Home > ଅନ୍ତରାଷ୍ଟ୍ରୀୟ
ସେନାର କାର୍ଯ୍ୟାନୁଷ୍ଠାନରେ ବିଚଳିତ ପାକିସ୍ତାନ, ଭାରତୀୟ ଉଚ୍ଚାୟୋଗଙ୍କୁ ସମନ ଜାରି
Khabar Odisha:international-odisha-pakistan-summons-indian-envoy-after-army-strikes-terror-camps-in-pok
ନୂଆଦିଲ୍ଲୀ, ଅକ୍ଟୋବର୨୦(ଖବର ଓଡ଼ିଶା):

 ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ଭାରତର କଠୋର କାର୍ଯ୍ୟାନୁଷ୍ଠାନ ପରେ ବିଚଳିତ ପାକିସ୍ତାନ ପାକିସ୍ତାନରେ ଅବସ୍ଥାପିତ ଭାରତ ଉଚ୍ଚାୟୋଗ ଗୌରବ ଆଲୁଓ୍ଵାଲିଆଙ୍କୁ ସମନ ଜାରି କରିଛି। ପିଓକରେ ଭାରତୀୟ କାର୍ଯ୍ୟାନୁଷ୍ଠାନ ନେଇ ପାକ୍ ଏହି ସମନ ଜାରି କରିଛି। ଭାରତୀୟ ସେନା ତଙ୍ଗଧାର ସେକ୍ଟରରେ ତୋପୋରୁ ବୋମା ବର୍ଷଣ କରି  ୪ ଆତଙ୍କୀ ଲଞ୍ଚ ପ୍ୟାଡ ଧ୍ଵଂସ କରିଛି। ଏହି ସମୟରେ ହୋଇଥିବା ଗୁଳିବିନିମୟରେ ଦୁଇ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ପାକିସ୍ତାନର ୫ ସୈନିକ ପ୍ରାଣ ହରାଇଛନ୍ତି। 

ଭାରତୀୟ ସେନା ତଙ୍ଗଧାର ସେକ୍ଟରରେ ପାକ୍ ପକ୍ଷରୁ ହୋଇଥିବା ଅସ୍ତ୍ର ବିରତି ଉଲ୍ଲଂଘନର ଜବାବ ଦେଇ ପିଓକେରେ ଜବରଦସ୍ତ ହମଲା କରିଛି। ସୂଚନା ଅନୁଯାୟୀ ରବିବାର ସକାଳେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଉଦ୍ଦେଶ୍ୟରେ ଆଖିବୁଜା ଗୁଳି ବର୍ଷଣ କରିଥିଲା। ଯାହାର ଜବାବ ଦେଇଛନ୍ତି ଭାରତୀୟ ଯବାନ। ପାକିସ୍ତାନ ପକ୍ଷରୁ ହୋଇଥିବା ଅସ୍ତ୍ର ବିରତି ଉଲ୍ଲଂଘନରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହେବା ସହିତ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। 

ପାକିସ୍ତାନ ପକ୍ଷରୁ ହୋଇଥିବା ଦୁଃସାହାସର ଜବାବ ଦେଇ ଭାରତୀୟ ସେନା ପିଓକେରେ ସ୍ଥିତ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ୍ କରିବା ଆରମ୍ଭ କରିଛି। ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପିଓକେ ସ୍ଥିତ ନିଲମ ଘାଟିରେ ଚାରି ଆତଙ୍କୀ କ୍ୟାମ୍ପ ଧ୍ଵଂସ ହୋଇଛି। ସେନା ପିଓକେରେ ସଞ୍ଚାଳିତ ଆତଙ୍କୀ ଆଡ୍ଡା ଉପରକୁ ତୋପୋରୁ ବୋମା ବର୍ଷଣ କରିଛି। କୁହାଯାଉଛି ଯେ ଏହି କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବିପୁଳ କ୍ଷତି ଘଟିଛି। ଅନେକ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏଠାରେ ଲସ୍କର ଏ ତୋଇବା ଓ ଜୈଶ ଇ ମହମ୍ମଦର ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା।