Home > ଅନ୍ତରାଷ୍ଟ୍ରୀୟ
ଜାପାନର କ୍ୟୋଟାରେ ଏନିମେସନ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୪ ଜଣ
Khabar Odisha:international-odisha-japan-suspected-arson-rises-many-people-killed-fire-department
ଟୋକିଓ,ଜୁଲାଇ୧୮(ଖବର ଓଡ଼ିଶା):

ଜାପାନରେ ଏକ ଏନିମେସନ ଷ୍ଟୁଡିଓରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ସନ୍ଦିଗ୍ଧ ଅଗ୍ନିକାଣ୍ଡ ଘଟଣାରେ ଅତି କମରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। କ୍ୟୋଟୋ ସହର ସ୍ଥିତ ଏହି କୋଠାଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ପୋଲିସ ମୁତାବକ ଜାଣିଶୁଣି କୋଠାରେ ନିଆଁ ଲଗାଇ ଦିଆଯାଇଛି। ମାତ୍ର ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ଜଣା ପଡ଼ିନାହିଁ।

ପରିସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ବୃଦ୍ଧି ଘଟିପାରେ। ଅଧିକାରୀଙ୍କ କହିବା କଥା ଅନେକ ଲୋକ ନିଆଁରୁ  ବଞ୍ଚିବାରୁ ସଫଳ ହୋଇ ପାରିନାହାନ୍ତି। ଦମକଳ ବିଭାଗର ଅଧିକାରୀ କହିଛନ୍ତି ଯେ, ଭୂତଳ ଓ ପ୍ରଥମ ମହଲାରେ ୧୨ ଜଣ ଧୂଆଁରେ ଅଣନିଃଶ୍ଵାସୀ ହୋଇ ପ୍ରାଣ ହରାଇଛନ୍ତି।

ଅଧିକାରୀଙ୍କ ମୁତାବକ ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି, ଏଥିରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସ୍ଥାନୀୟ ମିଡିଆ ମୁତାବକ ଘଟଣା ସମୟରେ କୋଠାରେ ପ୍ରାୟ ୭୦ ଜଣ ଥିଲେ। ଦମକଳ ବିଭାଗର ମୁଖପାତ୍ର କହିଛନ୍ତି ଯେ, ଉଦ୍ଧାରକାର୍ୟ୍ୟ  ଜାରି  ରହିଛି ଏବଂ ଭିତରେ ଫଶି ରହିଥିବା ପୀଡିତଙ୍କୁ ବାହାର କରିବାକୁ ଉଦ୍ୟମ ଜାରି ରହିଛି।

ପୋଲିସ କହିଛି ଯେ ମାମଲାର ତଦନ୍ତ ଜାରି ରହିଛି। ଅଗ୍ନିକାଣ୍ଡର କାରଣ ଖୋଜାଯାଉଛି ମାତ୍ର ଏହା ଜାଣିଶୁଣି ନିଆଁ ଲଗାଇ ଦିଆଯାଇଥିବା ପାରିପାର୍ଶ୍ଵିକ ସ୍ଥିତି ଦେଖିଲେ ଲାଗୁଛି। ଜଣେ ବ୍ୟକ୍ତି କିଛି ତରାଳ ପଦାର୍ଥ ଫିଙ୍ଗିବା ପରେ ନିଆଁ ଲଗାଇ ଦେଇଥିଲା। ଏହି ଘଟଣାରେ ସମ୍ବନ୍ଧିତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।