Home > ଅନ୍ତରାଷ୍ଟ୍ରୀୟ
ନଓ୍ଵାଜଙ୍କ ପାଇଁ କେବଳ ରହିଛି ୨୪ ଘଣ୍ଟାର ସମୟ ! ଡାକ୍ତର କହିଲେ ଶୀଘ୍ର ବିଦେଶ ପଠାଅ, ସରକାର କହିଲେ ପ୍ରଥମେ ୭ ଅରବ ଟଙ୍କା ଜମା କର
Khabar Odisha:international-odisha-pay-rs7-billion-nawaz-sharif-if-you-want-to-travel-for-treatment-abroad-pakistan-government
ଇସଲାମାବାଦ, ନଭେମ୍ବର୧୪(ଖବର ଓଡ଼ିଶା):

 ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା ସରିଫଙ୍କ ସ୍ଵାସ୍ଥ୍ୟ ଜଟିଳ ହୋଇ ପଡ଼ିଛି ଏବଂ ଚିକିତ୍ସା ଲାଗି ତାଙ୍କୁ ୨୪ ଘଣ୍ଟା ଭିତରେ ବିଦେଶ ନେବାକୁ ପଡ଼ିବ। ଯଦି ଏଥିରେ ବିଳମ୍ବ ଘଟେ ତେବେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୀବନ ବିପଦରେ ପଡ଼ି ଯାଇପାରେ। ଅନ୍ୟପଟେ ତାଙ୍କର ନାମକୁ ବିଦେଶ ଯିବାରେ ପ୍ରତିବନ୍ଧିତ ତାଲିକା(ଇସିଏଲ)ରୁ ହଟାଇବା ନେଇ ପାକିସ୍ତାନରେ ରାଜନୀତି ଜୋର ଧରିଛି।

ସରକାର ନଓ୍ଵାଜ ସରିଫଙ୍କୁ ଚାରି ସପ୍ତାହ ଲାଗି ସର୍ତ୍ତରେ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ଏହାକୁ ବିରୋଧ କରି ନଓ୍ଵାଜ ସରିଫଙ୍କ ପାର୍ଟି ମୁସଲିମ ଲିଗ୍ ନଓ୍ଵାଜ ଗୁରୁବାର ସନ୍ଧ୍ୟାରେ ଲାହୋର ହାଇକୋର୍ଟର ଶରଣ ନେଇଛନ୍ତି। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଶୁକ୍ରବାର ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଛନ୍ତି।

ଲାହୋର  ହାଇକୋର୍ଟ ମୁସଲିମ ଲିଗ୍–ନଓ୍ଵାଜ ଦ୍ଵାରା ନଓ୍ଵାଜ ସରିଫଙ୍କ ନାମ ବିନା ସର୍ତ୍ତରେ ଇସିଏଲରୁ ବାହାର କରିବା ଯାଚିକା ଉପରେ ଶୁଣାଣି କରିଛନ୍ତି। ଅନ୍ୟପଟେ ଅଦାଲତ ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ନଓ୍ଵାଜ ସରିଫଙ୍କୁ ସ୍ଵାସ୍ଥ୍ୟଗତ ଆଧାରରେ ଜାମିନ ଦେଇଛନ୍ତି।

ପାକିସ୍ତାନ ସରକାର କହିଛି ଯେ, ନଓ୍ଵାଜ ପ୍ରାୟ ସାତ ଅରବ ଟଙ୍କା ବଣ୍ଡ ରୂପେ ଜମା କରି ବିଦେଶ ଯାଇ ପାରନ୍ତି। ମୁସଲିମ ଲିଗ ନଓ୍ଵାଜ ଏହାର ବିରୋଧ କରି କହିଛି ଯେ, ଅବୈଧ ଭାବେ ଏହି ଅର୍ଥ ଆଦାୟ କରାଯାଉଛି। ନଓ୍ଵାଜ ଏହି ସର୍ତ୍ତକୁ ଗ୍ରହଣ କରିବେ ନାହିଁ। ତାଙ୍କୁ ଚିକିତ୍ସା ଲାଗି ବିଦେଶ ଯିବାକୁ ବିନା ସର୍ତ୍ତରେ ଅନୁମତି ଦିଆଯାଉ।