Home > ମନୋରଞ୍ଜନ
ଲତା ମଙ୍ଗେସରଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର, ପରିବାର ଲୋକ ଦେଲେ ସୂଚନା
Khabar Odisha:entertainment-bollywood-lata-mangeshkars-condition-is-improving-family-members-gave-information
ନୂଆଦିଲ୍ଲୀ,ନଭେମ୍ବର୧୩(ଖବର ଓଡ଼ିଶା):

 ‘ଭାରତର କୋକିଳ’ ଲତା ମଙ୍ଗେସକରଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ ଏବଂ ଛାତିରେ ଯନ୍ତ୍ରଣା କାରଣରୁ ସୋମବାର ମୁମ୍ବାଇର ଏକ ଘରୋଇ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କର ସ୍ଵାସ୍ଥ୍ୟବସ୍ଥାକୁ ନେଇ ତାଙ୍କର ପ୍ରଶଂସକଙ୍କଠୁ ନେଇ ସମଗ୍ର ଦେଶବାସୀ ଚିନ୍ତିତ ହୋଇ ପଡ଼ିଥିଲେ। ମାତ୍ର ଆଶ୍ଵିସ୍ତିକର କଥା ଯେ, ଲତା ମଙ୍ଗେସକରଙ୍କ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଛି। 

ଏହି ସୂଚନା ଆଉ କେହି ନୁହଁ ଖୋଦ୍ ଲତା ମଙ୍ଗେସକରଙ୍କ ପରିବାର  ହିଁ ଦେଇଛନ୍ତି। ତାଙ୍କ ପରିବାରର ସଦସ୍ୟ ଏହି ଦୁଃଖଦ ସମୟରେ ସାଥୀରେ ରହିବା ଏବଂ ସୁସ୍ଥ କାମନା କରିଥିବାରୁ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

ଲତା ମଙ୍ଗେସକରଙ୍କ ପରିବାର ଦ୍ଵାରା ଜାରି ବୟାନରେ କୁହାଯାଇଛି ଯେ, ଲତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ପୂର୍ବାପେକ୍ଷା ସୁଧାର ଆସିଛି। ଆପଣଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ। ଆମେ ତାଙ୍କର ସଂପୂର୍ଣ୍ଣ ସୁସ୍ଥତାକୁ ଅପେକ୍ଷା କରିଛୁ, ଯଦ୍ଵାରା ସେ ଶୀଘ୍ର ଘରକୁ ଫେରି ପାରିବେ। ଏହି ଦୁଃଖର ସମୟରେ ଆମ ସାଥିରେ ରହିବା ଓ ନିଜ ପରି ସମ୍ମାନ ଦେଇଥିବାରୁ ଧନ୍ୟବାଦ। 

ପରିବାରର ସଦସ୍ୟ କହିଛନ୍ତି ଯେ, ଯଦି ସ୍ଥିତିରେ ଆଉ ଟିକେ ସୁଧାର ଆସେ ତେବେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯିବ। ବୟାନରୁ ଏହା ମଧ୍ୟ ସଙ୍କେତ ମିଳିଛି ଯେ, ଲତା ଜୀଙ୍କ ସ୍ଵାସ୍ଥ୍ୟରେ ବର୍ତ୍ତମାନ ଏତେ ସୁଧାର ଆସିନାହିଁ ଯେ ତାଙ୍କୁ ସଂପୂର୍ଣ୍ଣ ଭାବେ ସୁସ୍ଥ କୁହାଯିବ। 

ଉଲ୍ଲେଖଯୋଗ୍ୟ, ନିକଟରେ ଭାରତ ରତ୍ନ ଲତା ମଙ୍ଗେସକର ନିଜର ୯୦ତମ ଜନ୍ମ ଦିବସ ପାଳନ କରିଥିଲେ। କେନ୍ଦ୍ର ସରକାରଙ୍କଠୁ ପଦ୍ମଶ୍ରୀ ସମେତ ଅନେକ ସମ୍ମାନ ମିଳି ସାରିଛି। ୩୦ ବର୍ଷ ପୂର୍ବେ ଫିଲ୍ମ ଜଗତର ଦାଦା ସାହେବ ଫାଲକେ ଆଓ୍ଵାର୍ଡରେ ସେ ସମ୍ମାନିତ ହୋଇ ସାରିଛନ୍ତି। 

୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମିତ ଲତା ମଙ୍ଗେସକରଙ୍କୁ ଅନେକ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ପୁରସ୍କାର ବ୍ୟତୀତ ଦାଦା ସାହେବ ଫାଲକେ ପୁରସ୍କାର ଓ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର, ଅଫିସର ଅଫ ଦ ଲିଜନ ଅଫ ଅନରରେ ମଧ୍ୟ ସମ୍ମାନିତ କରାଯାଇଛି। ସେ ୧୯୪୮  ରୁ ୧୯୭୪ ମଧ୍ୟରେ ୨୫ ହଜାରରୁ ଅଧିକ ଗୀତ ଗାଇ ସାରିଛନ୍ତି। ୧୯୭୪ରେ ଇତିହାସରେ ସବୁଠୁ ଅଧିକ ଗୀତ ଗାଇବା ରେକର୍ଡ କରିଥିବା ଲତାଙ୍କୁ ଗିନିଜ ବୁକ ଅଫ ରେକର୍ଡ୍ସରେ ସ୍ଥାନିତ କରାଯାଇଥିଲା।