ପେଇଚିଙ୍ଗ,ଅଗଷ୍ଟ୧୨(ଖବର ଓଡ଼ିଶା):
କାଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଚୀନ ଶାନ୍ତିର ଅପିଲ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହ ସାକ୍ଷାତ ସମୟରେ ଚୀନ ସମକକ୍ଷ ଓ୍ଵାଙ୍ଗ ୟି କହିଛନ୍ତି ଯେ କୌଣସି ବି ଦ୍ଵିପାକ୍ଷିକ ମତଭେଦ ବିବାଦର କାରଣ ହେବା ଉଚିତ୍ ନୁହଁ। ଚୀନ କହିଛି ଭାରତ ଓ ପାକ୍ ମଧ୍ୟରେ ଜାରି ଉତ୍ତେଜନା ଉପରେ ତାର ନଜର ରହିଛି। ଏହା ସହିତ ଚୀନ ଭାରତଠୁ ଏହି ପ୍ରସଙ୍ଗରେ ସକରାତ୍ମକ ପ୍ରୟାସର ଆଶା ରଖିଛି।
ଚୀନର ଏହି ବୟାନ ଗୋଟିଏ ପ୍ରକାର ପାକିସ୍ତାନ ପାଇଁ ଝଟକା ପରି ହୋଇଛି। କାଶ୍ମୀର ମାମଲାକୁ ନେଇ ନିକଟରେ ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ ଚୀନ ଗସ୍ତ କରିଥିଲେ। କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ପାକିସ୍ତାନ ଚୀନଠୁ କୌଣସି ପ୍ରକାରର କଡ଼ା ବୟାନ କିମ୍ବା ହସ୍ତକ୍ଷେପ ଆଶା କରିଥିଲା। ମାତ୍ର ଚୀନ ଏହାକୁ ଦ୍ଵିପାକ୍ଷିକ ପ୍ରସଙ୍ଗ ଦର୍ଶାଇ ନିଜକୁ ଦୂରେଇ ନେଇଥିଲା।
ନିଜର ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ୟିଙ୍କ ବ୍ୟତୀତ ଉପରାଷ୍ଟ୍ରପତି ଓ୍ଵାଙ୍ଗ କିଷାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହା ପରେ ଦୁଇ ଦେଶର ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ହୋଇଛି। ଦୀର୍ଘ ସମୟ ଧରି ଚୀନରେ ରାଷ୍ଟ୍ରଦୂତ ରହିଥିବା ଏସ.ଜୟଶଙ୍କରଙ୍କ ସ୍ଵାଗତ କରି ଓ୍ଵାଙ୍ଗ ୟି କହିଛନ୍ତି ଯେ ଭାରତ ଓ ଚୀନର ମଧ୍ୟରେ କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତାରେ ମହତ୍ଵପୂର୍ଣ୍ଣ ଯୋଗଦାନ ରହିବା ଉଚିତ୍।
ଓ୍ଵାଙ୍ଗ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ଉତ୍ତେଜନା ମଧ୍ୟରେ ଆମର କଡ଼ା ଦୃଷ୍ଟି ରହିଛି। ଆଶା କରୁଛୁ ଭାରତ ମଧ୍ୟ ଶାନ୍ତି ଓ ସ୍ଥିରତାକୁ ଦୃଷ୍ଟିରେ ରଖି ସକରାତ୍ମକ ପଦକ୍ଷେପ ଉଠାଇବ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପ ରେ ମୋଦୀ କ୍ୟାବିନେଟର କୌଣସି ମନ୍ତ୍ରୀଙ୍କ ଏହା ହେଉଛି ପ୍ରଥମ ବିଦେଶ ଗସ୍ତ।
ଜୟଶଙ୍କରଙ୍କ ଚୀନ ଗସ୍ତ ଖୁସିର କଥା
ଜୟଶଙ୍କର ବିଦେଶ ସେବାରେ ରହିବା ସମୟରେ ଚୀନରେ ଅଧିକ ସମୟ କାମ କରିଛନ୍ତି। ତାଙ୍କର ସ୍ଵାଗତ କରି ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ କହିଛନ୍ତି ଯେ, ଚୀନକୁ ଜୟଶଙ୍କର ପୁଣି ଥରେ ଆସିବା ଖୁସିର କଥା। ମୁଁ ଗତ ବର୍ଷର ସ୍ମୁତିକୁ ବଡ଼ ଉତ୍ସାହର ସହିତ ମନେ କରୁଛି। ମୁଁ ବହୁତ ଖୁସି ଯେ, ମୋର କାର୍ୟ୍ୟଁକାଳର ପ୍ରାରମ୍ଭରେ ହିଁ ମୁଁ ଏଠାକୁ ଆସିବା ଏବଂ ଦୁଇ ନେତାଙ୍କ ମଧ୍ୟରେ ଅନୌପଚାରିକ ଶିଖର ସମ୍ମିଳନୀର ପ୍ରସ୍ତୁତ କରିବାର ସୁଯୋଗ ମିଳିଛି।