Home > ସ୍ୱାସ୍ଥ୍ୟ
ଭାରତୀୟମାନେ ରାତିରେ ଅଧିକ ଶୋଇଥାନ୍ତି: ସର୍ଭେ
Khabar Odisha:Health-sleep-International-survey-showed-that-Indian-leads-in-getting-good-sleep-at-night

ନୂଆଦିଲ୍ଲୀ, ଅଗଷ୍ଟ ୧୯ (ଖବର ଓଡ଼ିଶା): ରାତିରେ ଅଧିକ ଶୋଇବା ମାମଲାରେ ଭାରତୀୟମାନେ ଅନ୍ୟଦେଶଗୁଡ଼ିକର ତୁଳନାରେ ସବୁଠାରୁ ଆଗରେ । ଭାରତ ପରେ ତାଲିକାର ୨ୟ ସ୍ଥାନର ସାଉଦୀ ଆରବ ଥିବା ବେଳେ ଚୀନକୁ ତୃତୀୟ ସ୍ଥାନ ମିଳିଛି । ଏକ ସର୍ଭେକୁ ନେଇ ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଫିଲିପାଇନ୍ସର ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ ଫର୍ମ କେଜେଟି ଗୃପ ୧୨ଟି ଦେଶର ୧୮ ବର୍ଷ ବୟସରୁ ଅଧିକ ବୟସ୍କ ୧୧ ହଜାର ୬ ଜଣଙ୍କୁ ନେଇ ଏହି ସର୍ଭେ ପ୍ରସ୍ତୁତ କରିଛି । 

ସର୍ଭେ ରିପୋର୍ଟ ଅନୁସାରେ ବିଶ୍ୱର ୬୨ ପ୍ରତିଶତ ବୟସ୍କ ବ୍ୟକ୍ତି ସ୍ୱୀକାର କରିଛନ୍ତି ଯେ, ସେମାନେ ରାତିରେ ଭଲ ଭାବରେ ଶୋଇପାରୁଛନ୍ତି । ଦକ୍ଷିଣ କୋରିଆ ଓ ଜାପାନରେ ବହୁ ପରିମାଣରେ ଲୋକଙ୍କୁ ଅନିଦ୍ରା ରିହବାକୁ ପଡୁଛି । ଏହି ୨ ଦେଶରେ ଲୋକେ ଅନ୍ୟ ଦେଶର ନାଗରିକଙ୍କ ତୁଳନାରେ ଅଧିକ ଶୋଇପାରୁ ନାହାନ୍ତି । ବିଶ୍ୱର ବୟସ୍କ ବ୍ୟକ୍ତିମାନେ ସପ୍ତାହ ମଧ୍ୟରେ ରାତିରେ ହାରାହାରି ୬.୮ ଘଣ୍ଟା ଶୋଇଥାନ୍ତି । ସେମାନେ ଛୁଟି ଦିନରେ ୭.୮ ଘଣ୍ଟା ଶୋଇଥାନ୍ତି । 

ଦଶ ଜଣଙ୍କ ମଧ୍ୟରୁ ୪ ଜଣ ଲୋକଙ୍କର କହିବା ଅନୁସାରେ ବିଗତ ୫ ବର୍ଷ ମଧ୍ୟରେ ସେମାନଙ୍କ ନିଦ୍ରାଗତ ସମସ୍ୟା ଦେଖାଯାଇଛି । ମାତ୍ର ୨୬ ପ୍ରତିଶତ ଲୋକ କୁହନ୍ତି, ସେମାନଙ୍କର ନିଦ ଭଲ ହୋଇଛି । ଅପରପକ୍ଷେ ୩୧ ପ୍ରତିଶତ ଲୋକଙ୍କ ମତ ଯେ, ସେମାନଙ୍କର ଶୋଇବା ଅଭ୍ୟାସରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, କାନାଡା (୬୩ ପ୍ରତିଶତ) ଓ ସିଙ୍ଗାପୁର (୬୧ ପ୍ରତିଶତ)ରେ ଲୋକଙ୍କର ଶୋଇବା ସମସ୍ୟା ଦେଖାଯାଇଛି । ନୀଦକୁ ପ୍ରଭାବିତ କରିବାରେ ଜୀବନଶୈଳୀର ମଧ୍ୟ ବଡ଼ ଭୂମିକା ରହିଛି । 

ନିଦ ପ୍ରଭାବିତ ହେବାର ୫ଟି ମୁଖ୍ୟ କାରଣ:

ନିଦ ପ୍ରଭାବିତ ହେବାର ୫ଟି ମୁଖ୍ୟ କାରଣ ରହିଛି । ଚିନ୍ତା/ଚାପଗ୍ରସ୍ତ (୫୪ ପ୍ରତିଶତ), ପରିବେଶ (୪୦ ପ୍ରତିଶତ), କାମ ଓ ବିଦ୍ୟାଳୟ କାମ(୩୭ ପ୍ରତିଶତ), ମନୋରଞ୍ଜନ (୩୭ ପ୍ରତିଶତ) ଏବଂ ସ୍ୱାସ୍ଥ୍ୟଗତ କାରଣ (୩୨ ପ୍ରତିଶତ) । ଜଣେ ବ୍ୟକ୍ତି ସୁସ୍ଥ ରହିବାକୁ ହେଲେ ନିଦର ବଡ଼ ଭୂମିକା ରହିଛି ବୋଲି ସର୍ଭେରେ ମତ ପ୍ରକାଶ ପାଇଛି । 

    

 

  • Tags: