Home > ଅନ୍ତରାଷ୍ଟ୍ରୀୟ
କୋଭିଡ-୧୯: ଦିନକରେ ୨୭୮୯ ଜଣଙ୍କ ମୃତ୍ୟୁ, ଇଟାଲୀରେ ୨୪ ଘଣ୍ଟାରେ ୭୧୨ ମୃତ
Khabar Odisha:International-Coronavirus-death-toll-rease-24071-worldwide-Italy-records-712-during-one

ନୂଆଦିଲ୍ଲୀ, ମାର୍ଚ୍ଚ ୨୭ (ଖବର ଓଡ଼ିଶା): କରୋନା ଭାଇରସ ମୁକାବିଲା ପାଇଁ ସମଗ୍ର ବିଶ୍ୱ ଲଢ଼େଇ କରୁଛି । ବୈଜ୍ଞାନିକମାନେ ନିଜର ଗବେଷଣାରେ ଦିନରାତି ଲାଗିଛନ୍ତି । କିନ୍ତୁ ଔଷଧ ବାହାରି ପାରୁ ନାହିଁ । ସେମାନେ କେବେ ସଫଳ ହେବେ ତାହା ମଧ୍ୟ କହିହେବ ନାହିଁ । ଏହାରି ମଧ୍ୟରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ଅଧିକ ବଢ଼ିବାରେ ଲାଗିଛି । ଏହା ନିୟନ୍ତ୍ରଣକୁ ଆସୁ ନାହିଁ । କୋଭିଡ-୧୯ ଭାଇରସରେ ସମଗ୍ର ବିଶ୍ୱରେ ଗୋଟିଏ ଦିନରେ ୨୭୮୯ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଇଟାଲୀରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୭୧୨ ଜଣ ଲୋକ ଜୀବନ ହରାଇଛନ୍ତି । 

ପୂରା ବିଶ୍ୱରେ ଭାଇରସ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୧ ହଜାର ୭୯୯ ହୋଇଥିବା ବେଳେ ୨୪ ହଜାର ୭୧ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୧ ଲକ୍ଷ ୨୩ ହଜାର ୯୯୪ ଜଣ ରୋଗୀ ଭଲ ହୋଇପାରିଛନ୍ତି । ସେହିଭଳି ୩ ଲକ୍ଷ ୮୩ ହଜାର ୭୮୬ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ଏଥିରୁ ୧୯ ହଜାର ୩୫୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି । 

ଆମେରିକାରେ ଏବେ ସର୍ବାଧିକ ୮୫ ହଜାର ୩୭୭ ଜଣ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଦେଶରେ ମୋଟ ୧୨୯୫ ଜଣଙ୍କ ମୃତ୍ୟୁ ହୋଇଛି । ଚୀନରେ ୮୧ ହଜାର ୩୪୦ ଜଣ ସଂକ୍ରମିତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨୯୨ରେ ପହଞ୍ଚିଛି । ସେହିପରି ଇଟାଲୀରେ ମୃତ୍ୟୁ ସଂଖ୍ୟା ୮୨୧୫ରେ ପହଞ୍ଚିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୮୦ ହଜାର ୫୮୯ ଜଣ । ସ୍ପେନରେ ୫୭ ହଜାର ୭୮୬ ଜଣ ଆକ୍ରାନ୍ତ ଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୪୩୬୫ । ଇରାନରେ ମୃତକଙ୍କ ସଂଖ୍ୟ ୨୨୩୪ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୪୦୬ । ସେହିପରି ଫ୍ରାନ୍ସରେ ମୃତକଙ୍କ ସଂଖ୍ୟା ୧୬୯୬ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ହଜାର ୧୫୫ ଜଣ । ଜର୍ମାନୀରେ ଯଦିଓ ମୃତ୍ୟୁ ସଂଖ୍ୟା ମାତ୍ର ୨୬୭ ଜଣ, ତଥାପି ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୩ ହଜାର ୯୩୮ରେ ପହଞ୍ଚିଛି । 

ଭାଇରସରେ ଗୁରୁବାର ଦେଶବ୍ୟାପି ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଭାରତ ପାଇଁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ଭାରତରେ ଗୁରୁବାର ସକାଳ ୭ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭ ହୋଇଛି । ରିପୋର୍ଟ ଅନୁସାରେ ୭୧ ଜଣ ନୂଆଁ ରୋଗୀ ଚିହ୍ନଟ ହୋଇଛନ୍ତି ।     

 

  • Tags: