Home > ଅନ୍ତରାଷ୍ଟ୍ରୀୟ
ଭାରତରେ ଅନୁପ୍ରବେଶ ହେଉଥିବା ସ୍ଵୀକାର କଲେ ଇମ୍ରାନ, ପିଓକେବାସୀଙ୍କୁ କହିଲେ ଅତିକ୍ରମ ନକରନ୍ତୁ ଏଲଓସି
Khabar Odisha:international-odisha-imran-khan-accepts-infiltration-in-india
ଇସଲାମାବାଦ, ଅକ୍ଟୋବର୦୫(ଖବର ଓଡ଼ିଶା):

ଭାରତରେ ସୀମାପାର ଅନୁପ୍ରବେଶକୁ ଖଣ୍ଡନ କରି ଆସୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବେ ଏହାକୁ ପରୋକ୍ଷରେ ସ୍ଵୀକାର କରିଛନ୍ତି। ଇମ୍ରାନ ଟ୍ଵିଟ୍ କରି ପିଓକେବାସୀଙ୍କୁ ସମ୍ବୋଧିତ କରି ଲେଖିଛନ୍ତି ଯେ, ସ୍ଵାଧୀନ ଜାମ୍ମୁ-କାଶ୍ମୀରରେ କାଶ୍ମୀରବାସୀଙ୍କ କ୍ରୋଧକୁ ମୁଁ ବୁଝି ପାରୁଛି। ସୀମା ସେପଟେ ଥିବା ସାଥୀକୁ ନେଇ ମୁଁ ଚିନ୍ତିତ, ମାତ୍ର କୌଣସି ବି ବ୍ୟକ୍ତିଙ୍କୁ ମାନବିକତା ସହାୟତା ପାଇଁ ନିୟନ୍ତ୍ରଣ ରେଖା ଅତିକ୍ରମ କରିବା ଭାରତର ପକ୍ଷକୁ ଆହୁରି ମଜବୁତ କରିବ। 

ଇମ୍ରାନ କହିଛନ୍ତି ଯେ ସୀମାପାରରୁ ମାନବିକତା ସହାୟତ ନୁହଁ ବରଂ ଆତଙ୍କବାଦୀ ଅନୁପ୍ରବେଶ କରିଥାନ୍ତି। ତେଣୁ ପିଓକେବାସୀଙ୍କୁ ଏଲଓସି ଅତିକ୍ରମ ନକରିବାକୁ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଇମ୍ରାନ ସ୍ଵୀକାର କରିଛନ୍ତି ଯେ ପାକିସ୍ତାନ ଓ ପିଓକେରୁ ଭାରତରେ ଅନୁପ୍ରବେଶ ହେଉଛି, ମାତ୍ର ଅନ୍ତରାଷ୍ଟ୍ରୀୟସ୍ତରରେ ଲୋକହସାରୁ ବର୍ତ୍ତିବା ପାଇଁ ପାକିସ୍ତାନ ସତର୍କ ହୋଇ ଯାଇଛି।

ଇମ୍ରାନ ଆଉ ଏକ ଟ୍ଵିଟ୍ କରି କହିଛନ୍ତି ଯେ ଯଦି ଆପଣ ସୀମା ଅତିକ୍ରମ କରନ୍ତି ତେବେ ଭାରତର ପାକିସ୍ତାନୀ ‘ଇସଲାମିକ ଆତଙ୍କବାଦୀ’ ଏଜେଣ୍ଡା ଆହୁରି ମଜବୁତ ହେବ। ତାଙ୍କର ଏହି ଟିପ୍ପଣୀରୁ ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ସୀମାରେ ଅନୁପ୍ରବେଶ କରୁଥିବା ସ୍ଵୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରେ ଭାରତ ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତ ପଦ୍ରାନକାରୀ ସାମ୍ବିଧାନିକ ୩୭୦ ଧାରାକୁ ଉଚ୍ଛେଦ କରି ରାଜ୍ୟର ପୁନର୍ଗଠନ ସ୍ଵରୂପ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲା। ଏହାକୁ ବିରୋଧ କରି ପାକିସ୍ତାନ ମିଳିତ ଜାତିସଂଘ ସମେତ ସମସ୍ତ ଦେଶ ସାମ୍ନାରେ ମାନବାଧିକାର  ପ୍ରସଙ୍ଗ ଉଠାଇଥିଲା। 

ମାତ୍ର କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବା ପାକିସ୍ତାନର ସବୁ ପ୍ରୟାସ ଅନ୍ତରାଷ୍ଟ୍ରୀୟସ୍ତରର ବିଫଳ ହୋଇଥିଲା। ଫ୍ରାନ୍ସ, ସାଉଦି ଆରବ, ରୁଷ ସମେତ ସମସ୍ତ ଦେଶ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିଥିଲେ। କେବଳ ଏତିକି ନୁହଁ  ପାକିସ୍ତାନ ସମେତ ଅନେକ ଦେଶ ପାକିସ୍ତାନକୁ ସୀମାପାର ଆତଙ୍କବାଦ ଉପରେ ଲଗାମ ଲଗାଇବାକୁ ଉପଦେଶ ଦେଇଥିଲେ।