Home > ଅନ୍ତରାଷ୍ଟ୍ରୀୟ
UNSCରେ କାଶ୍ମୀରକୁ ନେଇ ବୈଠକ ଆରମ୍ଭ, ଭାରତ ପକ୍ଷରେ ଆସିଲା ରୁଷ
Khabar Odisha:international-odisha-russia-china-unsc-imran-khan-donald-trump-pakistan-article-370-jammu-kashmir
ନ୍ୟୁୟର୍କ,ଅଗଷ୍ଟ୧୬(ଖବର ଓଡ଼ିଶା):

 ଚୀନର ଦାବି ପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ କାଶ୍ମୀର ପ୍ରସଙ୍ଗକୁ ନେଇ ବୈଠକ ଆରମ୍ଭ ହୋଇଛି। ୟୁଏନଏସସିରେ କାଶ୍ମୀରକୁ ନେଇ ରୁଷ ଭାରତ ପକ୍ଷରେ ଆସିଛି। ରୁଷ କାଶ୍ମୀରକୁ ନେଇ କେବଳ ଦ୍ଵିପାକ୍ଷିକ ଆଲୋଚନାକୁ ସମର୍ଥନ କରିଛି। 

ଜାମ୍ମୁ-କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସାମ୍ବିଧାନିକ ଧାରା ୩୭୦ ଉଚ୍ଛେଦ ଏବଂ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରିବା ଭାରତର ବଡ଼ ପଦକ୍ଷେପ ପରେ ବିଚଳିତ ହୋଇ ପଡିଛି ପାକିସ୍ତାନ। ଜାମ୍ମୁ-କାଶ୍ମୀରକୁ ଅନ୍ତରାଷ୍ଟ୍ରୀୟକରଣ କରିବାକୁ ଅପଚେଷ୍ଟା ଚଳାଇଛି ଏହି ଆତଙ୍କୀ ରାଷ୍ଟ୍ର। ବିଶ୍ଵର ବଡ଼ ବଡ଼ ଦେଶ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଦର୍ଶାଇ ପାକିସ୍ତାନର କଥାକୁ ଅଣଦେଖା କରିଛନ୍ତି। କିନ୍ତୁ ଶେଷରେ ପାକିସ୍ତାନକୁ ନିଜର ଚିରସହଚର ବନ୍ଧୁ ଚୀନର ସମର୍ଥନ  ମିଳିଛି। ପାକିସ୍ତାନ ଏହି ପ୍ରସଙ୍ଗକୁ ନେଇ ବୈଠକ କରିବାକୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ଚିଠି ଲେଖି ଦାବି କରିଥିଲା। ଯାହାକୁ ସମର୍ଥନ କରି ଚୀନ ମଧ୍ୟ ସୁରକ୍ଷା ପରିଷଦରେ ଏହି ଦାବି କରିଛି। ଫଳରେ ଆଜି ସୁରକ୍ଷା ପରିଷଦର ରୁଦ୍ଧ ଦ୍ଵାର ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ଜାରି ରହିଛି। କିନ୍ତୁ ଏହି ବୈଠକରେ ଅଭିଯୋଗକାରୀ ପାକିସ୍ତାନକୁ ପ୍ରବେଶ  ମିଳି ନାହିଁ। 

ରୁଦ୍ଧ ଦ୍ଵାରା ବୈଠକ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ବହୁତ କମ ହିଁ ହୋଇଥାଏ। ଏହି ବୈଠକ ଯେବେ ବି ହୋଇଥାଏ, ଏହାକୁ ଅସାଧାରଣ ମାନା ଯାଇଥାଏ। ଗତ ଥର ଏମିତି ବୈଠକ ୨୦୧୫ରେ ୟମନରେ ଅପ୍ରତ୍ୟାଶିତ ହିଂସାକୁ ନେଇ ଦୁଇ ଥର ବସିଥିଲା। ଏହା ପରେ ଏବେ କାଶ୍ମୀର ପ୍ରସଙ୍ଗରେ ଏହି ପରି ବୈଠକ ହେବାକୁ ଯାଉଛି। 

କେଉଁ କେଉଁ ଦେଶ କାହା ପକ୍ଷରେ ରହିବେ 

ଏବେ ଦେଖିବା ବାକି ରହିଲା ଯେ ଏହି ବୈଠକରେ କେଉଁ ଦେଶ ଭାରତ ସପକ୍ଷରେ ରହୁଛନ୍ତି ଏବଂ କିଏ ପାକିସ୍ତାନ ପକ୍ଷରେ। ଯେଉଁ ପାଞ୍ଚ ସଦସ୍ୟ ଦେଶ ପାଖରେ ଭିଟୋ କ୍ଷମତା ରହିଛି ସେଥିରେ ଚୀନ, ଆମେରିକା, ଫ୍ରାନ୍ସ, ବ୍ରିଟେନ ଓ ରୁଷ ସାମିଲ। ଏଥିରେ ଚୀନ ଖୋଲାଖୋଲି ପାକିସ୍ତାନ ପକ୍ଷରେ ରହିଥିବା ବେଳେ ଆମେରିକାକୁ ଭାରତକୁ ସମର୍ଥନ ଦେବା ଉଚିତ୍। ରୁଷ ଓ ବ୍ରିଟେନର ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରେ ରହି ନାହିଁ। ଫ୍ରାନ୍ସ ଏହି ମାମଲାରେ ନିରବ ରହିଛି। 

ଅନ୍ୟ ପଟେ  ୧୦ ଅସ୍ଥାୟୀ ଦେଶରେ ବେଲଜିୟମ, କୋଟ ଡି ଆଇଭରି, ଡୋମେନିକ ଗଣରାଜ୍ୟ, ଗିନିଆ, ଜର୍ମାନୀ, ଇଣ୍ଡୋନେସିଆ, କୁଏତ, ପେରୁ, ପୋଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସାମିଲ। କୁହାଯାଉଛି ଯେ କୁଏତ ଓ ଇଣ୍ଡୋନେସିଆ ପାକିସ୍ତାନ ପକ୍ଷରେ ଅଛନ୍ତି। ମାତ୍ର ବଳକା ଦେଶ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। କିନ୍ତୁ ପାକିସ୍ତାନ ଏହି ସବୁ ଦେଶକୁ ଅନୁରୋଧ କରି ସାରିଛି।