Home > ଅନ୍ତରାଷ୍ଟ୍ରୀୟ
ଇମ୍ରାନଙ୍କୁ ମୁସଲିମ ଦେଶ ଦେଲେ ଉପଦେଶ, ମୋଦୀଙ୍କ ବିରୋଧରେ ପ୍ରୟୋଗ କରୁଥିବା ଭାଷାରେ ଶାଳୀନତା ରଖନ୍ତୁ
Khabar Odisha:international-odisha-Muslim-Nations-Ask-Pakistan-To-Engage-In-Backdoor-Diplomacy-With-India-On-Article-370-Row-Says-Media
ଇସଲାମାବାଦ,ସେପ୍ଟେମ୍ବର୧୬(ଖବର ଓଡ଼ିଶା):

ଧାରା ୩୭୦ ପ୍ରସଙ୍ଗରେ ସମଗ୍ର ଦୁନିଆରେ ବାରଦ୍ଵାର ଶୁଣ୍ଢୀପିଣ୍ଡା ହେଉଥିବା ପାକିସ୍ତାନକୁ ଚୀନ ବ୍ୟତୀତ  କୌଣସି  ପ୍ରମୁଖ ଦେଶର ସମର୍ଥନ ତ ମିଳିଲା ନାହିଁ ଓଲଟା ଏବେ ମୁସଲିମ ଦେଶ ତାକୁ ଉପଦେଶ ଦେଇଛନ୍ତି। ସାଉଦି ଆରବ ଓ ସଂଯୁକ୍ତ ଆରବ ଏମିରାଟ୍ସ(ୟୁଏଇ) ପରି ପ୍ରଭାବଶାଳୀ ମୁସଲିମ ଦେଶ ପୁଣି ଥରେ ପାକିସ୍ତାନକୁ ଭାରତ ସହିତ ପରଦା ପଛରେ ଆଲୋଚନା କରିବାକୁ ଉପଦେଶ ଦେଇଛନ୍ତି। ଏହା ସହିତ କହିଛନ୍ତି ଯେ ଇମ୍ରାନ ଖାନ ମୋଦୀଙ୍କ ବିରୋଧରେ ପ୍ରୟୋଗ କରୁଥିବା ଭାଷାରେ ସଂଜମତା ଓ ଶାଳୀନତା ରଖନ୍ତୁ। ମୋଦୀଙ୍କ ବିଷୟରେ କଥା ହେବା ବେଳେ ସଭ୍ୟଙ୍କ ପରି ଶବ୍ଦ କୁହନ୍ତୁ।

ପାକିସ୍ତାନ ଖବର କାଗଜ ଏକ୍ସପ୍ରେସ୍ ଟ୍ରିବ୍ୟୁନର ଖବର ଅନୁଯାୟୀ ସେପ୍ଟେମ୍ଵର ୩ରେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ଆଦିଲ ଅଲ ଜୁବେର ଓ ୟୁଏଇର ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ବିନ ଅଲ ନାହଆନ ଇସଲାମାବାଦ ଗସ୍ତ କରିଥିଲେ। ଏହି ଗସ୍ତରେ ସେମାନେ ନିଜ ଦେଶର ରାଷ୍ଟ୍ରଧ୍ୟକ୍ଷ ଏବଂ ଅନ୍ୟ କିଛି ଶକ୍ତିଶାଳୀ ଦେଶଙ୍କ ପକ୍ଷରୁ ସନ୍ଦେଶ ନେଇକି ଆସିଥିଲେ। ସେମାନେ ପାକିସ୍ତାନକୁ ଭାରତ ସହିତ ଅନୌପଚାରିକ ଆଲୋଚନା କରିବାକୁ କହିଥିଲେ। ଦିନିକିଆ ଗସ୍ତରେ ସାଉଦି ଓ ୟୁଏଇର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଓ ସେନା ପ୍ରମୁଖ ଜେନେରାଲ କମର  ଜାଭେଦ ବାଜଓ୍ଵାଙ୍କୁ ଭେଟିଥିଲେ। 

ଏକ୍ସପ୍ରେସ୍ ଟ୍ରିବ୍ୟୁନର ଜଣେ ଅଧିକାରୀ  କହିଛନ୍ତି ଯେ ଆଲୋଚନା ବହୁତ ଗୋପନୀୟ ଥିଲା ଓ ବୈଦେଶିକ ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀଙ୍କୁ ହିଁ ବୈଠକକୁ ଯିବାକୁ ଅନୁମତି ଦିଆଯାଇଥିଲା। ରିପୋର୍ଟ ଅନୁସାରେ ସାଉଦି ଆରବ ଓ ୟୁଏଇର ରାଷ୍ଟ୍ରଦୂତ ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ହ୍ରାସ କରିବା ପାଇଁ ଭୂମିକା ନିର୍ବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିରୁ ଗୋଟିଏ ପ୍ରସ୍ତାବ ଦୁଇ ଦେଶ ମଧ୍ୟରେ ପରଦା ପଛରେ ଆଲୋଚନା କରିବା ଥିଲା। 

ସାଉଦି ଓ ୟୁଏଇ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ କହିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାକ ହମଲା କମ କରନ୍ତୁ। ମାତ୍ର ପାକିସ୍ତାନ ଏହି ଅନୁରୋଧକୁ ଅସ୍ଵୀକାର କରିଛି ଓ ସ୍ପଷ୍ଟ ଭାବେ କହିଛି ଯେ ଭାରତ ସହିତ ପାରମ୍ପରିକ କୂଟନୀତି ସଂପର୍କ ତେବେ କରିବ ଯେବେ ନୂଆଦିଲ୍ଲୀ କିଛି ସର୍ତ୍ତରେ ରାଜି ହେବ। ଖବର କାଗଜ ମୁତାବକ ଏହି ସର୍ତ୍ତରେ କାଶ୍ମୀରରୁ କର୍ଫ୍ୟୁ ତଥା ଅନ୍ୟ କଟକଣା ହଟାଇବା ରହିଛି।