Home > ମନୋରଞ୍ଜନ
ପାକିସ୍ତାନୀ ହୋଇ ବି କିଣି ଥିଲେ ସଂପତ୍ତି, ଅଦନାନ ସାମିଙ୍କ ଉପରେ ଲାଗିଲା ୫୦ ଲକ୍ଷ ଟଙ୍କା ଜୋରିମାନା
Khabar Odisha:entertainment-bollywood-odisha-adnan-sami-fined-with-50-lakh-rupees-by-appellate-tribunal-for-buying-properties-in-india
ନୂଆଦିଲ୍ଲୀ,ସେପ୍ଟେମ୍ବର୧୭(ଖବର ଓଡ଼ିଶା):

୨୦୦୩ରେ  ପାକିସ୍ତାନୀ ନାଗରିକା ଥିବା ସତ୍ଵେ ବି ମୁମ୍ଵାଇରେ ଫ୍ଲାଟ୍ ଓ ପାର୍କିଂ ସ୍ଥାନ କିଣିବା ମାମଲାରେ  ଅଦନାନ ସାମିଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି। ମାତ୍ର ଏହି  ଜୋରିମାନା ଏହି ଗାୟକଙ୍କ ପାଇଁ ଆଶ୍ଵସ୍ତିକର କଥା କାରଣ ଏହା ପୂର୍ବରୁ  ଇଡି ଅଦନାନଙ୍କ କୋଟି କୋଟି ଟଙ୍କାର ପୂରା ସଂପତ୍ତିକୁ ଜବତ  କରିବାକୁ ଆଦେଶ ଦେଇଥିଲା, ଯାହାକୁ ସେପ୍ଟେମ୍ବର ୧୨ରେ ଟ୍ରାଇବୁନାଲ ଖାରଜ କରି ଦେଇଛନ୍ତି।

ମିଡିଆ ରିପୋର୍ଟ ମୁତାବକ ୨୦୦୩ରେ ଅଦନାନ ସାମି ମୁମ୍ବାଇରେ ୮ଟି ଫ୍ଲାଟ ଓ ୫ଟି  ପାର୍କିଂ ସ୍ପେସ୍ କିଣିଥିଲେ। ସେହି ସମୟରେ ସେ ପାକିସ୍ତାନର ନାଗରିକ ଥିଲେ। ଏହି ସବୁ ସଂପତ୍ତି କିଣିବାର ସୂଚନା ଅଦନାନ ରିଜର୍ଭ ବ୍ୟାଙ୍କକୁ ଦେଇନଥିଲେ, ଯାହା ବିଦେଶୀ ନାଗରିକଙ୍କ ପାଇଁ ଏମିତି କରିବା ଜରୁରୀ ଅଟେ। ଭାରତୀୟ କାନୁନ ଅନୁସାରେ ଯଦି କୌଣସି ବ୍ୟକ୍ତି ଅନ୍ୟ ଦେଶର ନାଗରିକ  ଏବଂ ସେ ଭାରତରେ ସଂପତ୍ତି କିଣନ୍ତି ଏବଂ କୌଣସି ପ୍ରକାରର ନିବେଶ କରନ୍ତି ତେବେ ତାଙ୍କୁ ଏହାର  ସୂଚନା ଆରବିଆଇକୁ ଦେବାକୁ ପଡ଼ିଥାଏ।

ଅଦନାନ ସାମି ଏହାର ସୂଚନା ଆରବିଆଇକୁ ଦେଇନଥିବା ଜଣା ପଡ଼ିବା ପରେ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗାୟକଙ୍କ ଉପରେ ୨୦୧୦ରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇ ତାଙ୍କର ସଂପତ୍ତି ଜବତ କରିଥିଲେ। ଏହା ବିରୋଧରେ ଅଦନାନ ଅପିଲେଟ୍ ଟ୍ରାଇବୁନାଲ କୋର୍ଟରେ ଅପିଲ କରିଥିଲେ। ଏହା ଉପରେ ଏବେ ଟ୍ରାଇବୁନାଲର ନିଷ୍ପତ୍ତି ଆସିଛି।

କଣ କହିଲେ ଟ୍ରାଇବୁନାଲ

ସୂଚନା ଅନୁଯାୟୀ ଟ୍ରାଇବୁନାଲର ଅଧ୍ୟକ୍ଷ କହିଛନ୍ତି ଯେ ଏହି ମାମଲାରେ କୌଣସି ପ୍ରକାରର ଫରେନ୍ସ ଏକ୍ସଚେଞ୍ଜ ସାମିଲ ହୋଇ ନାହିଁ, ତେଣୁ ବିଦେଶୀ ମୁଦ୍ରାର କୌଣସି କ୍ଷତି ଘଟିନାହିଁ। ପୂରା ଅର୍ଥ ପୈଠ ଭାରତୀୟ ମୁଦ୍ରାରେ କରାଯାଇଛି। ଏହା ସହିତ ସଂପତ୍ତି ପାଇଁ ନିଆଯାଇଥିବା ଲୋନ, ଭାରତ ଏବଂ ବାହାରୁ ହୋଇଥିବା ଆୟ ଏବଂ ଏହା ଉପରେ ଲାଗୁ ଟ୍ୟାକ୍ସକୁ ମଧ୍ୟ ଗାୟକ ଅଦନାନ ଭାରତୀୟ ମୁଦ୍ରାରେ ପୈଠ କରିଛନ୍ତି।

ଏହାକୁ ଆଧାର ଦର୍ଶାଇ ଟ୍ରାଇବୁନାଲ ଫେମା କାନୁନ ଆଧାରରେ ଇଡି ଦ୍ଵାରା ଅଦନାନଙ୍କ ସଂପତ୍ତି ଜବତ କରିବା ଆଦେଶକୁ ଖାରଜ କରିଛନ୍ତି। ମାତ୍ର ଇଡି ଦ୍ଵାରା ଅଦନାନଙ୍କ ଉପରେ ଲଗାଯାଇଥିବା ଜୋରିମାନା ରାଶିକୁ ବଢାଇ ୫୦ ଲକ୍ଷ କରିଛନ୍ତି। ଏଥିରେ ଗାୟକଙ୍କୁ ୪୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡ଼ିବ କାରଣ ସେ ପୂର୍ବରୁ ୧୦ ଲକ୍ଷ ଟଙ୍କା ଦେଇ ସାରିଛନ୍ତି। ବାକି ଜୋରିମାନା ରାଶି ଦେବାକୁ ଅଦନାନଙ୍କୁ ତିନି ମାସର ସମୟ ଦିଆଯାଇଛି।