Home > ଅନ୍ତରାଷ୍ଟ୍ରୀୟ
ଏଫଏଟିଏଫର କଳା ତାଲିକାରୁ ବଞ୍ଚିବା ପାଇଁ ଚୀନ ଶରଣରେ ପହଞ୍ଚିଲେ ଇମ୍ରାନ
Khabar Odisha:international-odisha-imran-khan-arrived-in-china-on-two-day-visit-hold-talks-with-top-chinese-leadership-and-xi-jinping
ନୂଆଦିଲ୍ଲୀ,ଅକ୍ଟୋବର୦୮(ଖବର ଓଡ଼ିଶା):

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର ଦୁଇ ଦିନିଆ ଗସ୍ତରେ ଚୀନ ପହଞ୍ଚିଛନ୍ତି। ଏହି ଗସ୍ତରେ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଆଲୋଚନା କରିବେ। ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ କ୍ଷେତ୍ରୀୟ ଓ ଦ୍ଵିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ। 

ଗତ ବର୍ଷ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ହେବା ପରେ ଖାନଙ୍କ ଏହା ତୃତୀୟ ଚୀନ ଗସ୍ତ। ପାକ୍ ପ୍ରଧାନମନ୍ତ୍ରୀ ଠିକ୍ ସେହି ସମୟରେ ଚୀନରେ ପହଞ୍ଚିଛନ୍ତି ଯେବେ କିଛି ଦିନ ପରେ ଜିନପିଙ୍ଗ ଦ୍ଵିତୀୟ ଥର ଅନୌପଚାରିକ ବୈଠକ ପାଇଁ ଭାରତ ଗସ୍ତରେ ଆସୁଛନ୍ତି। ସେ ଚଳିତ ସପ୍ତାହରେ ଚେନ୍ନାଇର ମହାବଳିପୁରମ ପହଞ୍ଚିବେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ। 

ସିଙ୍କ ଭାରତ ଯାତ୍ରାର ତାରିଖ ଏ ଯାଏ ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ। ଅନ୍ୟପଟେ ଇମ୍ରାନ ଖାନ ଚୀନ ରାଷ୍ଟ୍ରପତି ଓ ଚୀନ ପ୍ରଧାନମନ୍ତ୍ରୀ ଲି କେକିୟାଙ୍ଗ ସହିତ କ୍ଷେତ୍ରୀୟ ଓ ଦ୍ଵିପାକ୍ଷିକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଅଲଗା ଅଲଗା ବୈଠକ କରିବେ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ପାକିସ୍ତାନ ବାଉଳେଇ  ହେଉଛି। ଏହି ପ୍ରସଙ୍ଗରେ ଅନ୍ତରାଷ୍ଟ୍ରୀୟ ସ୍ତରର ସମସ୍ତ ମୋର୍ଚ୍ଚାରେ ପାକିସ୍ତାନକୁ ଶକ୍ତ ଧକ୍କା ଲାଗି ସାରିଛି। ପୁଣି ଆତଙ୍କବାଦ ମାମଲାରେ ଏଫଏଟିଏଫର କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ଚିନ୍ତିତ ରହିଛି।

ଚିର ମିତ୍ର ଚୀନ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଛି। ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି କହିଛନ୍ତି ଯେ, ସ୍ଥିତାବସ୍ଥା ପରିବର୍ତ୍ତନ ହେବା ପରି ପଦକ୍ଷେପ ଭାରତ ଉଠାଇବା ଉଚିତ୍ ନୁହଁ। ଏହି ପ୍ରସଙ୍ଗରେ ପାକିସ୍ତାନ ଓ ଚୀନ ମଧ୍ୟରେ ଆଲୋଚନା ହୋଇପାରେ। ଖାନ ଚୀନ-ପାକିସ୍ତାନ  ଆର୍ଥିକ କରିଡର ଆଧାରରେ ଜାରି ପ୍ରକଳ୍ପର ବିସ୍ତାର ଉପରେ ଆଲୋଚନା କରିବେ। ଏହା ସହିତ ଏଫଏଟିଏଫର କଳାତାଲିକାଭୁକ୍ତରୁ ବର୍ତ୍ତିବା ପାଇଁ ପାକିସ୍ତାନ ଚୀନର ସହାୟତା ଲୋଡ଼ିପାରେ।