Home > ଅନ୍ତରାଷ୍ଟ୍ରୀୟ
ଭାରତୀୟ ଉପମହାଦ୍ଵୀପର ଅଲକାଏଦା ପ୍ରମୁଖ ଆତଙ୍କୀ ଆସିମ ଉମର ନିହତ, ଭାରତ ପାଇଁ ଥିଲା ବଡ଼ ବିପଦ
Khabar Odisha:international-odisha-afghanistan-asim-omar-leader-of-al-qaeda-killed-by-us-afghanistan-joint-operation
କାବୁଲ,ଅକ୍ଟୋବର୦୮(ଖବର ଓଡ଼ିଶା):

  ଆଫଗାନିସ୍ତାନରେ ସୁରକ୍ଷାବଳକୁ ବଡ଼ ସଫଳତା ମିଳିଛି। ଆଫଗାନିସ୍ତାନ ଓ ଆମେରିକା ସେନାର ମିଳିତ ଅପରେସନରେ ଆସିମ ଉମର ନାମକ ଦୁର୍ଦ୍ଦାନ୍ତ ଆତଙ୍କବାଦୀର ନିପାତ ହୋଇଛି। ସମାଚାର ଏଜେନ୍ସି ଏଏଫପି ଅନୁସାରେ, ଆସିମ ଉମର  ପାକିସ୍ତାନୀ ନାଗରିକ। ଆସିମ ସହିତ ଅଲକାଏଦା ଭାରତୀୟ ଉପମହାଦ୍ଵୀପର ୬ ଆତଙ୍କବାଦୀ ମଧ୍ୟ ଆତଙ୍କୀ ବିରୋଧୀ ଅପରେସନରେ ପ୍ରାଣ  ହରାଇଛନ୍ତି। ଆଫଗାନ ନ୍ୟାସନାଲ ଡାଇରେକ୍ଟରେଟ୍ ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି।

ଆଫଗାନ ନ୍ୟାସନାଲ ଡାଇରେକ୍ଟରେଟର ସୂଚନା ଅନୁଯାୟୀ, ଆମେରିକା ଓ ଆଫଗାନିସ୍ତାନ ସେନାର ମିଳିତ ଅପରେସନରେ ଆସିମ ଉମର ସେପ୍ଟେମ୍ବର ୨୩ରେ ପ୍ରାଣ ହରାଇଥିଲା। ମାତ୍ର ଅକ୍ଟୋବର ୮ରେ ଏହାର ସୂଚନା ଦିଆଯାଇଛି। ୨୦୧୪ରେ ଆସିମ ଉମରକୁ ଭାରତୀୟ ଉପମହାଦ୍ଵୀପର ଅଲକାଏଦା ମୁଖ୍ୟ କରାଯାଇଥିଲା। ଆସିମ ଉମର ଭାରତୀୟ ଉପମହାଦ୍ଵୀପରେ ଆତଙ୍କୀ ଘଟଣା ଭିଆଉଥିଲା। ତେଣୁ ଆସିମ ଭାରତ ପାଇଁ ବଡ଼ ବିପଦ ଥିଲା। 

ସୂତ୍ର ମୁତାବକ ଉମର ସହିତ ମରିଥିବା ଅନ୍ୟ ଆତଙ୍କବାଦୀଙ୍କ ମଧ୍ୟରେ ଅଧିକାଂଶ ପାକିସ୍ତାନୀ ଅଟନ୍ତି। ସୁରକ୍ଷାବଳ ଆଫଗାନିସ୍ତାନର ଦକ୍ଷିଣ ହେଲମଣ୍ଡ ପ୍ରାନ୍ତରେ ଏକ ଅପରେସନରେ ଏହି ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଏନଡିଏସ ଆଫଗାନିସ୍ତାନ ଅନୁସାରେ ଆମେରିକା ଓ ଆଫଗାନୀ ସୁରକ୍ଷାବଳ ମୂଷା କାଲା ଜିଲ୍ଲାରେ ତାଲିବାନ କ୍ୟାମ୍ପ ଉପରେ ହମଲା କରିଥିଲେ। ଅପରେସନ ପରେ ଉମରକୁ ତାଲିବାନର ଏକ ପରିସରରେ ପୋତି ଦିଆଯାଇଛି। 

ଆଫଗାନିସ୍ତାନ ଓ ଆମେରିକା ସେନା ଦ୍ଵାରା ହୋଇଥିବା ଅପରେସନ ଦୀର୍ଘ ସମୟ ଧରି ଚାଲିଥିଲା। ଏହି ଅପରେସନ ସେପ୍ଟେମ୍ବର ୨୨ ଓ ୨୩ ସେପ୍ଟେମ୍ବର ରାତିରେ ହୋଇଥିଲା।  ଏହି ସମୟରେ ଆମେରିକା ସୁରକ୍ଷାବଳ ଆକାଶ ମାର୍ଗରୁ ସହାୟତା ଦେଇଥିଲା।

  • Tags: