ଜେନେଭା,ସେପ୍ଟେମ୍ବର୧୦(ଖବର ଓଡ଼ିଶା):
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ମିଳିତ ଜାତିସଂଘରେ ନିଜର ସମ୍ବୋଧନ ସମୟରେ ସ୍ଵୀକାର କରିଛନ୍ତି ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ସେ ନିଜର ବୟାନରେ କାଶ୍ମୀରକୁ ସମ୍ବୋଧିତ କରି କହିଛନ୍ତି ଯେ, 'ଇଣ୍ଡିଆନ ଷ୍ଟେଟ୍ ଜାମ୍ମୁ-କାଶ୍ମୀର' ଅର୍ଥାତ ଭାରତୀୟ ରାଜ୍ୟ-କାଶ୍ମୀର। ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀଙ୍କ ଏହି ଭିଡ଼ିଓ ଏବେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ସେ ଗୋଟିଏ ପଟେ ଭାରତ ଉପରେ ମାନବାଧିକାର ଉଲ୍ଲଂଘନର ଆରୋପ ଲଗାଉଥିବା ବେଳେ ଅନ୍ୟ ପଟେ କାଶ୍ମୀରକୁ ଭାରତର ରାଜ୍ୟ ବୋଲି ସ୍ଵୀକାର କରିଛନ୍ତି।
ଏହି ପରି ପାକିସ୍ତାନ ଏହାକୁ ସ୍ଵୀକାର କରିଛି ଯେ, ଦୁନିଆ ଦୀର୍ଘ ଦିନରୁ ଜାଣି ଆସିଛି ଏବଂ ମାନି ଆସିଛି ଯେ କାଶ୍ମୀର ଭାରତର ରାଜ୍ୟ। ମାତ୍ର ପାକିସ୍ତାନ ଏହା ମାନିବାକୁ ମନା କରି ଦେଇଥିଲା। କିନ୍ତୁ ମଙ୍ଗଳବାର ମିଳିତ ଜାତିସଂଘରେ ପାକିସ୍ତାନ ସମ୍ବୋଧନରେ କାଶ୍ମୀର ଭାରତର ରାଜ୍ୟ ବୋଲି କହିଛି।
କ୍ୟୁରେସୀ କହିଛନ୍ତି ଯେ, ଭାରତ ଦୁନିଆକୁ ଏହା ଜଣାଇବାକୁ ଚେଷ୍ଟା କରୁଛି ଯେ କାଶ୍ମୀରରେ ଜୀବନ ସ୍ଵାଭାବିକ ରହିଛି। ଯଦି ସେଠାରୁ ସବୁକିଛି ସ୍ଵାଭାବିକ ରହିଛି ତେବେ ଅନ୍ତରାଷ୍ଟ୍ରୀୟ ମିଡ଼ିଆ, ଅନ୍ତରାଷ୍ଟ୍ରୀୟ ସଂଗଠନ, ଏନଜିଓ, ସିଭିଲ ସୋସାଇଟିକୁ ଭାରତର ରାଜ୍ୟ ଜାମ୍ମୁ-କାଶ୍ମୀରକୁ ଯିବାକୁ କଣ ପାଇଁ ଦିଆଯାଉ ନାହିଁ।
ଭାରତ ଉପରେ ମାନବାଧିକାର ଉଲ୍ଲଂଘନର ଆରୋପ ଲଗାଇଥିବା କ୍ୟୁରେସୀ କହିଛନ୍ତି ଯେ, ଥରେ କର୍ଫ୍ୟୁ ହଟିବା ମାତ୍ରେ ସତ୍ୟ ପଦାକୁ ଆସିବ ଏବଂ ଦୁନିଆ ଜାଣିବ ଯେ ସେଠାରେ କଣ ଚାଲିଛି।
ମିଳିତ ଜାତିସଂଘରେ ମାତ୍ ଖାଇବା ପରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ବାଉଳେଇ ହେଉଥିବା ପାକିସ୍ତାନ ଏବେ ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ଏହାକୁ ପ୍ରସଙ୍ଗ କରିବାକୁ ଯଥା ସମ୍ଭବ ଉଦ୍ୟମରେ ଜୁଟି ଯାଇଛି। ପାକିସ୍ତାନ ମଙ୍ଗଳବାର ୧୧୫ ପୃଷ୍ଠାର ମିଥ୍ୟା ତଥ୍ୟ ସହିତ ୟୁଏନଏଚଆରସିରେ କାଶ୍ମୀରର ସ୍ଥିତିକୁ ନେଇ ଭାରତ ଉପରେ ଆରୋପ ଲଗାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଭାରତ ଉପରେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନର ଆରୋପ ଲଗାଇଛି। ସେ କହିଛନ୍ତି ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହଁ ଏବଂ ମିଳିତ ଜାତିସଂଘକୁ ଏଥିରେ ହସ୍ତକ୍ଷେପ କରିବା ଉଚିତ୍।