Home > ଅନ୍ତରାଷ୍ଟ୍ରୀୟ
ୟୁଏନରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ପାକିସ୍ତାନକୁ ଦେଖାଇଲା ଆଇନା, କହିଲା ତୁମ ପାପ ଦୁନିଆକୁ ଜଣା
Khabar Odisha:international-odisha-india-show-mirror-to-pakistan-on-jammu-kashmir-at-unhrc
ଜେନେଭା,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

ମିଳିତ ଜାତିସଂଘ ମାନବାଧିକାର ପରିଷଦରେ ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତ ପୁଣି ଥରେ ପାକିସ୍ତାନ ମିଥ୍ୟାର ପର୍ଦ୍ଦାଫାଶ କରିଛି। ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରଣାଳୟର ପ୍ରଥମ ସଚିବ କହିଛନ୍ତି ଯେ ଆମର ପଦକ୍ଷେପରେ ପାକିସ୍ତାନ ଅନୁଭବ କରି ପାରିଛି ଯେ ତାର ଆତଙ୍କୀ ଉଦ୍ଦେଶ୍ୟ ଏବେ ଆଉ କାମ ଦେବ ନାହିଁ। ଭାରତ ଜାମ୍ମୁ-କାଶ୍ମୀରରେ ହିଂସା ଉସୁକାଇବା ପାଇଁ ପାକିସ୍ତାନକୁ ଦାୟୀ କରିଛି। ଭାରତ କାଶ୍ମୀର ପ୍ରସଙ୍ଗରେ ୟୁଏନଏଚଆରସି ଯାଞ୍ଚ କରିବା ଦରକାର  ପାକିସ୍ତାନର ଉକ୍ତ ଦାବିକୁ ମଧ୍ୟ ଖାରଜ କରିଛି। ଏହା ପୂର୍ବରୁ  ଭାରତର ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଠାକୁର ସିଂହ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେଇ କହିଥିଲେ ଯେ ମିଥ୍ୟାର ଏହି କାହାଣୀ ବିଶ୍ଵ ଆତଙ୍କବାଦର କେନ୍ଦ୍ରରୁ ଆସିଛି। ଭାରତର ଏହି ଡବଲ ହମଲାରେ ପାକିସ୍ତାନର ମୁହଁ ବନ୍ଦ ହୋଇ ଯାଇଛି। ଜାଣନ୍ତୁ ୟୁଏନଏଚଆରସିରେ କେମିତି ଭାରତ ପାକିସ୍ତାନକୁ ଦେଖାଇଲା ଆଇନା-

- ୟୁଏନଏଚଆରସିରେ  ବୈଦେଶିକ ମନ୍ତ୍ରଣାଳୟର ପ୍ରଥମ ସଚିବ ବିମର୍ଶ ଆର୍ଯ୍ୟନ ପାକିସ୍ତାନକୁ ଆଇନା ଦେଖାଇ କହିଛନ୍ତି ଯେ ଧାରା ୩୭୦ ଭାରତୀୟ ସମ୍ବିଧାନର ଏକ ଅସ୍ଥାୟୀ ପ୍ରାବଧାନ ଥିଲା, ଏଥିରେ ପରିବର୍ତ୍ତନ କରିବା ସଂପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତୀଣ ବ୍ୟପାର ଓ ଅଧିକାର।

- ସେ କହିଛନ୍ତି ଯେ ପାକିସ୍ତାନକୁ ଏହି ପ୍ରସଙ୍ଗରେ କଥା କହିବାର କୌଣସି ଅଧିକାର ନାହିଁ। ଆମେ ପାକିସ୍ତାନର ଅଯଥା ପ୍ରତିକ୍ରିୟାରେ ଚକିତ ନୁହଁ। ପାକିସ୍ତାନର ଉଦ୍ଦେଶ୍ୟ ଏହି ମଞ୍ଚକୁ ରାଜନୀତିକରଣ ଓ ଧ୍ରୁବୀକରଣ କରିବା। ପାକିସ୍ତାନ ମର୍ମେ ବୁଝି ପାରିଛି ଯେ ଏବେ ତାର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପରେ ସଫଳ ହେବ ନାହିଁ।

- ବିମର୍ଶ ଆର୍ଯ୍ୟନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମ ନନେଇ ତାଙ୍କ ବୟାନକୁ ଉଲ୍ଲେଖ କରି କହିଛନ୍ତି ଯେ ପାକିସ୍ତାନର କିଛି ନେତା ତ ଜାମ୍ମୁ-କାଶ୍ମୀରରେ ହିଂସା ଭିଆଇବା ପାଇଁ ଜିହାଦ କରିବାକୁ ଦାବି କରୁଛନ୍ତି। ଏଥିପାଇଁ ପାକିସ୍ତାନ ଏମିତି ଛବି ଦେଖାଇବା ଆରମ୍ଭ କରିଛି, ଯାହାର ସତ୍ୟତା ସହ କୌଣସି ସଂପର୍କ ନାହିଁ। 

- ଗଣତନ୍ତ୍ରର ମୂଳ ମୂଲ୍ୟକୁ ସଂରକ୍ଷିତ କରିବା ପାଇଁ କାଶ୍ମୀରର ଲୋକେ ଏକଜୁଟ୍ ଅଛନ୍ତି ଓ ପାକିସ୍ତାନକୁ କାଶ୍ମୀର  ଉପରେ କହିବାର କୌଣସି ଅଧିକାର ନାହିଁ। 

- ପାକିସ୍ତାନ ମାନବାଧିକାର ଉପରେ ବିଶ୍ଵ ସମୁଦାୟର ସ୍ଵର ରୂପେ କହିବାର ନାଟକ କରୁଛି, ମାତ୍ର ଦୁନିଆକୁ ଏହି ପଡ଼ୋଶୀ ଆତଙ୍କୀ ଦେଶ ବୋକା ବନାଇ ପାରିବ ନାହିଁ। ଏହି ବୟାନବାଜୀ ପାକିସ୍ତାନର ଅଳ୍ପସଂଖ୍ୟକ ସମୁଦାୟ ଇସାଇ, ଶିଖ, ସିଆ, ଅହମଦିୟା ଓ ହିନ୍ଦୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ଓ ଉତ୍ପୀଡ଼ନଠୁ ଅନ୍ତରାଷ୍ଟ୍ରୀୟ ସମୁଦାୟର ଧ୍ୟାନ  ହଟାଇ ପାରିବ ନାହିଁ।