Home > ଅନ୍ତରାଷ୍ଟ୍ରୀୟ
ଚେନ୍ନାଇରେ ୨୪ ଘଣ୍ଟା ବିତାଇବେ ରାଷ୍ଟ୍ରପତି ସି ଜିନପିଙ୍ଗ, ମୋଦୀଙ୍କ ସହିତ ୭ ଘଣ୍ଟାରେ କରିବେ ୪ ବୈଠକ
Khabar Odisha:international-odisha-narendra-modi-and-xi-jinping-will-do-four-separate-meetings-together-lasting-over-5-hours
ନୂଆଦିଲ୍ଲୀ,ଅକ୍ଟୋବର୦୭(ଖବର ଓଡ଼ିଶା):

ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଆଗାମୀ ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ଵିତୀୟ ଅନୌପଚାରିକ ବୈଠକ ପାଇଁ ଶୁକ୍ରବାର  ଜିନପିଙ୍ଗ ଚେନ୍ନାଇରେ ପହଞ୍ଚିବେ। ଦୁଇ ବିଶ୍ଵ ନେତା ଭିନ୍ନ ଭିନ୍ନ ବୈଠକ କରିବେ ଏବଂ ଏହାର ସମୟ ଅବଧି ପାଞ୍ଚ ଘଣ୍ଟା କିମ୍ବା ୩୧୫ ମିନିଟ୍ ପର୍ଯ୍ୟନ୍ତ ହୋଇପାରେ। ଦୁଇ ନେତା ସମୁଦ୍ର କୂଳରେ ନିର୍ମିତ ରିସର୍ଟରେ ରହିବେ, ଯେଉଁଠି ବଙ୍ଗୋପସାଗରର ଦୃଶ୍ୟ ଦୃଶ୍ୟମାନ ହୋଇଥାଏ। 

ଜିନପିଙ୍ଗ ୨୪ ଘଣ୍ଟା ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ବିତାଇବେ। ସେ ଶୁକ୍ରବାର ଅପରାହ୍ନ ୧ଟା ୩୦ରେ ଚେନ୍ନାଇରେ ପହଞ୍ଚିବେ ଓ ପରବର୍ତ୍ତୀ ଦିନ ଠିକ୍ ଏହି ସମୟରେ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବେ। ଉଭୟ ନେତା ମହାବଳିପୁରମର ତିନି ପ୍ରସିଦ୍ଧ ସ୍ମାରକ ଓ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଦୁଇ ନେତା ପ୍ରାୟ ଏକ ଘଣ୍ଟା ରହିବେ। ଏହି ପରି ମୋଦୀ ଓ ଜିନପିଙ୍ଗ ପ୍ରାୟ ସାତ ଘଣ୍ଟା ଏକାଠି ରହିବେ। 

ଦୁଇ ନେତାଙ୍କ ବୈଠକ ପୂର୍ବରୁ ଚୀନ ଅରୁଣାଚଳ ପ୍ରଦେଶ ସ୍ଥିତ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ହେଉଥିବା ସମରାଭ୍ୟାସକୁ ନେଇ ଆପତ୍ତି ପ୍ରକାଶ କରିଛି। ଯେଉଁ କାରଣରୁ  ଜିନପିଙ୍ଗଙ୍କ ଭାରତ ଗସ୍ତର ତାରିଖ ଏ ଯାଏ ଘୋଷଣା ହୋଇ ନାହିଁ। ମାତ୍ର କୁହାଯାଉଛି ଯେ ଜିନପିଙ୍ଗ ଶୁକ୍ରବାର ଭାରତରେ ପହଞ୍ଚିବେ। 

ସୂଚନା ମୁତାବକ ଦୁଇ ନେତା ଶୁକ୍ରବାର ସନ୍ଧ୍ୟା ୫ଟାରେ ନିଜ ଅନୌପଚାରିକ ବୈଠକ କରିବେ। ଦୁଇ  ବିଶ୍ଵସ୍ତରୀୟ ନେତା  ଏକ ଘଣ୍ଟାର କାର୍ଯ୍ୟକ୍ରମରେ ତିନୋଟି ସ୍ମାରକ ଅର୍ଜୁନଙ୍କ ତପସ୍ୟାସ୍ଥଳୀ, ପଞ୍ଚ ରଥ ଓ ମଲ୍ଲପୁରମର ସୋର ମନ୍ଦିର ଯାତ୍ରା କରିବେ। ଏହା ବ୍ୟତୀତ ଦୁଇ ନେତା ଶୋର ମନ୍ଦିରରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। 

ଅନୁମାନ କରାଯାଉଛି ଯେ, ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଶାନ୍ତି ସ୍ଥାପନ ଓ କାରବାର ସମ୍ବନ୍ଧିତ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ରହିପାରେ। ବୈଠକରେ ସୀମା ବିବାଦର ସମାଧାନ ପାଇଁ ଆଗାମୀ ପର୍ଯ୍ୟାୟର ଯୋଜନା ତିଆରି କରିବା ଓ କାରବାର ଘାଟାକୁ କମ କରିବା ପାଇଁ ଚୀନକୁ ଅଧିକ ଭାରତୀୟ ସାମଗ୍ରୀ ରପ୍ତାନୀ କରିବା ଉପାୟରେ ଆଲୋଚନା ହୋଇପାରେ। 

ଏହା ବ୍ୟତୀତ ବାଂଲାଦେଶ-ଚୀନ-ଭାରତ-ମିଆନମାର କରିଡରର ପ୍ରଗତି ଉପରେ ମଧ୍ୟ ଅଲୋଚନା କରାଯିବ। କାରଣ ଏହା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭରୁ ବାହାରେ ରହିଛି। ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସି ଜିନପିଙ୍ଗଙ୍କୁ ଆଶ୍ଵସ୍ତ କରିବେ ଯେ  ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନରେ ବାସ୍ତବିକ ନିୟନ୍ତ୍ରଣ ରେଖା ପ୍ରଭାବିତ ହେବ ନାହିଁ।