Home > ମନୋରଞ୍ଜନ
ଓସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହେଲା ଫିଲ୍ମ ‘ଗଲି ବୟ’
Khabar Odisha:entertainment-bollywood-ranveer-singh-and-alia-bhatt-starrer-film-gully-boy-is-official-entry-of-india-for-oscars-2020
ନୂଆଦିଲ୍ଲୀ,ସେପ୍ଟେମ୍ବର୨୧(ଖବର ଓଡ଼ିଶା):

ଚଳିତ ବର୍ଷ ସବୁଠୁ ପସନ୍ଦର ଫିଲ୍ମ ‘ଗଲି ବୟ’କୁ ଭାରତ ପକ୍ଷରୁ ୯୨ତମ ଅସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଓସ୍କାରରେ ସର୍ବଶ୍ରେଷ୍ଠ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ ବର୍ଗରେ ଏହି ଫିଲ୍ମକୁ ଭାରତ ପକ୍ଷରୁ ଚୟନ କରାଯାଇଛି। ଜୋୟା ଅଖତରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଫିଲ୍ମର ପ୍ରିମିୟର ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ହୋଇଥିଲା ଏବଂ ଏହାକୁ ମେଲବର୍ଣ୍ଣର ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଫିଲ୍ମର ଆଓ୍ଵାର୍ଡ ମିଳିଥିଲା। 

ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ(ଏଫଏଫଆଇ) ଶନିବାର ଏହାର ଘୋଷଣା କରିଛି। ଫିଲ୍ମଟି ଚଳିତ ବର୍ଷ ଫେବୃଆରୀରେ ରିଲିଜ୍ ହୋଇଥିଲା।  ଏଥିରେ ରଣବୀର ଓ ଆଲିୟାଙ୍କ ବ୍ୟତୀତ ବିଜୟରାଜ, କଲକି କୋଚଲିନ, ସିଦ୍ଧାନ୍ତ ଚର୍ତୁବେଦୀ, ବିଜୟ ବର୍ମା ଓ ଅମୃତା ସୁଭାଷଙ୍କ ଅଭିନୟକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ। ଏଫଏଫଆଇ ମହାସଚିବ ସୁପର୍ଣ୍ଣ ସେନ କହିଛନ୍ତି ଯେ ଫିଲ୍ମ ‘ଗଲି ବୟ’କୁ ଓସ୍କାର ଆଓ୍ଵାର୍ଡ ପାଇଁ ଭାରତ ପକ୍ଷରୁ ମନୋନୀତ କରାଯାଇଛି। ଚଳିତ ବର୍ଷ ପ୍ରାୟ ୨୭ ଫିଲ୍ମ ଏହି ଦୌଡ଼ରେ ଥିଲା, ମାତ୍ର ସର୍ବସମ୍ମତି କ୍ରମେ ‘ଗଲି ବୟ’କୁ ଚୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ,  ଓସ୍କାର ଆଓ୍ଵାର୍ଡ ପାଇଁ ଭାରତ ପକ୍ଷରୁ କେଉଁ ଫିଲ୍ମକୁ ମନୋନୀତ କରାଯିବ  ନେଇ ବିଚାର ବିମର୍ଶ ଚାଲିଥିଲା। ଏହି ଦୌଡ଼ରେ ଦ ସର୍ଜିକାଲ ଷ୍ଟ୍ରାଇକ, କେଶରୀ, ବଧାଇ ହୋ, ଆର୍ଟିକିଲ ୧୫ ଓ ଅନ୍ଧାଧୁନ ପରି ଫିଲ୍ମ ଉପରେ ବିଚାର କରାଯାଉଥିଲା। ଶେଷରେ ସର୍ବସମ୍ମତି କ୍ରମେ ଗଲି ବୟକୁ ଚୟନ କରାଯାଇଛି। ଗତ ବର୍ଷ ଭାରତ ପକ୍ଷରୁ  ‘ଭିଲେଜ ରକଷ୍ଟାର’କୁ ୯୧ତମ ଓସ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। 

ଗଲି ବୟକୁ ଦକ୍ଷିଣ କୋରିଆରେ ୨୩ତମ ବୁକିୟନ ଇଣ୍ଟରନ୍ୟାସନାଲ ଫାଣ୍ଟାଷ୍ଟିକ ଫିଲ୍ମ ଫେଷ୍ଟିଭାଲ(ବିଆଇଏଫଏଏନ)ରେ ନେଟଓ୍ଵର୍କ ଫର ଦ ପ୍ରମୋସନ ଅଫ ଏସିୟାନ ସିନେମା(ଏନଇଟିପିଏସି)ର ଆଓ୍ଵାର୍ଡ ଜିତିଥିଲା। ଉଲ୍ଲେଖଯୋଗ୍ୟ, ଜୋୟା ଅଖତରଙ୍କ ‘ଗଲି ବୟ’ ର ରିର୍ମାତ ହେଉଛନ୍ତି ରିତେଶ ସିଧଓ୍ଵାନୀ ଓ ଫରହାନ ଅଖତର। 

ଏହି ଫିଲ୍ମରେ ରଣବୀର ଜଣେ ଉଦୀୟମାନ ରାପର ଭୂମିକାରେ ଅଭିନୟ କରିଛନ୍ତି। ‘ଗଲି ବୟ’ ମୁରାଦ ନାମକ ଜଣେ ଯୁବକଙ୍କ କାହାଣୀ ଉପରେ ପର୍ୟ୍ୟଭବେସିତ। ଯିଏ ଜଣେ ରାପର ହେବାକୁ ସ୍ଵପ୍ନ ଦେଖୁଥିଲା। ଷ୍ଟ୍ରିଟ୍ ରାପିଂ ଜରିଆରେ ସେ ମ୍ୟୁଜିକ୍ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଥିଲା। ମାତ୍ର ଗରିବି ଓ ରକ୍ଷଣଶୀଳ ସମାଜ ତାର ସ୍ଵପ୍ନକୁ ବାସ୍ତବରେ ପରିଣତ କରିବାରେ  ବାଧା ସାଜିଥିଲା।