Home > ଅନ୍ତରାଷ୍ଟ୍ରୀୟ
ପୃଥିବୀର ବାୟୁମଣ୍ଡଳକୁ ଫେରିବ ଚୀନର ଅନ୍ତରିକ୍ଷ ପରୀକ୍ଷାଗାର, କରିପାରେ ବଡଧରଣର କ୍ଷତି
Khabar Odisha:International-Odisha-china-space-laboratory-will-re-enter-earths-atmosphere-fear-of-damage-to-earth
ନୂଆଦିଲ୍ଲୀ, ଜୁଲାଇ ୧୯(ଖବର ଓଡିଶା):

ଅନ୍ତରିକ୍ଷରେ ଉପସ୍ଥିତ ଥିବା ଚୀନର ପ୍ରାୟୋଗିତ ପରୀକ୍ଷାଗାର ତିୟାନଗୋଂଗ-୨ ପୃଥିବୀ ପାଇଁ ବଡ ବିପଦ ସାଜିଛି । ତିୟାନଗୋଂଗ-୨ ନିଜ କକ୍ଷରୁ ବାହାରି ପୃଥିବୀର ବାୟୁମଣ୍ଡଳରେ ପୁଣିଥରେ ପ୍ରବେଶ କରିବାକୁ ଯାଉଛି । ଚୀନର ଅନ୍ତରିକ୍ଷ ଏଜେନ୍ସିର ଦାବି ଅନୁଯାୟୀ ଏଥିରେ ପୃଥିବୀକୁ କୌଣସି ପ୍ରକାରର ବିପଦ ନାହିଁ । ଏହାର ଅଧିକାଂଶ ଅଂଶ ପୃଥିବୀର ବାତାବରଣ ମଧ୍ୟରେ ପ୍ରବେଶ କରିବା ସମୟରେ ଜଳିଯିବ । ବଳକା ଅଂଶ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପଡିବ ।

ତିୟାନଗୋଂଗ-୨କୁ ଦୁଇ ବର୍ଷର ମିଶନରେ ସେପ୍ଟେମ୍ୱର ୧୫, ୨୦୧୬ରେ ଲଞ୍ଚ କରିଥିଲା ଚୀନ । ୮.୬ ଟନ୍ ଓଜନ ଏବଂ ୧୦.୪ ମିଟର ଲମ୍ୱର ଏହି ପ୍ରୟୋଗଶାଳାରେ ବିଜ୍ଞାନ ଏବଂ ଟେକନୋଲୋଜି ସହିତ ଜଡିତ ଅନେକ ପ୍ରୟୋଗ କରାଯାଇଛି । ଏହି ଲ୍ୟାବରେ କୌଣସି ଯାନରେ ଦ୍ୱିତୀୟଥର ପାଇଁ ଇନ୍ଧନ ଭରିବାର ଟେକନିକ ମଧ୍ୟ ପରୀକ୍ଷଣ କରାଯାଇଥିଲା ।  ଚୀନର ଅନ୍ତରିକ୍ଷ ଏଜେନ୍ସି ସିଏମଏସଇଓ ଶୁକ୍ରବାର ଦିନ କହିଥିଲା ଯେ, ଲ୍ୟାବ ଏବଂ ସେଥିରେ ଲାଗିଥିବା ଉପକରଣ ଏବେ ବି ସମ୍ପୂର୍ଣ୍ଣ ଭାବେ କ୍ରିୟାଶୀଳ । 

ଗତବର୍ଷ ଏପ୍ରିଲରେ ତିୟାନଗୋଂଗ-୧ ଲ୍ୟାବ ମଧ୍ୟ ଏଭଳି ଭାବେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ପଡିଥିଲା । କିନ୍ତୁ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ବୈଜ୍ଞାନିକମାନେ ତା ଉପରେ ନିୟନ୍ତ୍ରଣ ହରାଇଥିଲେ । ତିୟାନଗୋଂଗ-୧ ଏବଂ ତିୟାନଗୋଂଗ-୨ ଚୀନର ସେହି ମହତ୍ତ୍ୱକାଂକ୍ଷି ପରିଯୋଜନାର ଅଂଶ ବିଶେଷ ଯାହା ମାଧ୍ୟମରେ ୨୦୨୨ ଭିତରେ ପୃଥିବୀର ବାହ୍ୟ କକ୍ଷରେ ସ୍ଥାୟୀ ପ୍ରୟୋଗଶାଳା ସ୍ଥାପନ କରିବାକୁ ଚାହୁଁଛି ଚୀନ ।