Home > କୃଷକ ଓ ଶ୍ରମିକ
ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଜିଦରେ ଅଟଳ ଚାଷୀ, ରାଜରାସ୍ତାରେ ଧାନ ବସ୍ତା ରଖି ପ୍ରତିବାଦ
Khabar Odisha:state-odisha-Farmers-Victim-Of-Govts-Faulty-Paddy-Procurement-System
ବରଗଡ, ନଭେମ୍ଵର ୨୧ (ଖବର ଓଡିଶା) :

 ଖରିଫ୍ ଧାନ ସଂଗ୍ରହରେ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆଜି ଗୋଡଭଗା ଛକରେ ରାସ୍ତାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଫଳରେ ବରଗଡ-ସମ୍ଵଲପୁର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହୋଇଯାଇଛି। ଶହ ଶହ ସଂଖ୍ୟାରେ ଚାଷୀ ଏକଜୁଟ ହୋଇଛନ୍ତି। ଡିଆଇଜି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ପରେ ଚାଷୀମାନେ ଆନ୍ଦୋଳନ କରିଛନ୍ତି।

ସୂଚନାନୁଯାୟୀ, ଗତକାଲି ବିଳମ୍ଵିତ ରାତ୍ରୀରେ ଅତାବିରାରେ ଚାଷୀଙ୍କ ସହ ଡିଆଇଜିଙ୍କ ବୈଠକ ବସିଥିଲା। ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ସହ ଚାଷୀ ଆଲୋଚନା କରିଥିଲେ। କିନ୍ତୁ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲେ। ସେହି ସମୟରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡିଆଇଜିଙ୍କ ଅନୁରୋଧକୁ ଚାଷୀମାନେ ପ୍ରତ୍ୟାଖାନ କରିଦେଇଥିଲେ। ପୂର୍ବରୁ ମଧ୍ୟ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ବିଫଳ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଚାଷୀମାନେ ଟୋକନ ବ୍ୟବସ୍ଥାକୁ ବିରୋଧ କରିବାକୁ ଯାଇ ସ୍ଥାନୀୟ ୪ ଜଣ ବିଧାୟକ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଘର ସମ୍ମୁଖରେ ଧାନବସ୍ତା ଗଦାଇ ଥିଲେ। 

ଅପର ପକ୍ଷରେ ଦେଖିବାକୁ ଗଲେ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ଅଛନ୍ତି। ଚାଷୀଙ୍କ ସୁବିଧା ପାଇଁ ଟୋକନ ବ୍ୟବସ୍ଥା କରାଯାଇଥିବା ସରକାର କହୁଥିବା ବେଳେ ଚାଷୀଙ୍କୁ ହଇରାଣ କରିବାକୁ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି। କେତେକ ଚାଷୀଙ୍କ କହିବା ଅନୁଯାୟୀ, ଯଦି ଚାଷୀଙ୍କ ସୁବିଧା ପାଇଁ ସରକାର ଚିନ୍ତିତ ତେବେ ଦର ବୃଦ୍ଧି କରାଯାଉ। ଟୋକନ ବ୍ୟବସ୍ଥା ନଥିବା ସମୟରେ ଚାଷୀ ନିଜ ସୁବିଧା ମୁତାବକ ମଣ୍ଡିରେ ଧାନ ଦେଇ ପାରୁଥିଲା। କିନ୍ତୁ ଏବେ ଟୋକନ ବ୍ୟବସ୍ଥା କରି ମଣ୍ଡିରେ ଧାନ ଦେବାକୁ ନିର୍ଦ୍ଧିଷ୍ଟ ଦିନ ଧାର‌୍ୟ୍ୟ କରାଯାଇଥିବାରୁ ଚାଷୀ ଚାପରେ ରହିବେ। ଏପରିକି ଟୋକନ ବ୍ୟବସ୍ଥାରେ ମଧ୍ୟ ଅନିୟମିତତା ଦେଖାଯାାଉଛି। ଧାନ ଅମଳ କରି ସାରିଥିବା ଚାଷୀଙ୍କ ଟୋକନ ଆସି ନଥିବା ବେଳେ ଅମଳ ହୋଇନଥିବା ଚାଷୀଙ୍କ  ଟୋକନ ଆସି ସାରିଲାଣି। ଏହାଦ୍ଵାରା ଚାଷୀ ହତାଶ ହେଉଛନ୍ତି। ତେଣୁ ଖୁବ୍ ଶୀଘ୍ର ଟୋକନ ବ୍ୟବସ୍ଥା ପ୍ରତ୍ୟାହାର କରାଯାଉ ନଚେତ୍ ଆନ୍ଦୋଳନ ତୀବ୍ର ହେବ ବୋଲି ଚାଷୀମାନେ ଦୃଢ ଚେତାବନୀ ଦେଇଛନ୍ତି।