Home > ଅନ୍ତରାଷ୍ଟ୍ରୀୟ
ୟୁଏନଏଚଆରସିରେ ପାକିସ୍ତାନକୁ ଭାରତର ଦୃଢ ଜବାବ, ଆତଙ୍କର କେନ୍ଦ୍ର ଶୁଣାଉଛି ମିଥ୍ୟା କାହାଣୀ
Khabar Odisha:international-odisha-india-replies-to-pakistan-on-jammu-and-kashmir-issue-in-unhrc-session
ଜେନେଭା,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

ଭାରତ ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନକୁ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଦୃଢ ଜବାବ ଦେଇଛି। ଭାରତ ପାକିସ୍ତାନକୁ ସ୍ପଷ୍ଟ ଶବ୍ଦରେ କହିଛି ଯେ ଜାମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଭାରତ କହିଛି ଯେ ମିଥ୍ୟାର ଏହି କାହାଣୀ ଆତଙ୍କବାଦର କେନ୍ଦ୍ରୁ ଆସୁଛି। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଠାକୁର ସିଂହ ପାକିସ୍ତାନକୁ ଜବାବ ଦେଇ କହିଛନ୍ତି ଯେ କାଶ୍ମୀରରେ ଅବସ୍ଥା ଧିରେ ଧିରେ ସ୍ଵାଭାବିକ ହେବାରେ ଲାଗିଛି। ଏହି ସମୟରେ ବୈଦେଶିକ ମନ୍ତ୍ରଣାଳୟର ସଚିବ ସହିତ ପାକିସ୍ତାନରେ ଭାରତର ରାଷ୍ଟ୍ରଦୂତ ଭାବେ କାମ କରିଥିବା ଅଜୟ ବିସାରିୟା ମଧ୍ୟ ଉପସ୍ଥିତ ଥିଲେ। 

ଏହା ପୂର୍ବରୁ ପାକିସ୍ତାନ ୧୧୫ ପୃଷ୍ଠାର ମିଥ୍ୟା ତଥ୍ୟ ସହିତ ୟୁଏନଏଚଆରସିରେ କାଶ୍ମୀରର ସ୍ଥିତିକୁ ନେଇ ଭାରତ ଉପରେ ଆରୋପ ଲଗାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଭାରତ ଉପରେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନର ଆରୋପ ଲଗାଇଥିଲା।

ବୈଦେଶିକ ମନ୍ତ୍ରଣାଳୟର ସଚିବ କହିଛନ୍ତି ଆମର ସମ୍ବିଧାନ ଯେ କୌଣସି ବ୍ୟକ୍ତିଙ୍କୁ ସମାନ ସମ୍ମାନ ଦେଇଥାଏ। ଆମର ସ୍ଵତନ୍ତ୍ର ନ୍ୟାୟପାଳିକା ଅବାଧ ମିଡିଆ ଓ ସମାଜ ମାନବାଧିକାରଙ୍କ ରକ୍ଷା କରିଥାଏ। ନିକଟରେ ଆମେ ନେଇଥିବା ପଦକ୍ଷେପରେ ଜାମ୍ମୁ-କାଶ୍ମୀର ଲୋକଙ୍କୁ ପ୍ରତ୍ୟେକ ନାଗରିକଙ୍କ ପରି ସମାନ ଅଧିକାର ମିଳିବ। ଏହି ପଦକ୍ଷେପରେ ଲୈଙ୍ଗିକ ଭେଦଭାବ ସମାପ୍ତ ହେବ। ପାକିସ୍ତାନର ଜଣେ ପ୍ରତିନିଧିମଣ୍ଡଳ ମୋର ଦେଶ ଉପରେ ଆପତ୍ତିଜନକ ବୟାନବାଜି କରି ମିଥ୍ୟା ଆରୋପ  ଲଗାଇଛି।

ସେ କହିଛନ୍ତି ଯେ ଦୁନିଆ ଜାଣିଛି ଯେ ମିଥ୍ୟାର ଏହି କାହାଣୀ ବିଶ୍ଵ ଆତଙ୍କୀ କେନ୍ଦ୍ରରୁ ଆସିଛି, ଯେଉଁଠି ଆତଙ୍କବାଦକୁ ଆଶ୍ରୟ ଦିଆଯାଏ। ଭାରତ ସଂସଦ ଦ୍ଵାରା ପାରିତ ଅନ୍ୟ ବିଧାନ ପରି ଏହି ନିର୍ଣ୍ଣୟ ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା।

ସେ କହିଛନ୍ତି ଯେ, ଭାରତ ବିବିଧତାରେ ଭରା ଦେଶ। ଭାରତ ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ଦେଶ ହେବା ଏକ ସୌଭାଗ୍ୟର କଥା। ଚଳିତ ବର୍ଷ ଦୁନିଆ ସବୁଠୁ ବଡ଼ ଏହି ଗଣତନ୍ତ୍ର ଦେଶରେ ଗଣତନ୍ତ୍ରର ପ୍ରକ୍ରିୟା ଦେଖିଛି, ଯେଉଁଠି ୧୦ ଲକ୍ଷ  ମତଦାନ କେନ୍ଦ୍ରରେ ୯୦ କୋଟି ଭାରତୀୟ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। ଗଣତନ୍ତ୍ର ପ୍ରତି ଆମର ପ୍ରତିବଦ୍ଧତା ବଳବତ୍ତର ରହିଛି, ଯାହାର ପ୍ରଶଂସା ସମଗ୍ର ଦୁନିଆ କରୁଛି।

ଆମର ସମ୍ବିଧାନ ସର୍ବୋପରି, ଯିଏ ପ୍ରତ୍ୟେକ ଭାରତୀୟଙ୍କୁ ସମାନ ଅଧିକାରର ଅଧିକାର ଦେଇଥାଏ। ଏହା ନ୍ୟାୟ, ସ୍ଵାଧୀନତା ଓ ସମାନତାର ରକ୍ଷା କରିଥାଏ। ଧର୍ମନିରପେକ୍ଷ ରାଜନୀତିରେ ଆମର ବିଶ୍ଵାସ ଅତୁଟ ରହିଛି। ଆମର ସ୍ଵତନ୍ତ୍ର ନ୍ୟାୟପାଳିକା ମୌଳିକ ଅଧିକାର ଓ ସ୍ଵାଧୀନତାର ସଂରକ୍ଷକ ଅଟେ। ଆମର ସ୍ଵତନ୍ତ୍ର ମିଡିଆ, ଜୀବନ୍ତ ନାଗରିକ ସମାଜ ଓ ନିରପେକ୍ଷ ସଂସ୍ଥା ସମାଜର ସବୁ ବର୍ଗର ମାନବାଧିକାର ସଂରକ୍ଷଣ ପାଇଁ ଏକ ପ୍ରଭାବୀ ଢାଞ୍ଚା ପ୍ରଦାନ କରେ। 

ଜାମ୍ମୁ-କାଶ୍ମୀର ମାମଲାରେ  ଜବାବ ଦେଇ ବିଜୟ ଠାକୁର ସିଂହ କହିଛନ୍ତି ଯେ,  ଭାରତ ନିକଟରେ ନିଜର ସମ୍ବିଧାନ ମୁତାବକ କିଛି ମହତ୍ଵପୂର୍ଣ୍ଣ  ପଦକ୍ଷେପ ନେଇଛି, ଯାହା ଜାମ୍ମୁ-କାଶ୍ମୀର ଓ ଲଦାଖର ନାଗରିକଙ୍କୁ ଆଗକୁ ବଢିବାରେ ମହତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ନିଷ୍ପତ୍ତି ଲୋକଙ୍କୁ ସଂପତ୍ତିର ଅଧିକାର ଓ ସ୍ଥାନୀୟ ପୌରପାଳିକା ନିର୍ବାଚନରେ ପ୍ରତିନିଧି ସହିତ ଲିଙ୍ଗଗତ ଭେଦଭାବକୁ ସମାପ୍ତ କରିବାରେ ସହାୟକ ହେବ। ଶିକ୍ଷା, ସୂଚନା ଓ କାମ କରିବାର ଅଧିକାର ମିଳିବ। ଶରଣାର୍ଥୀ ଓ ବିଶେଷ ଅଧିକାର ପ୍ରାପ୍ତ ବର୍ଗଙ୍କ ବିରୋଧରେ  ଦୀର୍ଘ ସମୟ ଧରି ଚାଲି ଆସିଥିବା ଭେଦଭାବର ଅନ୍ତ ଘଟିବ। 

ସେ କହିଛନ୍ତି ଯେ ଏହି ସବୁ ନିଷ୍ପତ୍ତି ସଂସଦରେ ପୂରା ବିତର୍କ ପରେ ହିଁ ନିଆଯାଇଛି। ଏହି ବିତର୍କକୁ ପୂରା ଦେଶ ଦେଖିଛି ଏବଂ ଏହାର ସମର୍ଥନ କରିଛି। ସେ କହିଛନ୍ତି ଯେ, ମୁଁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଭାରତର ସମ୍ବିଧାନ ଦ୍ଵାରା ନିଆଯାଇଥିବା ଏହି ନିଷ୍ପତ୍ତି ଅନ୍ୟ ସବୁ ନିଷ୍ପତ୍ତି ପରି ଦେଶର ଆଭ୍ୟନ୍ତରୀଣ ମାମଲା।

ଏହି ଆରୋପ ଲଗାଇଥିଲା ପାକିସ୍ତାନ

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ୟୁଏନଏଚଆରସିରେ ନିଜ ଆରୋପରେ ବିଜେପିର ନିର୍ବାଚନୀ ଇସ୍ତାହାରକୁ ମଧ୍ୟ ଉଲ୍ଲେଖ କରିଥିଲେ। କ୍ୟୁରେସୀ ଆରୋପ ଲଗାଇଥିଲେ ଯେ ନିର୍ବାଚନୀ ଇସ୍ତାହାରରେ କାଶ୍ମୀରରେ ବଳପୂର୍ବକ ମୁସଲିମକୁ ଅଳ୍ପସଂଖ୍ୟକ କୁହାଯାଇଥିଲା।  ସେ କହିଥିଲେ ଯୈ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହଁ। କାଶ୍ମୀରରେ ଶ୍ମଶାନ ପରି ନିରବତା ଛାଇ ରହିଛି। ସେଠାରେ ନରସଂହାର କରାଯାଉଛି। ଜାମ୍ମୁ-କାଶ୍ମୀର ଲୋକଙ୍କ ମୌଳିକ ଅଧିକାରକୁ ଭାରତ ଛଡ଼ାଇ ନେଇଛି। ସେଠାକାର ଲୋକେ ମୌଳିକ ଅଧିକାର ଉଲ୍ଲଂଘନର ଶିକାର  ହେଉଛନ୍ତି।