Home > ଅନ୍ତରାଷ୍ଟ୍ରୀୟ
ନିଜକୁ ଏଫଏଟିଏଫର ଗ୍ରେ ଲିଷ୍ଟରୁ ବାହାର କରିବା ପାଇଁ ଆମେରିକାଠାରେ ଗୁହାରି କଲା ପାକିସ୍ତାନ
Khabar Odisha:international-odisha-pakistan-urges-us-to-get-it-out-of-fatf-grey-list
ନୂଆଦିଲ୍ଲୀ, ଜାନୁଆରୀ୨୦(ଖବର ଓଡ଼ିଶା):

 ଅନ୍ତରାଷ୍ଟ୍ରୀୟସ୍ତରରେ ଟେରର ଫଣ୍ଡିଂ ଓ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ଏବଂ ଏହା ଉପରେ ଅଙ୍କୁଶ  ଲଗାଉଥିବା ସଂସ୍ଥା ଫାଇନାନସିଆଲ ଟାକ୍ସ ଫୋର୍ସ(ଏଫଏଟିଏଫ)ର ପେଇଚିଙ୍ଗରେ  ହେବାକୁ ଥିବା ବୈଠକ ପୂର୍ବରୁ ପାକିସ୍ତାନର ଚିନ୍ତା ବଢ଼ି ଯାଇଛି। ଏବେ ସେ ଏଫଏଟିଏଫର ଗ୍ରେ ତାଲିକାରୁ ବାହାର କରିବାକୁ ଆମେରିକା ନିକଟରେ ଗୁହାରି କରିଛି। ଇସଲାମାବାଦ ଏଥିପାଇଁ ଏତେ ବ୍ୟଗ୍ର ହୋଇ ଉଠିଛି କାରଣ ଏପ୍ରିଲ ସୁଦ୍ଧା ଯଦି ସେ ଗ୍ରେ ତାଲିକାରୁ ବାଦ୍ ନପଡ଼େ ତେବେ କଳାତାଲିକାଭୁକ୍ତ ହୋଇପାରେ। ବେଜିଂରେ ହେବାକୁ ଥିବା ବୈଠକରେ ଆତଙ୍କୀ ଫଣ୍ଡିଂ ଉପରେ ପ୍ରଭାବଶାଳୀ ଅଙ୍କୁଶ ଲଗାଇବା ପାଇଁ ପାକିସ୍ତାନ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରାଯିବ। 

ଚଳିତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟିବାକୁ ଯାଉଛନ୍ତି। ଖାନ ସ୍ଵିଜରଲ୍ୟାଣ୍ଡର ଡାଭୋସରେ ବିଶ୍ଵ ଇକୋନୋମିକ ଫୋରମରେ ଜାନୁଆରୀ ୨୧ରୁ ୨୩ ମଧ୍ୟରେ ହେବାକୁ ଥିବା ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀ ପୂର୍ବରୁ ଇମ୍ରାନ ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ। ଖାସ୍ କଥା ଏହା ଯେ, ବେଜିଂରେ ଏଫଏଟିଏଫର କାର୍ଯ୍ୟକାରୀ ବୈଠକ ମଧ୍ୟ ଜାନୁଆରୀ ୨୧ରୁ ୨୩ ପର୍ଯ୍ୟନ୍ତ ଚାଲିବ।

ଏଫଏଟିଏଫ କାର୍ଯ୍ୟକାରୀ ଗ୍ରୁପ ସହିତ ୩ ଦିନ ପର୍ଯ୍ୟନ୍ତ ସାମ୍ନାସାମ୍ନି ଆଲୋଚନା ପାଇଁ ପାକିସ୍ତାନର ଏକ ପ୍ରତିନିଧିଦଳ ରବିବାର ବେଜିଂ ପହଞ୍ଚି ସାରିଛନ୍ତି। ଏଫଏଟିଏଫ କାର୍ଯ୍ୟକାରୀ ଦଳ ସହିତ ପାକିସ୍ତାନୀ ପ୍ରତିନିଧିଙ୍କ ମୁହାଁମୁହିଁ ଆଲୋଚନା ମଙ୍ଗଳବାର ଆରମ୍ଭ ହେବ। ଏହି ସମୟରେ ଏହାର ସମୀକ୍ଷା ହେବ ଯେ ପାକିସ୍ତାନ ପ୍ୟାରିସରେ ଏଫଏଟିଏଫର ବୈଠକ ବେଳେ ସ୍ଥିର ହୋଇଥିବା ମାନଦଣ୍ଡର ପାଳନ କରିଛି ନା ନାହିଁ। 

ଗତ ବର୍ଷ ଅକ୍ଟୋବରରେ ଏଫଏଟିଏଫ ଲସ୍କର ଏ ତୋଇବା, ଜୈସ ଇ ମହମ୍ମଦ ଓ ଅନ୍ୟ ଆତଙ୍କୀ ସଂଗଠନ ପାଇଁ ଟେରର ଫଣ୍ଡିଂ ଉପରେ ଲଗାମ ଲଗାଇବାରେ ବିଫଳ ହେବା କାରଣରୁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯଦି ଏହି ବର୍ଷ ଏପ୍ରିଲ ସୁଦ୍ଧା ପାକିସ୍ତାନ ଏହି ତାଲିକାରୁ ନବାହାରେ ତେବେ ତାକୁ କଳାତାଲିକାଭୁକ୍ତ କରାଯାଇପାରେ। ଏହା ଉପରେ ଇରାନ ପରି କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଯାଇପାରେ।