Home > ଅନ୍ତରାଷ୍ଟ୍ରୀୟ
ୟୁଏନଏଚଆରସିରେ କାଶ୍ମୀରକୁ ନେଇ ମିଥ୍ୟା ଅଭିଯୋଗ କଲା ପାକିସ୍ତାନ, ଏବେ ଭାରତ ଦେବ ଜବାବ
Khabar Odisha:international-odisha-pakistan-raises-jammu-and-kashmir-issue-in-unhrc-session
ଜେନେଭା,ସେପ୍ଟେମ୍ବର୧୦(ଖବର ଓଡ଼ିଶା):

 ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରଠୁ ବାଉଳେଇ ହେଉଥିବା ପାକିସ୍ତାନ ଏବେ ମିଳିତ ଜାତିସଂଘ ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ଏହାକୁ ପ୍ରସଙ୍ଗ କରିବାକୁ ଯଥା ସମ୍ଭବ ଉଦ୍ୟମରେ ଜୁଟି ଯାଇଛି। ପାକିସ୍ତାନ ମଙ୍ଗଳବାର ୧୧୫ ପୃଷ୍ଠାର ମିଥ୍ୟା ତଥ୍ୟ ସହିତ ୟୁଏନଏଚଆରସିରେ କାଶ୍ମୀରର ସ୍ଥିତିକୁ ନେଇ ଭାରତ ଉପରେ ଆରୋପ ଲଗାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେସୀ ଭାରତ ଉପରେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନର ଆରୋପ ଲଗାଇଛି। ସେ କହିଛନ୍ତି ଯେ କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହଁ ଏବଂ ମିଳିତ ଜାତିସଂଘକୁ ଏଥିରେ ହସ୍ତକ୍ଷେପ କରିବା ଉଚିତ୍। ପାକିସ୍ତାନର ଏହି ମନଗଢା ଆରୋପ ଉପରେ ଭାରତ ଆଉ କିଛି ସମୟ ପରେ ଜବାବ ଦେବ। ଜାଣନ୍ତୁ ପାକିସ୍ତାନ ୟୁଏନଏଚଆରସିରେ କଣ କଣ କହିଛି...

- ପାକିସ୍ତାନର ବୈଦେଶିକ ମନ୍ତ୍ରୀ ୟୁଏନଏଚଆରସିରେ ବିଜେପିର ନିର୍ବାଚନୀ ଇସ୍ତାହାରକୁ ମଧ୍ୟ ଉଲ୍ଲେଖ କରିଛନ୍ତି। କ୍ୟୁରେସୀ ଆରୋପ ଲଗାଇଛନ୍ତି ଯେ ନିର୍ବାଚନୀ ଇସ୍ତାହାରରେ କାଶ୍ମୀରରେ ବଳପୂର୍ବକ ମୁସଲିମକୁ ଅଳ୍ପସଂଖ୍ୟକ କୁହାଯାଇଥିଲା। 

- ପାକ୍ ବୈଦେଶିକ ମନ୍ତ୍ରୀ ୟୁଏନଏଚଆରସିରରେ କହିଛନ୍ତି କାଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ନୁହଁ। କାଶ୍ମୀରରେ ଶ୍ମଶାନ ପରି ନିରବତା ଛାଇ ରହିଛି। ସେଠାରେ ନରସଂହାର କରାଯାଉଛି।

- ପାକିସ୍ତାନ କହିଛି ଯେ ଜାମ୍ମୁ-କାଶ୍ମୀର ଲୋକଙ୍କ ମୌଳିକ ଅଧିକାରକୁ ଭାରତ ଛଡ଼ାଇ ନେଇଛି। ସେଠାକାର ଲୋକେ ମୌଳିକ ଅଧିକାର ଉଲ୍ଲଂଘନର ଶିକାର  ହେଉଛନ୍ତି। 

- କ୍ୟୁରେସୀ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ୭ ରୁ ୧୦ ଲକ୍ଷ ସେନା ଅଛନ୍ତି। ଗତ ଛଅ ସପ୍ତାହରେ ଭାରତ ଜାମ୍ମୁ-କାଶ୍ମୀରକୁ ଦୁନିଆର ସବୁଠୁ ବଡ଼ ଜେଲଖାନା କରି ଦେଇଛି। ସେଠାରେ ଜରୁରୀ ଜିନିଷ ମଧ୍ୟ ଉପଲବ୍ଧ କରାଯାଉ ନାହିଁ।

- ୟୁଏନଏଚଆରସିରେ ପାକିସ୍ତାନ କହିଛି ଯେ କାଶ୍ମୀରରେ ଛଅ ହଜାରରୁ ଅଧିକ ନେତା, ସାମାଜିକ କାର୍ଯ୍ୟକର୍ତ୍ତା, ଛାତ୍ରଙ୍କୁ ଗିରଫ କରାଯାଇଛି। ପଡୋଶୀ ଆତଙ୍କୀ ରାଷ୍ଟ୍ର ରୋହିଙ୍ଗ୍ୟା ଓ ଗୁଜରାତ ଦଙ୍ଗାକୁ ଉଲ୍ଲେଖ କରିବାକୁ ମଧ୍ୟ ପଛେଇ ନାହିଁ। 

- କ୍ୟୁରେସୀ କହିଛନ୍ତି ଯେ ଦକ୍ଷିଣ ଏସିଆରେ ପରମାଣୁ ଯୁଦ୍ଧର ଆଶଙ୍କାକୁ ଟାଳିବାକୁ ହେବ।

- ପାକିସ୍ତାନ ୟୁଏନଏଚଆରସିରେ ଦାବି କରିଛନ୍ତି ଯେ ସେ ଭାରତକୁ ଅପିଲ କରନ୍ତୁ ଯେ କାଶ୍ମୀରରେ ପେଲେଟ୍ ଗନ ବ୍ୟବହାରକୁ ସମାପ୍ତ କରାଯାଉ ଓ ସେଠାରୁ କର୍ଫ୍ୟୁ ହଟାଯାଉ। 

- ଖୋଦ୍ ନିଜ ଦେଶରେ ମାନବାଧିକାର ଉଲ୍ଲଂଘନ କରୁଥିବା ପାକିସ୍ତାନ କହିଛି ଯେ କାଶ୍ମୀରରେ ମାନବାଧିକାରର ଉଲ୍ଲଂଘନ କରୁଥିବା ଲୋକଙ୍କୁ ଦଣ୍ଡିତ କରାଯାଉ। 

-  କ୍ୟୁରେସୀ ଦାବି କରିଛନ୍ତି ଯେ ଅଫିସ ଅଫ ହାଇକମିଶନର ଜାମ୍ମୁ-କାଶ୍ମୀରର ସ୍ଥିତିର ସମୀକ୍ଷା କରନ୍ତୁ। 

- ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଦାବି କରିଛନ୍ତି ଯେ ମାନବାଧିକାର ସଂଗଠନ ଓ ଅନ୍ତରାଷ୍ଟ୍ରୀୟ ମିଡିଆକୁ କାଶ୍ମୀର ଯିବାକୁ ଦିଆଯାଉ।