Home > ଅନ୍ତରାଷ୍ଟ୍ରୀୟ
କୁଲଭୂଷଣ ଯାଧବ ମାମଲାରେ ଆଇସିଜେ ପାକିସ୍ତାନକୁ ଏକ କି ଦୁଇ ନୁହେଁ, ଦେଲା ପୂରା ତିନି ଝଟକା
Khabar Odisha:National-odisha-international-court-of-justice-judgement-on-kulbhushan-jadhav-pakistan-india
ନୂଆଦିଲ୍ଲୀ,ଜୁଲାଇ୧୭(ଖବର ଓଡ଼ିଶା):

ଅନ୍ତରାଷ୍ଟ୍ରୀୟ କୋର୍ଟ(ଆଇସିଜେ) ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୂଷଣ ଯାଧବଙ୍କ ମାମଲା ଉପରେ ରାୟ ଶୁଣାଇଛି। ଆଇସିଜେ କୁଲଭୂଷଣଙ୍କ ଫାଶୀ ଉପରେ ରୋକ୍ ଲଗାଇ ପାକିସ୍ତାନକୁ ଏହି ମାମଲାରେ ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ବ୍ୟତୀତ ଅନ୍ତରାଷ୍ଟ୍ରୀୟ କୋର୍ଟ ପାକିସ୍ତାନ ଭିଏନା ଚୁକ୍ତିନାମାର ଉଲ୍ଲଙ୍ଘନ କରିଥିବା କହିଛି।

କୁଲଭୂଷଣ ଯାଧବଙ୍କୁ ହେବ ନାହିଁ ଫାଶି

କୁଲଭୂଷଣ ଯାଧବ ବର୍ତ୍ତମାନ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି। ଯାଧବଙ୍କୁ ପାକିସ୍ତାନର ସୈନ୍ୟ ଅଦାଲତ ଫାଶି ଦଣ୍ଡାଦେଶ ଶୁଣାଇଛି। ଏହା ବିରୋଧରେ ଭାରତ ୨୦୧୭ ମେରେ ଆଇସିଜେର ଦ୍ଵାରସ୍ଥ ହୋଇଥିଲା। ବର୍ତ୍ତମାନ ଆଇସିଜେ କୁଲଭୂଷଣ ଯାଧବଙ୍କ ଉପରେ ନିଷ୍ପତ୍ତି ଶୁଣାଇ ଫାଶି ଦଣ୍ଡ ଉପରେ ରହିତାଦେଶ ଜାରି କରିଛନ୍ତି। ଏହା ସହିତ ପାକିସ୍ତାନକୁ ପୁନଃବିଚାର କରିବାକୁ କହିଛନ୍ତି। ଏବେ ପାକିସ୍ତାନ କୁଲଭୂଷଣଙ୍କୁ ଫାଶି ଦେଇ ପାରିବ ନାହିଁ। ଅନ୍ତରାଷ୍ଟ୍ରୀୟ କୋର୍ଟର ମୋଟ୍ ୧୬ ଜଜଙ୍କ ମଧ୍ୟରୁ ୧୫ ଜଣ ଭାରତ ପକ୍ଷରେ ନିଷ୍ପତ୍ତି ଦେଇଛନ୍ତି। ମାତ୍ର ଜଣେ ଜଜ ପାକିସ୍ତାନ ସପକ୍ଷରେ ରହିଥିଲେ। ଏବେ ଏହି ମାମଲାର ପୁନର୍ବାର ଶୁଣାଣି ହେବ।

ଆଇନଗତ ସହାୟତା ଦିଆଯିବ

ଅନ୍ତରାଷ୍ଟ୍ରୀୟ କୋର୍ଟ କୁଲଭଷୂଣ ଯାଧବଙ୍କୁ ଆଇନଗତ ପକ୍ଷ ରଖିବାକୁ ସୁଯୋଗ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ କୁଲଭୂଷଣ ଯାଧବଙ୍କୁ ଆଇନଗତ ପକ୍ଷ ରଖିବାକୁ ସୁଯୋଗ ଦେଇନଥିଲା। ଆଇନଗତ ସହାୟତାରେ ବିଦେଶୀ ନାଗରିକଙ୍କୁ ନିଜ ଦେଶର ବାଣିଜ୍ୟ ଦୂତାବାସ ଏବଂ ଦୂତାବାସର ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଅନୁମତି ଦିଆଯାଏ।  ମାତ୍ର ପାକିସ୍ତାନ କୁଲଭୂଷଣଙ୍କୁ ପାକରେ ଅବସ୍ଥାପିତ ଭାରତର କୌଣସି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ସୁଯୋଗ ଦେଇନଥିଲା। ଏବେ କୋର୍ଟର ନିଷ୍ପତ୍ତି ପରେ ପାକିସ୍ତାନକୁ କୁଲଭୂଷଣଙ୍କୁ ଆଇନଗତ ପକ୍ଷ ରଖିବାକୁ ଅନୁମତି ଦେବାକୁ ପଡ଼ିବ। ଅର୍ଥାତ ଭାରତୀୟ ଅଧିକାରୀ ଏବେ କୁଲଭୂଷଣଙ୍କ ସହିତ ଯୋଗାଯୋଗ କରି ପାରିବେ ଏବଂ ପାକିସ୍ତାନକୁ ଏହାର ଅନୁମତି ମଧ୍ୟ ଦେବାକୁ ପଡ଼ିବ। 

ଭିଏନା ଚୁକ୍ତିନାମାକୁ ଉଲ୍ଲଙ୍ଘନ କରିଛି ପାକିସ୍ତାନ

ଅନ୍ତରାଷ୍ଟ୍ରୀୟ କୋର୍ଟ ନିଜର ନିଷ୍ପତ୍ତିରେ କହିଛି ଯେ, ପାକିସ୍ତାନ ଭିଏନା ଚୁକ୍ତିନାମାକୁ ଉଲ୍ଲଙ୍ଘନ କରିଛି। ଭିଏନା ଚୁକ୍ତିନାମା ଏକ ଅନ୍ତରାଷ୍ଟ୍ରୀୟ କାନୁନ ଯାହା ଦୁଇ ଦେଶ ମଧ୍ୟରେ କୂଟନୈତିକ ସଂପର୍କକୁ ନିୟନ୍ତ୍ରିତ କରିଥାଏ। କୁଲଭୂଷଣ ଯାଧବଙ୍କ ମାମଲାରେ ଭାରତ ଆଇସିଜେରେ ଯୁକ୍ତି ବାଢିଥିଲା ଯେ, ପାକିସ୍ତାନ ଭିଏନା ଚୁକ୍ତିନାମାର ଖୋଲାଖୋଲି ଉଲ୍ଲଙ୍ଘନ କରିଛି। କାରଣ କୁଲଭୂଷଣଙ୍କୁ ସଜା ଦେବା ପୂର୍ବରୁ କୌଣସି ପ୍ରକାରର କୂଟନୈତିକ ସହାୟତ ପ୍ରଦାନ କରାଯାଇନଥିଲା।