Home > ମନୋରଞ୍ଜନ
କେବିସିରେ ଛତ୍ରପତି ଶିବାଜୀଙ୍କୁ ଅସମ୍ମାନ ଘଟଣା, କ୍ଷମା ମାଗିଲା ସୋନି ଟିଭି
Khabar Odisha:entertainment-national-odisha-sony-tv-apology-on-kbc-chhatrapati-shivaji-maharaj-question
ନୂଆଦିଲ୍ଲୀ, ନଭେମ୍ଵର ୦୮ (ଖବର ଓଡିଶା) :

ସୋନି ଟିଭିର ବହୁ ଚର୍ଚ୍ଚିତ ରିୟାଲିଟି ସୋ କୌନ ବନେଗା କରୋଡପତିର ଏକ ଏପିସୋଡରେ ଛତ୍ରପତି ଶିବାଜୀଙ୍କୁ ଅସମ୍ମାନ କରାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ସୋସିଆଲ ମିଡିଆରେ ୟୁଜରମାନେ ବୟକଟ ସୋନି ଟିଭି ଟ୍ରେଣ୍ଡ୍ କରିଥିଲେ। କୋହ୍ଲାପୁରର ଶିବାଜୀ ପୁତଲା ଚୌକରେ ଶିବସେନା କାର୍ଯ୍ୟକର୍ତ୍ତାମାନେ ଏହାକୁ ବିରୋଧ ପ୍ରଦର୍ଶନ କରିଥିଲେ। ସୋସିଆଲ ମିଡିଆରେ ଏହି ହଙ୍ଗାମା ଛତ୍ରପତି ଶିବାଜୀ ମହାରାଜଙ୍କ ଉପରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ହୋଇଥିଲା। ତେବେ ସୋସିଆଲ ମିଡିଆରେ ଏହାକୁ ଘୋର ପ୍ରତିବାଦ କରାଯିବା ପରେ ସୋନି ଟିଭି କ୍ଷମା ମାଗିଛି। 

କ୍ଷମା ମାଗି ସୋନି ଟିଭି ଟ୍ଵିଟରରେ ଲେଖିଛି ଯେ, ଅସାବଧାନତା କାରଣରୁ ବୁଧବାର କେବିସିର ଏକ ଏପିସୋଡରେ ଛତ୍ରପତି ଶିବାଜୀ ମହାରାଜଙ୍କ ନାମ ଭୁଲ ଭାବରେ ଲେଖାଯାଇଥିଲା। ଏଥିପାଇଁ ଆମେ ପଶ୍ଚାତାପ କରୁଛୁ। ଦର୍ଶକଙ୍କ ଭାବନାକୁ ଦୃଷ୍ଟିରେ ରଖି ଗତ ଏପିସୋଡ ପାଇଁ ପଶ୍ଚାତାପ କରୁଛୁ। 

ଉଲ୍ଲେଖଯୋଗ୍ୟ, ଏହି ସୋରେ ଅମିତାଭ ପ୍ରଶ୍ନ କରିଥିଲେ ଯେ, ଏହି ମାନଙ୍କ ମଧ୍ୟରୁ କେଉଁ ଶାସକ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସମକାଳୀନ ଥିଲେ। ଏହାର ଅପ୍ସନ ଥିଲା ମହାରାଣା ପ୍ରତାପ, ରାଣା ସାଙ୍ଗା, ମହାରାଜା ରଞ୍ଜିତ ସିଂହ ଏବଂ ଶିବାଜୀ। ସୋରେ ଛତ୍ରପତି ଶିବାଜୀ ମହାରାଜାଙ୍କର ନାମ କେବଳ ଶେବାଜୀ ଲେଖାଯାଇଥିଲା। ଏହି କାରଣରୁ ଦର୍ଶକମାନେ ଅସନ୍ତୁଷ୍ଟ ହୋଇଥିଲେ। ଦର୍ଶକଙ୍କ କହିବା ଅନୁଯାୟୀ ଛତ୍ରପତି ଶିବାଜୀଙ୍କୁ ଏଭଳି ଶିବାଜୀ କହିବା ତାଙ୍କ ପ୍ରତି ଅସମ୍ମାନ। ଯାହା ଫଳରେ ଲୋକମାନେ ସୋସିଆଲ ମିଡିଆରେ ବୟକଟ କରିବା ଦାବି କରିଥିଲେ। ଏହା ସହ ସୋନି ଟିଭି କ୍ଷମା ମାଗୁ ବୋଲି ଦାବି କରିଥିଲେ। 

ଏନେଇ ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି ଯେ, ମୋଗଲ ଆକ୍ରମଣକାରୀଙ୍କୁ ସମ୍ରାଟ ଏବଂ ଶିବାଜୀ ମହାରାଜଙ୍କୁ କେବଳ ଶିବାଜୀ। ଏପରି କେମିତି? ଏହା ନିରାଶଜନକ, ଲାଜ ଲାଗିବା ଉଚିତ୍। ଅନ୍ୟ ଜଣେ ଲେଖିଛନ୍ତି ଯେ, କେବିସି କ୍ରୁର ଶାସକକୁ ସମ୍ରାଟ କହୁଛି କିନ୍ତୁ ଦେଶ ପାଇଁ ଲଢେଇ କରିଥିବା ଲୋକକୁ କେବଳ ଶିବାଜୀ। 

ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଆମକୁ ଏଭଳି କମ୍ପାନୀ ଆବଶ୍ୟକ ନାହିଁ ଯିଏ ଦେଶର ପ୍ରକୃତ ହିରୋଙ୍କୁ ସମ୍ମାନ ଦେଇ ପାରିବ ନାହିଁ। ଏଥିପାଇଁ ସୋନି ଟିଭିକୁ କ୍ଷମା ମାଗିବାକୁ ପଡିବ। ଶିବସେନାକୁ ଚ୍ୟାନେଲକୁ ନୋଟିସ ପଠାଇବା ଉଚିତ୍। ଭାରତ ହିନ୍ଦୁ ବାହାଦୂର ଏବଂ ଯୋଦ୍ଧାଙ୍କ ଭୂମି। ଏଭଳି ମହାନ ମହାରଥୀଙ୍କ ଅସମ୍ମାନ କରିବା କାହାର ଅଧିକାର ନାହିଁ।