Home > କୃଷକ ଓ ଶ୍ରମିକ
ଫସଲ ହାନି ନେଲା ପୁଣି ଜଣେ ଚାଷୀର ଜୀବନ
Khabar Odisha:again-a-farmer-commits-suicide-in-kalupada-of-Baliguda
କନ୍ଧମାଳ, ଅଗଷ୍ଟ ୨୪ (ଖବର ଓଡ଼ିଶା):

ଲଗାଣ ବର୍ଷା ଓ ଫସଲ ହାନି ପୁଣି ଜଣେ ଚାଷୀର ଜୀବନ ନେଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନାର କଲୁପଡ଼ାରେ ଜଣେ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି । ସେ ହେଲେ ଗୋବର୍ଦ୍ଧନ ମଳିକ । ଅତ୍ୟଧିକ ଋଣ ପାଇଁ ସେ ଆତ୍ମହତ୍ୟା କରିଛି ବୋଲି ତାଙ୍କ ବାପା ଗାଡି ମଳିକ ଅଭିଯୋଗ କରିଛନ୍ତି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୋବର୍ଦ୍ଧନ ଚଳିତ ବର୍ଷ 3 ଏକର ଜମିରେ ଚାଷ କରିଥିଲେ । ଲଗାଣ ବର୍ଷାରେ ଫସଲ ଉଜୁଡ଼ି ଯାଇଥିଲା । ବଞ୍ଚି ରହିଥିବା କିଛି ଫସଲରେ ପୋକ ଲାଗି ଯାଇଥିଲା । ଏଥିପାଇଁ ସେ ଚିନ୍ତାଗ୍ରସ୍ତ ଥିଲେ । ତେବେ ଗତ ମଙ୍ଗଳବାର ଦିନ ବିଲରେ କୀଟନାଶକ ସିଞ୍ଚନ କରିବା ସମୟରେ ନିଜେ କୀଟନାଶକ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଗୁଡ଼ା ମେଡ଼ିକାଲ ଓ ପରେ କନ୍ଧମାଳ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ପ୍ରାଣ ହରାଇଛନ୍ତି ।

ଫସଲ ହାନି ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି । ଘର ଏକ ମାତ୍ର ରୋଜଗାରିଆ ପୁଅର ମୃତ୍ୟୁ ପରେ ବୁଢ଼ା ବାପା ମା’ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖବର ଲେଖା ହେବା ବେଳକୁ କୌଣସି ତଦନ୍ତ ଆରମ୍ଭ ହୋଇ ନ ଥିଲା । 

  • Tags: