Home > ଅନ୍ତରାଷ୍ଟ୍ରୀୟ
ଚୀନକୁ ଲାଗିଲା ଶକ୍ତ ଝଟକା, ସଂପୂର୍ଣ୍ଣ ଭାବେ ଉତ୍ପାଦନ ବନ୍ଦ କଲା ସାମସଙ୍ଗ
Khabar Odisha:international-odisha-samsung-shut-down-smartphone-manufacturing-in-china
ସିଓଲ,ଅକ୍ଟୋବର୦୪(ଖବର ଓଡ଼ିଶା):

ଆମେରିକା ସହିତ ବାଣିଜ୍ୟ ଲଢେଇ କାରଣରୁ ଆର୍ଥିକ କ୍ଷେତ୍ରରେ ପୂର୍ବରୁ ଘାଣ୍ଟି  ହେଉଥିବା ଚୀନକୁ କୋରିଆର ସବୁଠୁ ବଡ଼ ଇଲେକ୍ଟ୍ରୋନିକ କମ୍ପାନୀ ସାମସଙ୍ଗ ଜୋରଦାର ଝଟକା ଦେଇଛି। ସାମସଙ୍ଗ  ଚୀନରେ ସ୍ମାର୍ଟଫୋନର ଉତ୍ପାଦନ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦେଇଛି। ସ୍ଥାନୀୟ ମିଡ଼ିଆ ଅନୁସାରେ କମ୍ପାନୀ ଚୀନରେ ବଢୁଥିବା ପାରିଶ୍ରମିକ ମୂଲ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ  ଉଠାଇଛି। ଭାରତରେ ନିଜର କାରଖାନା ବିସ୍ତାର କରୁଥିବା ସାମସଙ୍ଗ ଶୁକ୍ରବାର  ଇମେଲ ଜରିଆରେ ଚୀନ ସ୍ଥିତ ନିଜର ଅନ୍ୟ କାରଖାନାରେ ସ୍ମାର୍ଟଫୋନର ବିନିର୍ମାଣ ବନ୍ଦ କରୁଥିବା କହିଛି। 

ଏହା ପୂର୍ବରୁ କମ୍ପାନୀ ଗତ ବର୍ଷ ଚୀନର ତିଆନଜିନ ସ୍ଥିତ ଆଉ ଏକ କମ୍ପାନୀ ବନ୍ଦ କରିଥିଲା। କମ୍ପାନୀ କହିଛି ଯେ ନିଜ କାରଖାନାର ଦକ୍ଷତା ବଢାଇବା ପାଇଁ ଏହି ପଦକ୍ଷେପ ଉଠାଇଛି। ଦକ୍ଷିଣ କୋରିଆ ମିଡ଼ିଆର ସୂଚନା ମୁତାବକ ସାମସଙ୍ଗ ଚୀନରେ ମୋବାଇଲ ଫୋନ ବିନିର୍ମାଣ କାର୍ଯ୍ୟ ବନ୍ଦ କରି ଦେଇଛି। ଏହାର କାରଣ ପାରିଶ୍ରମିକ ଖର୍ଚ୍ଚ ବଢିବା କୁହାଯାଉଛି।

ବାଣିଜ୍ୟ ଲଢେଇ କାରଣରୁ ଆର୍ଥିକ କ୍ଷତି ସହୁଥିବା ଚୀନରେ ସ୍ଥାପିତ ଅନେକ ବିଶ୍ଵସ୍ତରୀୟ କମ୍ପାନୀ ନିଜର ଉତ୍ପାଦନ ପାଇଁ ବିକଳ୍ପ  ଖୋଜୁଛନ୍ତି। ଅନ୍ୟପଟେ ଭାରତ କମ୍ପାନୀ ଟିକସ୍ ହ୍ରାସ କରି ଭାରତରେ କାରଖାନା ସ୍ଥାପନ କରିବାକୁ ବିଦେଶୀ କମ୍ପାନୀକୁ ପ୍ରୋତ୍ସାହିତ କରୁଛି। ଏହା ବ୍ୟତୀତ କମ୍ପାନୀଗୁଡିକୁ ଆକର୍ଷିତ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫେକଚରିଂରେ ସରକାର କିଛି ବଡ଼ ଧରଣର ପ୍ରୋତ୍ସାହନ ଦେଇ ପାରନ୍ତି। ଏଥିରେ ଶସ୍ତାରେ ଋଣ, ପ୍ଲାଣ୍ଟ ଓ ଯନ୍ତ୍ରାଂଶ ଉପକରଣ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଓ ଇଲେକ୍ଟ୍ରୋନିକ୍ସ ମ୍ୟାନୁଫେକଚରିଂ କ୍ଲଷ୍ଟର ୨.୦ ସ୍କିମ ସାମିଲ।