Home > ଅନ୍ତରାଷ୍ଟ୍ରୀୟ
ଭାରତକୁ ଝଟକା ଦେବାକୁ ଚାହୁଁଥିଲେ ଟ୍ରମ୍ପ, ହେଲା ଓଲଟା, ୩୨ ପ୍ରତିଶତ ବଢିଲା ଭାରତୀୟ ସାମଗ୍ରୀର ରପ୍ତାନୀ
Khabar Odisha:international-odisha-exports-of-preferential-indian-products-to-us-increased-by-32-percent-in-june-after-gsp-withdrawal
ନୂଆଦିଲ୍ଲୀ, ଅଗଷ୍ଟ୧୧(ଖବର ଓଡ଼ିଶା):

ଆମେରିକା ଦ୍ଵାରା ଭାରତକୁ ସାମଗ୍ରୀ ଉପରେ ଦିଆଯାଉଥିବା ଶୁଳ୍କ ବ୍ୟବସ୍ଥା ଜିଏସପିର ଲାଭ ସମାପ୍ତ ପରେ ଓଲଟା ଭାରତକୁ ଲାଭ ହୋଇଛି। ଏହି ବ୍ୟବସ୍ଥା ଆଧାରରେ ଭାରତୀୟ ବସ୍ତୁର ହେଉଥିବା ରପ୍ତାନୀରେ ୩୨ ପ୍ରତିଶତ ବୃଦ୍ଧି ଘଟିଛି। ଭାରତୀୟ ବାଣିଜ୍ୟ ସମ୍ବର୍ଦ୍ଧନ ପରିଷଦ(ଟିପିସିଆଇ) ଏହି ସୂଚନା ଦେଇଛି। ଟିପିସିଆଇ ଆମେରିକା ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ଆୟୋଗ(ୟୁଏସଆଇଟିସି)ର ତଥ୍ୟର ଉଲ୍ଲେଖ କରି କହିଛି  ଯେଉଁ ଭାରତୀୟ ବସ୍ତୁକୁ  ଜିଏସପି ଲାଭ ମିଳୁଥିଲା, ସେହି ବସ୍ତୁର ରପ୍ତାନୀ ଗତ ବର୍ଷ ଜୁନରେ ୪୯.୫୭ କୋଟି ଡଲାରରୁ ବୃଦ୍ଧି ପାଇ ଚଳିତ ବର୍ଷ ଜୁନରେ ୬୫.୭୪ କୋଟି ଡଲାରରେ ପହଞ୍ଚିଛି।

ଟିପିସିଆଇର ଅଧ୍ୟକ୍ଷ ମୋହିତ ସିଙ୍ଗଲା ଏକ ବୟାନରେ କହିଛନ୍ତି ଯେ, ଗତ ବର୍ଷ ଜୁନ ମାସ ତୂଳନାରେ ଚଳିତ ବର୍ଷ ଜୁନରେ ଜିଏସପି ପ୍ରତ୍ୟାହାର ହୋଇଥିବା ଭାରତୀୟ ସାମଗ୍ରୀର ଆମେରିକାକୁ ରପ୍ତାନୀ ୩୨ ପ୍ରତିଶତ ବଢିଛି। ସେ କହିଛନ୍ତି ଏହା ମହତ୍ଵପୂର୍ଣ୍ଣ ଯେ,  ଜିଏସପି ଆଧାରରେ ୧୯ କୋଟି ଡଲାର ଲାଭ ମିଳିବ ବୋଲି ଦାବି କରାଯାଉଥିଲା। ମାତ୍ର ହଟିବା ପରେ ବି ୧୬.୧୭ କୋଟି ଡଲାରର ଲାଭ ହୋଇ ସାରିଛି। ଏବେ ମାତ୍ର ୨.୮୩ କୋଟି ଡଲାରର ଲାଭ ହାସଲ କରିବା ବାକି ରହିଛି।

ଏହି ବସ୍ତୁର ବଢିଲା ରପ୍ତାନୀ

ଯେଉଁ ଉତ୍ପାଦର ରପ୍ତାନୀରେ ବୃଦ୍ଧି ଦେଖିବାକୁ ମିଳିଛି, ସେଥିରେ ପ୍ଲାଷ୍ଟିକ ରବର, ଆଲୁମିନିୟମ, ମେସିନ ଓ ଉପକରଣ, ପରିବହନ ଉପକରଣ, ଚମଡ଼ା, ମୋତି, ମୂଲ୍ୟବାନ ପଥର ଆଦି ସାମିଲ। ସିଙ୍ଗଲା କହିଛନ୍ତି ଏଥିରୁ ଜଣା ପଡ଼ୁଛି ଯେ ଭାରତୀୟ ବସ୍ତୁ ବିଶ୍ଵସ୍ତରରେ ପ୍ରତିଯୋଗିତା କରିବାର କ୍ଷମତା ରହିଛି। ଉଲ୍ଲେଖଯୋଗ୍ୟ, କିଛି ଆମେରିକା ସାଂସଦ ଟ୍ରମ୍ପଙ୍କୁ ପରାମର୍ଶ ଦେଇଥିଲେ ଯେ ଭାରତଠୁ ଏହି ଜିଏସପି ମାନ୍ୟତା ପ୍ରତ୍ୟାହାର କରାନଯାଉ। କାରଣ ଏହି ପଦକ୍ଷେପରେ ଆମେରିକା ଉଦ୍ୟୋଗପତିଙ୍କୁ ପ୍ରତି ବର୍ଷ ୩୦ କୋଟି ଡଲାରର ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। 

କଣ ଏହି ଜିଏସପି ବ୍ୟବସ୍ଥା ?

ଆମେରିକା ଜୁନ ୫ରେ ଭାରତୀୟ ଉତ୍ପାଦକୁ ଶୁଳ୍କରେ ସାମାନ୍ୟ ଛାଡ଼ ପ୍ରଣାଳୀ(ଜିଏସପି) ଆଧାରରେ ମିଳୁଥିବା ପ୍ରୋତ୍ସାହନ ସୁବିଧାକୁ ସମାପ୍ତ କରି ଦେଇଥିଲା। ଏହି ସୁବିଧା ୧୯୦୦ ଭାରତୀୟ ଉତ୍ପାଦ ଉପରେ ଦିଆଯାଉଥିଲା। ଜିଏସପି ଅର୍ଥାତ ଜେନେରାଲାଇଜ ସିଷ୍ଟମ ଅଫ ପ୍ରେଫରେନ୍ସ। ଏହାର ଆରମ୍ଭ ୧୯୭୬ରେ ବିକାଶୀଳ ଦେଶଗୁଡିକର ଆର୍ଥିକ ବୃଦ୍ଧି ବଢାଇବା ପାଇଁ ହୋଇଥିଲା।