Home > ଅନ୍ତରାଷ୍ଟ୍ରୀୟ
କଳା ତାଲିକାଭୁକ୍ତ ହେବାରୁ ବର୍ତ୍ତିଲା ପାକିସ୍ତାନ, ଚେତାବନୀ ସହ ସୁଧାର ପାଇଁ ଏଫଏଟିଏଫ ଦେଲା ୪ ମାସର ସମୟ
Khabar Odisha:international-odisha-fatf-strongly-urge-pakistan-to-swiftly-complete-its-full-action-plan-by-february-2020
ପ୍ୟାରିସ୍,ଅକ୍ଟୋବର୧୮(ଖବର ଓଡ଼ିଶା):

ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାକିସ୍ତାନ ଟେରର ଫଣ୍ଡିଂକୁ ନେଇ ବର୍ତ୍ତମାନ କଳାତାଲିକାଭୁକ୍ତ  ହେବାରୁ ବର୍ତ୍ତି ଯାଇଛି। ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫଏଟିଏଫ)ର ପ୍ୟାରିସରେ ଅନୁଷ୍ଠିତ ଗୁରୁତ୍ଵପୂର୍ଣ୍ଣ ବୈଠକରେ ପାକିସ୍ତାନକୁ କଡ଼ା ତାଗିଦ୍ ଦିଆଯାଇ ୨୦୨୦ ଫେବୃଆରୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ପାକିସ୍ତାନକୁ ଏବେ ଧୂସର ତାଲିକାରେ ରଖାଯାଇଛି। ଯଦି ନିର୍ଦ୍ଧାରିତ ସମୟରେ ପୂରା ଯୋଜନାବଦ୍ଧ ଭାବେ ଆତଙ୍କବାଦ ଦମନ କରିବାରେ ବିଫଳ ହୁଏ ତେବେ ଏଫଏଟିଏଫ ପାକିସ୍ତାନ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ କରିବ। 

ପାକିସ୍ତାନ ସହିତ କୌଣସି ପ୍ରକାରର ବିତ୍ତୀୟ ନେଣଦେଣ ଓ ବ୍ୟବସାୟ ଉପରେ ମଧ୍ୟ ନଜର ରଖିବାକୁ ଅନ୍ୟ ସଦସ୍ୟ ଦେଶମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି। ଚୀନ, ମାଲେସିଆ ଓ ତୁର୍କୀର ସମର୍ଥନ କାରଣରୁ ସଂପ୍ରତି ପାକିସ୍ତାନ କଳାତାଲିକାଭୁକ୍ତ ହେବାରୁ ବଞ୍ଚି ଯାଇଛି, ମାତ୍ର ଏବେ ଧୂସର ତାଲିକାରୁ ବାହାରିବା ତା ପାଇଁ ମୁସ୍କିଲ ହୋଇ ପଡିଛି।

ସୂତ୍ର ମୁତାବକ ଏଫଏଟିଏଫ ହୋଇପାରେ ପାକିସ୍ତାନକୁ ଧୂସର ତାଲିକାରେ ରଖିଛି, ମାତ୍ର ଆତଙ୍କ ବିରୋଧରେ ପର୍ଯ୍ୟାପ୍ତ ପଦକ୍ଷେପ ନନେଲେ ଆଗାମୀ କିଛି ବର୍ଷରେ ତାକୁ ଏହି ତାଲିକାରୁ ବାହାରି ମୁସ୍କିଲ  ହୋଇ ପଡ଼ିବ। ଏହା ସହିତ ଅନ୍ତରାଷ୍ଟ୍ରୀୟ ସଂସ୍ଥା ସଙ୍କେତ ଦେଇଛି ଯେ, ପାକିସ୍ତାନ ୨୦୨୦ ଫେବୃଆରୀରେ କଳା ତାଲିକାଭୁକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ତରାଷ୍ଟ୍ରୀୟ ବିଶ୍ଵ ସଂସ୍ଥାକୁ ଏଫଏଟିଏଫ ପାକିସ୍ତାନକୁ ୨୦୨୦ ଫେବୃଆରୀରୁ ଆହୁରି ସହାୟତା ନଦେବା ପାଇଁ ପ୍ରସ୍ତୁତିର ସଙ୍କେତ ଦେଇଛି।

ଏଫଏଟିଏଫ ୨୦୧୮ ଜୁନରେ  ପାକିସ୍ତାନକୁ ଧୂସର ତାଲିକାରେ ରଖିବା ସହିତ ୨୭ଟି ପଏଣ୍ଟ ଉପରେ ଠୋସ୍ ପଦକ୍ଷେପ ନେବାକୁ ସମୟ ଦେଇଥିଲା। ଏଥିରେ ମନି ଲଣ୍ଡ୍ରିଂ ଓ ଆତଙ୍କୀ ସଂଗଠନକୁ ଆର୍ଥିକ ପ୍ରୋତ୍ସାହନ ରୋକିବା ପାଇଁ ଉପାୟ କରିବା ସାମିଲ ଥିଲା। ମାତ୍ର ପାକିସ୍ତାନ ଏହି ଦିଗରେ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇନଥିବାରୁ ଏଫଏଟିଏଫ ପାକିସ୍ତାନକୁ ସତର୍କ କରାଇ ଚାରି ମାସର ସମୟ ଦେଇଛି। ଏହା ସହିତ ଆକ୍ସନ ପ୍ଲାନ ପ୍ରସ୍ତୁତ ନକଲେ କଳାତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛି। ଏଫଏଟିଏଫରେ କଳାତାଲିକାଭୁକ୍ତ ହେଲେ ଆର୍ଥିକ ସଂକଟରେ ପାକିସ୍ତାନ ଘାଣ୍ଟି ହେବ। 

ଏଫଏଟିଏଫ ଏକ ସରକାରୀ ସଂସ୍ଥା। ଏହାର କାମ ଆତଙ୍କୀକୁ ବେଆଇନ ଭାବେ ଦିଆଯାଉଥିବା ଆର୍ଥିକ ପ୍ରୋତ୍ସାହନ ରୋକିବା ପାଇଁ ନିୟମ ପ୍ରସ୍ତୁତ କରିବା।  ଏହାର ପାଳନ ହେଉଛି ନା ନାହିଁ ରିପୋର୍ଟ ଦେବା। ଏହି ସଂସ୍ଥାର ଗଠନ  ୧୯୮୯ରେ ହୋଇଥିଲା। ଏଫଏଟିଏଫର ଧୂସର ଓ କଳାତାଲିକାଭୁକ୍ତ  ହେଲେ ଉକ୍ତ ଦେଶକୁ ଅନ୍ତରାଷ୍ଟ୍ରୀୟ ସଂସ୍ଥାରୁ ଋଣ ନେବା ବହୁତ ମୁସ୍କିଲ ହୋଇଯାଏ।

କଳାତାଲିକାଭୁକ୍ତ ହେଲେ ଶୋଚନୀୟ ହେବ ପାକର ସ୍ଥିତି

ଯଦି ପାକିସ୍ତାନ କଳାତାଲିକାଭୁକ୍ତ ହୁଏ ତେବେ ବିଶ୍ଵ ସଂସ୍ଥାରୁ ଋଣ ନେବା ମୁସ୍କିଲ ହୋଇଯିବ। ଏହି ତାଲିକାରେ ସାମିଲ ହେଲେ ପାକିସ୍ତାନରେ ବିଦେଶୀ ନିବେଶ ରାସ୍ତା ବନ୍ଦ ହୋଇଯିବ। କଳାତାଲିକାଭୁକ୍ତ ହେବା ପରେ ବୈଶ୍ଵିକ ଆର୍ଥିକ ସଂସ୍ଥା ପାକିସ୍ତାନର ରେଟିଂ ହ୍ରାସ କରିଦେବେ। ପାକିସ୍ତାନକୁ ବିଶ୍ଵ ବ୍ୟାଙ୍କ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ଋଣ ନେବା କଷ୍ଟକର ହୋଇଯିବ। ଏପରି କାଙ୍ଗାଳ ସ୍ଥିତିରୁ ବର୍ତ୍ତିବା ପାଇଁ ଚୀନ, ସାଉଦି ଆରବ ପରି ଦେଶଗୁଡ଼ିକରୁ ମଧ୍ୟ ଫଣ୍ଡ ମିଳିବା ମୁସ୍କିଲ ହୋଇଯିବ। 

ଏଫଏଟିଏଫର ନିୟମ ମୁତାବକ ଧୂସର ଓ କଳା ତାଲିକା ମଧ୍ୟରେ ଡାର୍କ ଗ୍ରେ ଏକ କାଟାଗୋରୀ ରହିଛି।ଳ ଡାର୍କ ଗ୍ରେର ଅର୍ଥ କଡ଼ା ଚେତାବନୀ, ଯଦ୍ଵାରା ସମ୍ବନ୍ଧିତ ଦେଶକୁ ସୁଧାର ପାଇଁ ଏକ ଅନ୍ତିମ ସୁଯୋଗ ମିଳିପାରିବ।