Home > କୃଷକ ଓ ଶ୍ରମିକ
କୋରାପୁଟରେ ମଣ୍ଡିରେ ଅଚଳାବସ୍ଥା: ଚିନ୍ତାରେ ଚାଷୀ, ଜୟପୁରରେ କଂଗ୍ରେସର ଚକା ଜାମ୍‌ ଆନ୍ଦୋଳନ
Khabar Odisha:farmers--in-sress-protest-by-congress-party
କୋରାପୁଟ, ଡିସେମ୍ବର ୧୩ (ଖବର ଓଡିଶା):

 କୋରାପୁଟରେ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ । ରାତି ଅନିଦ୍ରା ହୋଇ ଅମଳ ଧାନକୁ ଜଗି ରହିଛି ଚାଷୀ । କିନ୍ତୁ ମିଲର୍‌ଙ୍କ ଦେଖା ନାହିଁ । ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀକୂଳ । ଧାନର ଏଫ୍‌ଏକ୍ୟୁ ମାନର ଆଳ ଦେଖାଇ ଧାନ କିଣୁ ନାହାଁନ୍ତି ମିଲର୍‌ । ଯେଉଁଥିପାଇଁ ଚାଷୀ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ । ସେଥିପାଇଁ ଆଜି ବୋରିଗୁମ୍ମାରେ ୧୭ଟି ପଞ୍ଚାୟତର ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନ୍ୟପକ୍ଷରେ ଧାନ କିଣାରେ ଅନିୟମିତତା ଅଭିଯୋଗରେ କଂଗ୍ରେସ ଜୟପୁରରେ ୫ ଘଣ୍ଟିଆ ଚକା ଜାମ୍‌ କରିଛି ।

ଧାନର ଏଫ୍‌ଏକ୍ୟୁ ମାନକୁ ଗ୍ରହଣ କରୁ ନାହାଁନ୍ତି ମିଲର୍‌ । ଯଦି ଧାନ କିଣିବେ ତାହା ହେଲେ କାଟ୍‌ ଝାଟ୍‌ କରିବାକୁ କହୁଛନ୍ତି । ଯାହାକୁ ଚାଷୀ ତୀବ୍ର ବିରୋଧ କରୁଛନ୍ତି । ଫଳରେ ଖରିଫ ଧାନ କିଣାରେ ବିଳମ୍ବ ହୋଇଛି । ଯାହାକୁ ନେଇ ଏହାକୁ ବିରୋଧ କରି ବିଷମପୁର, କୋମଲୀ, କାମତା, କାଠରଗଡ଼ା, ନାରୀଗାଁ ଓ ତାରକଟା ଆଦି ପଂଚାୟତରେ ଚାଷୀ ଆନ୍ଦୋଳନ କରାଯାଇଛି ।

ଖରିଫ୍ ଧାନ କିଣାରେ ଅନିୟମିତତା ହେଉଥିବା କଂଗ୍ରେସ ଅଭିଯୋଗ କରିଛି । ଚାଷୀମାନେ ଧାନର ଠିକ୍ ମୂଲ୍ୟ ପାଇ ପାରୁନାହାନ୍ତି । ସରକାରୀ ନିର୍ଦ୍ଧାରିତ ଦରଠାରୁ କମ୍ ମୂଲ୍ୟରେ ବିକି ବାକୁ ବାଧ୍ୟ ହୋଇଛନ୍ତି  । ଚାଷୀମାନେ ଅମଳ ଫସଲକୁ ଧରି ମଣ୍ଡିକୁ ଆସି ହତାସ ହେଉଛନ୍ତି । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡି ଅଚଳାବସ୍ଥାରେ ସୃଷ୍ଟି ହୋଇଛି । ଏହାକୁ କେନ୍ଦ୍ରକରି କଂଗ୍ରେସ ଜାତୀୟ ରାଜପଥକୁ ୫ ଘଣ୍ଟା ଚକା ଜାମ୍‌ କରିଛି । କର୍ମୀମାନେ ଜାତୀୟ ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଫଳରେ ୧୭ଟି ପଂଚାୟତ ସହିତ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଏହାଦ୍ୱାରା ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ସ୍ଥାନୀୟ ଲୋକେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।