP-wins-in-Western-Odisha-people-of-their-trust-on-PM-Modi

ଭୁବନେଶ୍ୱର, ମଇ ୨୪ (ଖବର ଓଡ଼ିଶା): ଭାରତୀୟ ଜନତା ପାର୍ଟିକୁ ସମଗ୍ର ଦେଶର ଜନତା ଗ୍ରହଣ କରିଛନ୍ତି । ଓଡ଼ିଶାରେ ମଧ୍ୟ ଲୋକେ ମୋଦୀ ସରକାରଙ୍କୁ ସହଜରେ ଗ୍ରହଣ କରିଛନ୍ତି । ବର୍ଷ ୨୦୧୪ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ କେବଳ ସୁନ୍ଦରଗଡ଼ ଲୋକସଭା ଆସନରେ ବିଜେପିକୁ ବିଜୟ ମିଳିଥିବା ବେଳେ ଏଥର କିନ୍ତୁ ଗଣିତ ଅଲଗା ହୋଇଛି । ବିଜେପିକୁ ଏଥର ୯ଟି ଲୋକସଭା ଆସନ ମିଳିପାରେ ବୋଲି ପୂର୍ବାନୁମାନ କରାଯାଉଛି । କାରଣ ଏଯାଏଁ କିଛି ଲୋକସଭା ଆସନରେ ମତଗଣନା ଚାଲିଛି । 

ପଶ୍ଚିମ ଓଡ଼ିଶାର କେନ୍ଦ୍ର କୁହାଯାଉଥିବା ସମ୍ବଲପୁରରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କୁ ବିଜୟ ମିଳିଛି । ସେ ବିଜୁ ଜନତା ଦଳ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ବିପକ୍ଷରେ ବିପୁଳ ଭୋଟ ବ୍ୟବଧାନରେ ଜିତିଛନ୍ତି । ନିତେଶଙ୍କୁ ଯେତେବେଳେ ବିଜେପି ଟିକେଟ ମିଳିଥିଲା, ସେତେବେଳେ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଅନ୍ୟପଟରେ ସମ୍ବଲପୁରରୁ ବହୁଦିନ ହେବ ଲଢ଼େଇ କରି ଆସୁଥିବା ସୁରେଶ ପୂଜାରୀଙ୍କୁ ସମ୍ବଲପୁର ବଦଳରେ ବିଜେପି ବରଗଡ଼ ଆସନରେ ଛିଡ଼ା କରାଇଥିଲା । ବରଗଡ଼ ଲୋକସଭା ଆସନରେ ସୁଭାଷ ଚୌହାନଙ୍କୁ ଟିକେଟ ନ ଦେଇ ସୁରେଶ ପୂଜାରୀଙ୍କୁ ଟିକେଟ ଦେଇଥିଲା । ବିଜେଡି ପ୍ରାର୍ଥୀ ଓ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଲୋକସଭା ଆସନରେ ସୁରେଶ ପୂଜାରୀଙ୍କ ଠାରୁ ପରାସ୍ତ ହୋଇଛନ୍ତି । 

କଳାହାଣ୍ଡି ଲୋକସଭା ଆସନରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱ ପ୍ରତି ସନ୍ଦେହ ହେଉଥିଲା । ସମସ୍ତେ ଭାବୁଥିଲେ ଏଠାରେ କଂଗ୍ରେସ ଅଥବା ବିଜେଡ଼ି ବିଜୟ ଲାଭ କରିବ । ମାତ୍ର ଶ୍ରୀ ପଣ୍ଡା ଗଣିତ ଭୁଲ କରି ଦେଇଛନ୍ତି । ସେ କଳାହାଣ୍ଡି ଲୋକସଭା ଆସନରୁ ଦିଲ୍ଲୀ ପାଇଁ ଦ୍ୱାର ଫିଟାଇଛନ୍ତି । ସୁନ୍ଦରଗଡ଼ କଥା ଯଦି କହିବା ଏଠାରେ ଜର୍ଜ ତିର୍କୀଙ୍କ ପରାସ୍ତ କରି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ପୁଣି ଥରେ ବିଜୟୀ ହୋଇଛନ୍ତି । 

ବଲାଙ୍ଗୀର ଲୋକସଭା ଆସନର ଫଳାଫଳ ଯଦିଓ ଏଯାଏଁ ଆସିନାହିଁ, ତଥାପି ଏହି ଆସନରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ପ୍ରାୟ ୮୦୦୦ ଭୋଟରେ ଆଗୁଆ ଅଛନ୍ତି । ନିଜର ନିକଟତମ ପ୍ରତିଦ୍ୱନ୍ଦୀ ତଥା ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କୁ ସେ ମୁକାବିଲା କରିଛନ୍ତି । ପଶ୍ଚିମ ଓଡ଼ିଶା ବ୍ୟତୀତ ବିଜେପି ମୟୂରଭଂଜ, ବାଲେଶ୍ୱର ଓ ଭୁବନେଶ୍ୱର ଆସନକୁ ନିଜର ଅଧିନକୁ ଆଣିପାରିଛି । 

 

  • Tags: