Home > ଅନ୍ତରାଷ୍ଟ୍ରୀୟ
ବିଚଳିତ ପାକିସ୍ତାନ ସମଝୌତା ଏକ୍ସପ୍ରେସ୍ ପରେ ବନ୍ଦ କଲା ଭାରତ ସହିତ ସମସ୍ତ ବସ୍ ସେବା
Khabar Odisha:international-odisha-pakistan-lahore-delhi-amritsar-nankana-bus-service-article-370-jammu-kashmir
ଶ୍ରୀନଗର,ଅଗଷ୍ଟ୧୦(ଖବର ଓଡ଼ିଶା):

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟର ପୁନର୍ଗଠନ ପରେ ଅଯଥା ପ୍ରତିକ୍ରିୟାଶୀଳ ହୋଇ ଉଠିଥିବା ପାକିସ୍ତାନ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲୁଥିବା ସମସ୍ତ ବସ୍ ସେବାକୁ ବନ୍ଦ କରି ଦେଇଛି। ପାକିସ୍ତାନ ଲାହୋର-ଦିଲ୍ଲୀ ବସ ସେବାକୁ ଶୁକ୍ରବାର ବନ୍ଦ କରିବା ପରେ ଶନିବାର ଲାହୋର-ଅମୃତସର ଓ ନନକାନା ସାହିବ-ଅମୃତସର ବସ ସେବାକୁ ମଧ୍ୟ ରୋକି ଦେଇଛି। ଜାମ୍ମୁ-କାଶ୍ମୀର ଉପରେ ଭାରତ ସରକାରଙ୍କ ବଡ଼ ପଦକ୍ଷେପ ପରେ ପାକିସ୍ତାନ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇ ଚାଲିଛି। ଏହା ପୂର୍ବରୁ ଏହି ପଡ଼ୋଶୀ ଦେଶ ସମଝୌତା ଏକ୍ସପ୍ରେସ ରୋକିବାକୁ ଘୋଷଣା କରିଥିଲା। 

ଏହା ପୂର୍ବରୁ ପାକିସ୍ତାନ ଭାରତ ସହିତ କୂଟନୈତିକ ସମ୍ବନ୍ଧ କମ କରିବା ସହିତ ଦ୍ଵିପାକ୍ଷିକ ବାଣିଜ୍ୟିକ ସଂପର୍କ ମଧ୍ୟ ଛିନ୍ନ କରିଥିଲା। ଭାରତର ରାଷ୍ଟ୍ରଦୂତ ଅଜୟ ବିସାରିଆଙ୍କୁ ମଧ୍ୟ ନିଷ୍କାସିତ କରିଥିଲା। କାଶ୍ମୀରକୁ ଅନ୍ତରାଷ୍ଟ୍ରୀୟ କରଣ କରିବାକୁ ଚେଷ୍ଟା ସ୍ଵରୂପ ପାକିସ୍ତାନ ମିଳିତ ଜାତିସଂଘର ଦ୍ଵାରସ୍ଥ ହୋଇଥିଲା, ମାତ୍ର ଏହା ଭାରତର ଆଭ୍ୟନ୍ତରୀଣ ବ୍ୟପାର ହୋଇଥିବାରୁ ପାକିସ୍ତାନର ଅଯୌକ୍ତିକକୁ ଏଡ଼ାଇ ଦେଇଥିଲା ୟୁଏନ। ଅନ୍ୟପକ୍ଷେ ଆମେରିକା ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିବା ପରେ ପାକିସ୍ତାନ ଚିରସହଚର ବନ୍ଧୁ ଚୀନର ଶରଣରେ ପଶିଥିଲା। କିନ୍ତୁ ଚୀନ ମଧ୍ୟ କାଶ୍ମୀର ପ୍ରସଙ୍ଗରେ ଏତେଟା ଗୁରୁତ୍ଵ ଦେଇ ନାହିଁ। ଫଳରେ ପାକିସ୍ତାନର ହତାଶାଭାବ ଏବେ ଚରମରେ ରହିଛି।

ବସ୍ ସେବା ବନ୍ଦ କରିବା ପୂର୍ବରୁ ପାକିସ୍ତାନ ଦୁଇ ଦେଶ ମଧ୍ୟରେ ସୌହାର୍ଦ୍ଦ୍ୟର ବାର୍ତ୍ତା ପରିପ୍ରେକ୍ଷୀରେ ଯାତ୍ରା କରୁଥିବା ସମଝୌତା ଏକ୍ସପ୍ରେସକୁ ସ୍ଥାୟୀ ଭାବେ ବନ୍ଦ କରି ଦେଇଛି। ପାକ୍ ରେଳ ମନ୍ତ୍ରୀ ଶେଖ ରାଶିଦ ଅହମ୍ମଦ କହିଥିଲେ ଯେ, ଅଗ୍ରୀମ ଟିକେଟ୍ କିଣିଥିବା ଯାତ୍ରୀଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରାଯିବ ଏବଂ ଇଦ୍ ଅବସରରେ ଯାତ୍ରୀଙ୍କ ସୁବିଧା ପାଇଁ ସମଝୌତା ଏକ୍ସପ୍ରେସର ବଗିକୁ ଉପଯୋଗ କରାଯିବ।  ସମଝୌତା ଏକ୍ସପ୍ରେସ ସପ୍ତାହରେ ଦୁଇ ଥର ଓ୍ଵାଘା ରେଳ ଷ୍ଟେସନ ରାସ୍ତା ଦେଇ ଲାହୋରରୁ ଅଟାରୀ ମଧ୍ୟରେ ଯାତ୍ରା କରିଥାଏ।