Home > ଅନ୍ତରାଷ୍ଟ୍ରୀୟ
ଇଣ୍ଡୋନେସିଆରେ ୭.୨ ତୀବ୍ରତାର ଭୂକମ୍ପ, ଉପକୂଳ ଠାରୁ ଦୂରରେ ରହିବାକୁ ଚେତାବନୀ ଜାରି
Khabar Odisha:Nation-Strong-71-earthquake-off-Indonesia-warning-to-stay-away-from-beaches

ଜାକର୍ତ୍ତା, ନଭେମ୍ବର ୧୫ (ଖବର ଓଡ଼ିଶା): ଇଣ୍ଡୋନେସିଆର ଉତ୍ତର ମାଲୁକୁ ଉପକୂଳ ନିକଟରେ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ମାତ୍ର ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହା ସୁନାମୀ ପାଇଁ ବିପଦ ନୁହେଁ । ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରର ୪୫ କିଲୋମିଟର ଗଭୀରରେ ହୋଇଛି ଏବଂ ଉପକୂଳ ସହରଠାରୁ ୧୪୦ କିଲୋମିଟର ଦୂରରେ ଥିଲା । ଆମେରିକା ସୁନାମୀ ଚେତାବନୀ କେନ୍ଦ୍ର ଅନୁସାରେ ଏହି ଭୂକମ୍ପରେ ବିନାଶକାରୀ ସୁନାମୀ ବିପଦ ସୃଷ୍ଟି ହେବ ନାହିଁ । 

ଇଣ୍ଡୋନେସିଆର ପାଣିପାଗ ଓ ଜଳବାୟୁ ସଂସ୍ଥା ଲୋକଙ୍କୁ ସାବଧାନ ରହିବା ପାଇଁ ଚେତାବନୀ  ଜାରି କରିଛି । ଉପକୂଳ ଅଂଚଳରେ ଗୁରୁବାରରାତି ୧ଟାରେ (ଭାରତୀୟ ସମୟ ୧୧ଟା ୩୦)ରେ ଭୂକମ୍ପ ସୃଷ୍ଟି ହୋଇଥିଲା । ଲୋକେ ଭୟଭୀତ ହୋଇ ନିଜନିଜ ଘରୁ ପଳାୟନ କରିଥିଲେ । ସୂଚନାଯୋଗ୍ୟ ଇଣ୍ଡୋନେସିଆରେ ଜ୍ୱାଳାମୁଖୀ ବିସ୍ଫୋରଣ ଓ ଟ୍ୟାକ୍ଟୋନିକ ପ୍ଲେଟ ଧକ୍କା ହେବା ଫଳରେ ଅନେକ ସମୟରେ ଭୂକମ୍ପ ଦେଖାଯାଇଥାଏ । 

ଏହା ପୂର୍ବରୁ ସେପ୍ଟେମ୍ବରରେ ୭.୫ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଥିଲା ଏବଂ ଏହା ପରେ ପାଲୁ ଓ ସୁଲାବେସି ଦୀପରେ ୨ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ୧୦୦୦ ଲୋକ ନିଖୋଜ ହୋଇଥିଲେ । ବର୍ଷ ୨୦୦୪ ଡିସେମ୍ବର ୨୬ରେ ୯.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପରେ ସୁନାମୀ ଯୋଗୁଁ ୧ ଲକ୍ଷ ୭୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । 

ସେହିପରି ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର-ଶୁକ୍ରବାର ରାତି ୧୨ଟା ୧ ମିନିଟରେ ନିକୋବର ଦୀପରେ ୫.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । 

   

 

  • Tags: