Home > ଅନ୍ତରାଷ୍ଟ୍ରୀୟ
କାଙ୍ଗାଳ ଦେଶର ବାସ୍ତବିକତା: ୪୩ ଦେଶର ମୋଟ୍ ଜିଡିପି ଯାହା, ପାକ୍ ଉପରେ ରହିଛି ସେତିକି ପରିମାଣର ଋଣ ବୋଝଭାର
Khabar Odisha:international-odisha-pakistan-debt-reaches-105-billion-usd-equals-to-43-countries-gdp
ନୂଆଦିଲ୍ଲୀ,ଅଗଷ୍ଟ୧୦(ଖବର ଓଡ଼ିଶା):

ଜାମ୍ମୁ ଓ କାଶ୍ମୀରରୁ ମୋଦୀ ସରକାର ଧାରା ୩୭୦ ଉଚ୍ଛେଦ କରିବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି ପାକିସ୍ତାନ। ଏହାକୁ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ ଦର୍ଶାଇ ପାକିସ୍ତାନ ମିଳିତ ଜାତିସଂଘର ଦ୍ଵାରସ୍ଥ ହୋଇଥିଲା, ମାତ୍ର ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ପାକିସ୍ତାନର ଅଯୌକ୍ତିକକୁ ଏଡ଼ାଇ ଦେଇଛି ୟୁଏନ। ଅନ୍ୟପକ୍ଷେ ଆମେରିକା ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ପାକିସ୍ତାନ ଚୀନର ଶରଣରେ ପଶିଥିଲା। କିନ୍ତୁ ଚୀନ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଏତେଟା ଗୁରୁତ୍ଵ ଦେଇ ନାହିଁ। ଫଳରେ ପାକିସ୍ତାନର ହତାଶାଭାବ ଏବେ ଚରମରେ ରହିଛି।

ଅନ୍ୟପକ୍ଷେ ପାକିସ୍ତାନର ଅର୍ଥନୀତି ଭୁଶୁଡିବାରେ ଲାଗିଛି। କିନ୍ତୁ ଆପଣ ଜାଣିଛନ୍ତି କି ପାକିସ୍ତାନ ଉପରେ ଯେତିକି ପରିମାଣର ଋଣର ବୋଝଭାର ରହିଛି, ତାହା ୪୩ ଛୋଟ ଦେଶର ମିଳିତ ଅର୍ଥବ୍ୟବସ୍ଥା ସହ ସମାନ। ନିଜ ଉପରେ ଏତେ  ବଡ଼ ଆର୍ଥିକ ବୋଝ ଥିଲେ ମଧ୍ୟ ପାକିସ୍ତାନ ଭାରତ ବିପକ୍ଷରେ ନିଜର  ହୀନ ଉଦ୍ଦେଶ୍ୟରୁ ନିବୃତ୍ତ ହେଉନାହିଁ। 

ଭାରତଠୁ ବହୁତ ପଛରେ ପାକିସ୍ତାନ 

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ୨୦୧୮ ରାଙ୍କିଙ୍ଗ ମୁତାବକ ଭାରତର ସକଳ ଘରୋଇ ଉତ୍ପାଦ(ଜିଡିପି) ୨.୭୧ ଲକ୍ଷ କୋଟି ଆମେରିକା ଡଲାର। ଏହି ଦୃଷ୍ଟିରୁ ଭାରତ ଦୁନିଆର ସପ୍ତମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ଦେଶ। ଅନ୍ୟ ପଟେ ପାକିସ୍ତାନ ଆଇଏମଏଫର ମାନ୍ୟତାରେ ୩୯ତମ ସ୍ଥାନରେ ରହିଛି। ପାକିସ୍ତାନର ଜିଡିପି ମାତ୍ର ୦.୩୧ ଲକ୍ଷ କୋଟି ଆମେରିକା ଡଲାର। 

ଋଣରେ ବୁଡି ରହିଛି ପାକିସ୍ତାନ

ବର୍ତ୍ତମାନ ସମୟରେ ପାକିସ୍ତାନ ଉପରେ ପ୍ରାୟ ୧୦୫ ବିଲିୟନ ଆମେରିକା ଡଲାରର ବିଦେଶୀ ଋଣଭାର ରହିଛି। ରିପୋର୍ଟ ଅନୁସାରେ ପାକିସ୍ତାନ ଉପରେ ଏହା ହେଉଛି ସବୁଠୁ ବଡ଼ ପରିମାଣର ଋଣବୋଝଭାର। ୨୦୦୪ ତୃତୀୟ ତ୍ରୟୋମାସରେ ପାକ୍ ଉପରେ ୩୩ ବିଲିୟନ ଡଲାରର ଋଣଭାର ଥିଲା।

୪୩ ଦେଶର ଅର୍ଥବ୍ୟବସ୍ଥା ସହ ବରାବର ପାକ୍ ଋଣ

ପାକିସ୍ତାନ ଉପରେ ଯେତିକି ପରିମାଣ ଋଣବୋଝଭାର ରହିଛି ତାହା ୪୩ ଦେଶର ମିଳିତ ଜିଡିପିର ବରାବର। ଏଥିରେ କିରିବାତି, ସାମୋଆ, ସେଶେଲ୍ସ, ଗାମ୍ବିଆ, ଆଣ୍ଟିଗୁଆ ଓ ବରବୁଡା, ଭୂଟାନ, ମଧ୍ୟ ଆଫ୍ରିକା, ଲାଇବେରିଆ, ବୁରୁଣ୍ଡି, ସୁରିନେମ, ଦକ୍ଷିଣ ସୁଦାନ, ସିଏରା ଲିୟୋନ, ମାଳଦ୍ଵୀପ, ବାର୍ବାଡୋସ୍, ଫିଜି ପରି ଦେଶ ସାମିଲ।  ଏହି ୪୩ ଦେଶର ମିଳିତ ଅର୍ଥବ୍ୟବସ୍ଥା ପ୍ରାୟ ୧୦୭ ବିଲିୟନ ଡଲାର ରହିଛି।