Home > କୃଷକ ଓ ଶ୍ରମିକ
ଧାନ କିଣାରେ ଅନିୟମିତତା ହୋଇଥିଲେ ରାଜନୀତି ଛାଡ଼ିବେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ବିଜେପି କହିଲା ଗାଲୁଆଙ୍କ ବାରବାଟୀ ଚାଷ
Khabar Odisha:Politics-farmer-odisha-rice-mandi-irregularity
ଭୁବନେଶ୍ୱର, ଜାନୁଆରୀ ୧୧(ଖବର ଓଡିଶା):

ଚାଷୀଙ୍କ ପାଇଁ ମଣ୍ଡି ଖୋଲୁ ନ ଥିବା ଏବଂ କମ୍‌ ମୂଲ୍ୟରେ ଧାନ ବକ୍ରି ହେଉଥିବା ବିରୋଧୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟ ସମବାୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିରୋଧୀଙ୍କୁ ଦୃଢ଼ୋକ୍ତିରେ ଚ୍ୟାଲେଞ୍ଜ ଦେଇ କହିଛନ୍ତି ଯଦି ନିର୍ଦ୍ଧାରିତ ମୂଲ୍ୟରୁ ଧାନ ବିକ୍ରି ହେଉଥିବା ପ୍ରମାଣିତ ହୁଏ, ତେବେ ସେ ରାଜନୀତି ଛାଡ଼ି ଦେବେ । ସେହିପରି ରାଜ୍ୟରେ ଗତ ବର୍ଷ ତୁଳନାରେ ଅଧିକ ଧାନ ସଂଗ୍ରହ ହୋଇଥିବା ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ଧାନ କିଣାରେ ଅନିୟମିତତା ହେଉଥିବା ଅଭିଯୋଗରେ ବିଜେପି ଦୁଇ ଦିନ ତଳେ ସଚିବାଳୟ ଘେରାଉ କରିଥିଲା । ନିର୍ଦ୍ଧାରିତ ମୂଲ୍ୟ ୧୭୫୦ ଟଙ୍କାରୁ କମ୍‌ ମୂଲ୍ୟରେ ଚାଷୀ ମିଲରକୁ ଧାନ ବିକୁଥିବା ଅଭିଯୋଗ କରୁଥିଲା । ଯାହାକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମୁହଁ ଖୋଲିଛନ୍ତି ବିଭାଗୀୟ ମନ୍ତ୍ରୀ । ସେ କହିଛନ୍ତି ବିରୋଧୀଙ୍କ ପାଖରେ ତଥ୍ୟ ନ ଥାଇ ଅଯଥା ଅଭିଯୋଗ କରୁଛନ୍ତି । ଯଦି ୧୭୫୦ ଟଙ୍କାରୁ କମ୍‌ ମୂଲ୍ୟ ଧାନ ବିକ୍ରି ହୋଇଥାଏ ବିରୋଧୀ ବ୍ୟାଙ୍କ୍‌ ଆକାଉଣ୍ଟ ତଥ୍ୟ ଦେଇ ପ୍ରମାଣିତ କରନ୍ତି ତେବେ ମୁଁ ରାଜନୀତିରୁ ବିଦାୟ ନେଇଯିବି । ତେବେ ଚଳିତ ବର୍ଷ ଧାନ ସଂଗ୍ରହ ବୃଦ୍ଧି ପାଇଛି । ଏ ଯାଏଁ ମୋଟ ୨୧ ଲକ୍ଷ ୬୧ ହଜାର ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇଛି । ଯାହାକି ଗତ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ । ସେହିପରି ଗତ ଖରିଫ ଋତୁରେ ୧୧ ଲକ୍ଷ ୨୧ ହଜାର ଚାଷୀ ପଞ୍ଜିକରଣ କରିଥିବାବେଳେ ଏଥର ୧୨ ଲକ୍ଷ ୬୦ ହଜାର ଚାଷୀ ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଜରିଆରେ ପଞ୍ଜିକରଣ କରିଛନ୍ତି । ଏହା ସହିତ ମଣ୍ଡି ସଂଖ୍ୟା ମଧ୍ୟ ୨୯୨୯ରୁ ୩୦୧୩କୁ ବୃଦ୍ଧି ପାଇଛି । 

ମନ୍ତ୍ରୀଙ୍କ ଉତ୍ତର ‘ଗାଲୁଆଙ୍କ ବାରବାଟୀ’ ଚାଷ ବୋଲି କହିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି । ଦଳର ପ୍ରତିନିଧି ମନ୍ତ୍ରୀଙ୍କ ଘରକୁ ଯାଇ ପ୍ରମାଣ ଦେଖାଇଥିଲେ । ସୂର୍ଯ୍ୟ ପାତ୍ରଙ୍କ ଉତ୍ତର ଚାଷୀଙ୍କ କଟା ଘା’ରେ ଚୂନ ବୋଲି ଶ୍ରୀ ମହାନ୍ତି ପ୍ରତିକ୍ରିୟ ରଖିଛନ୍ତି ।