Home > ଅନ୍ତରାଷ୍ଟ୍ରୀୟ
ପାକିସ୍ତାନକୁ ଘାରୁଛି ଭାରତର ହମଲାର ଭୟ, ଡକାଇଲା ଉଚ୍ଚସ୍ତରୀୟ ବୈଠକ
Khabar Odisha:international-odisha-pakistan-says-army-is-fully-prepared-to-face-any-challenges
ନୂଆଦିଲ୍ଲୀ,ଅଗଷ୍ଟ୧୭(ଖବର ଓଡ଼ିଶା):

ଭାରତ ଓ ପାକିସ୍ତାନ ସଂପର୍କ ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହାର କାରଣ ଭାରତ ଜାମ୍ମୁ-କାଶ୍ମରରୁ ଧାରା ୩୭୦ ଉଚ୍ଛେଦ କରିବା। ପାକିସ୍ତାନ ମୋଦୀ ସରକାରଙ୍କ ଏହି ନିଷ୍ପତ୍ତିରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛି। ପୂରା ଦୁନିଆରେ ଏହି ପ୍ରସଙ୍ଗରେ ଭାରତକୁ ଘେରିବା ଏହି ପଡ଼ୋଶୀ ଆତଙ୍କୀ ଦେଶର ଉଦ୍ୟମ ଜାରି ରହିଛି। ମାତ୍ର ପାକିସ୍ତାନର ସବୁ ପ୍ରୟାସ ବୃଥା ହୋଇଛି।

କାଶ୍ମୀର ଅବସ୍ଥାକୁ ନେଇ ଶନିବାର ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକ ବସିଛି। ଏହି ବୈଠକ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ ଓ ପାକ୍ ସେନାର ମୁଖପାତ୍ର ମେଜର ଜେନେରାଲ ଆସିଫ ଗଫୁର ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଫୁର କହିଛନ୍ତି ଯେ ଏମିତି ହୋଇପାରେ, କାଶ୍ମୀର ପ୍ରସଙ୍ଗରେ ଦୁନିଆର ଧ୍ୟାନ ହଟାଇବା ପାଇଁ ଭାରତ ପାକିସ୍ତାନ ଉପରେ ହମଲା କରିପାରେ। 

ଗଫୁର କହିଛନ୍ତି ପାକିସ୍ତାନ କୌଣସି ପ୍ରକାରର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ। ଏହା ବ୍ୟତୀତ ସେ କହିଛନ୍ତି ନିୟନ୍ତ୍ରଣ ରେଖାରେ ଅତିରିକ୍ତ ସୈନ୍ୟ ବଳ ମୁତୟନ କରାଯାଇଛି। ଅଚାନକ ଯୁଦ୍ଧର ଚେତାବନୀ ଦେଇ ସେ କହିଛନ୍ତି ଯେ କାଶ୍ମୀର ଉପରେ ପରମାଣୁ ଯୁଦ୍ଧର ବିପଦ ରହିଛି। 

ଅନ୍ୟପଟେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଛନ୍ତି କାଶ୍ମୀର ପ୍ରସଙ୍ଗକୁ ଅନ୍ତରାଷ୍ଟ୍ରୀୟସ୍ତରରେ ଆଣିବା ପାଇଁ ସମସ୍ତ ଦୂତାବାସରେ କାଶ୍ମୀରୀ ନାଗରିକଙ୍କୁ ନିଯୁକ୍ତ କରାଯିବ। ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ନେଇ ସେ କହିଛନ୍ତି ଯେ ଆମେ କାଶ୍ମୀର ପ୍ରସଙ୍ଗକୁ ବହୁତ ଉପର ପର୍ଯ୍ୟନ୍ତ ଉଠାଇଛୁ, ଯାହା ଆମ ପାଇଁ ଏକ ବଡ଼ ସଫଳତା।  ସେ କହିଛନ୍ତି ୟୁଏନଏସସିରେ ଏହି ମାମଲା ପାଞ୍ଚ ଦଶନ୍ଧି ପରେ ଉଠିବା ଏବଂ ଆଲୋଚନା  ହେବା ଏକ ଭଲ ପଦକ୍ଷେପ।