Home > ମନୋରଞ୍ଜନ
ମହାନାୟକ ଅମିତାଭ ବଚ୍ଚନଙ୍କୁ ମିଳିବ ସିନେମାର ସବୁଠୁ ବଡ଼ ସମ୍ମାନ 'ଦାଦା ସାହେବ ଫାଲକେ'
Khabar Odisha:entertainment-bollywood-odisha-dada-saheb-phalke-award-for-amitabh-bachchan
ନୂଆଦିଲ୍ଲୀ,ସେପ୍ଟେମ୍ବର୨୪(ଖବର ଓଡ଼ିଶା):

 ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ନିଜର ନିଖୁଣ ଅଭିନୟ ଓ ଜୀବନସାରା ଭାରତୀୟ ସିନେମାକୁ ଯୋଗଦାନ ଦେଇ ଆସୁଥିବା ଅମିତାଭ ବଚ୍ଚନଙ୍କୁ ୨୦୧୮ର ଦାଦା ସାହେବ ଫାଲେକ ପୁରସ୍କାର ପ୍ରଦାନ କରାଯିବ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଟ୍ଵିଟ୍ ଜରିଆରେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହି ଟ୍ଵିଟ୍ ପରେ ସାମାଜିକ ଗଣମାଧ୍ୟମଠୁ ନେଇ ପ୍ରତ୍ୟେକ ସ୍ଥାନରେ ଅମିତାଭ ବଚ୍ଚନଙ୍କ ପ୍ରଶଂସକ ଓ ଦେଶବାସୀଙ୍କ ମଧ୍ୟରେ ଖୁସିର ମାହୋଲ ରହିଛି।

ପ୍ରକାଶ ଜାଭେଦକର ନିଜର ଟ୍ଵିଟରରେ ଅମିତାଭ ବଚ୍ଚନଙ୍କୁ ଦିଆଯାଉଥିବା ଏହି ପୁରସ୍କାର ବିଷୟରେ ସୂଚନା ଦେଇ ଲେଖିଛନ୍ତି ଯେ ମହାନାୟକ ଅମିତାଭ ବଚ୍ଚନ ଯିଏ ଦୁଇ ପିଢି ପାଇଁ ମନୋରଞ୍ଜନ ଓ ପ୍ରେରଣା ଦେଇଛନ୍ତି ତାଙ୍କୁ ଦାଦା ସାହେବ ଫାଲକେ ପାଇଁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ପୂରା ଦେଶ ଓ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏଥିରେ ଖୁସି ପ୍ରକଟ କରିଛନ୍ତି। ତାଙ୍କୁ ମୋର ଶୁଭେଚ୍ଛା।

୭୬ ବର୍ଷୀୟ ଅମିତାଭ ବଚ୍ଚନ ଏବେ ମଧ୍ୟ ଭାରତୀୟ ସିନେମାରେ କାର୍ଯ୍ୟରତ। ୧୯୬୯ରେ ଫିଲ୍ମ ସାତ ହିନ୍ଦୁସ୍ତାନୀରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅମିତାଭ ବଚ୍ଚନ ବଲିଉଡଙ୍କୁ ଏ ପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ଦେଇ ସାରିଛନ୍ତି। ବୟସର ଅପରାହ୍ନରେ ପହଞ୍ଚିଥିଲେ ବି ତାଙ୍କ ପାଖରେ  ଫିଲ୍ମର କୌଣସି ଅଭାବ ନାହିଁ। ଅମିତାଭଙ୍କ ଆଗାମୀ ଫିଲ୍ମ ଝୁଣ୍ଡ, ସାୟ ରା ନରସିମାହ ରେଡ୍ଡୀ, ତେରା ୟାର ହୁଁ, ବଟରଫ୍ଲାଇ, ଏବି ୟାନି ସିଡି, ବ୍ରହ୍ମାସ୍ତ୍ର, ଚେହରେ ଓ ଗୁଲାବୋ ସିତାବୋରେ ନଜର ଆସିବେ। 

ବିଗ୍ ବି ବଡ଼ ପରଦା ବ୍ୟତୀତ ଛୋଟ ପରଦାରେ ମଧ୍ୟ ସକ୍ରିୟ ଅଛନ୍ତି। ତାଙ୍କର ରିଏଲିଟି କୁଇଜ୍ ସୋ କୌନ ବନେଗା କରୋଡ଼ପତି ବହୁତ ଲୋକପ୍ରିୟ। ଦାଦା ସାହେବ ଫାଲକେ ପୁରସ୍କାର ଖବର ମିଳିବା ମାତ୍ରେ ସାମାଜିକ ଗଣମାଧ୍ୟମରେ ଅମିତାଭ ବଚ୍ଚନଙ୍କୁ ଶୁଭକାମନାର ବାର୍ତ୍ତା ମିଳିବାରେ ଲାଗିଛି। 

ଉଲ୍ଲେଖଯୋଗ୍ୟ, ଦାଦା ସାହେବ ଫାଲକେ ସମ୍ମାନ ସିନେମାରେ ସବୁଠୁ ବଡ଼ ଯୋଗଦାନ ଓ କଳା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଯୋଗଦାନ ପାଇଁ ପ୍ରଦାନ କରାଯାଏ। ଅମିତାଭ ବଚ୍ଚନଙ୍କ ପୂର୍ବରୁ ଏହି ସମ୍ମାନ ୨୦୧୭ରେ ବିନୋଦ ଖନ୍ନାଙ୍କୁ ମିଳିଥିଲା। ଏହା ବ୍ୟତୀତ ୨୦୧୫ରେ ଏହି ପୁରସ୍କାର ମନୋଜ କୁମାରଙ୍କୁ ମିଳିଥିଲା। ୨୦୧୪ରେ ଶଶି କପୁର, ୨୦୧୩ରେ ଗୁଲଜାର ଓ ୨୦୧୨ରେ ପ୍ରାଣଙ୍କୁ ମିଳିଥିଲା। ୧୯୬୯ରେ ଏହି ସମ୍ମାନ ସର୍ବ ପ୍ରଥମେ  ଦେବିକା ରାଣୀଙ୍କୁ ମିଳିଥିଲା।