Home > ଅନ୍ତରାଷ୍ଟ୍ରୀୟ
ସାଉଦି କାରଖାନାରେ ଡ୍ରୋନ ହମଲା: ୟୁଏସ-ଇରାନରେ ବଢିଲା ଉତ୍ତେଜନା, ତୈଳ ଦରରେ ଲାଗିବ ନିଆଁ
Khabar Odisha:international-odisha-saudi-aramco-drone-attack-tension-rises-between-inran-and-america-oil-prices-on-hike
ରିଆଦ,ସେପ୍ଟେମ୍ବର୧୬(ଖବର ଓଡ଼ିଶା):

 ସାଉଦି ଆରବର ସର୍ବବୃହତ ଆରାମ କୋ ତୈଳ କାରଖାନା ଉପରେ ଡ୍ରୋନ ହମଲା ପରେ ପୂରା ଦୁନିଆରେ ତୈଳ ଦର ଉପରେ ପ୍ରଭାବ ପଡ଼ିଛି। ଏହା ସହିତ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବଢିଛି। କିଛି ଦିନ ପୂର୍ବେ ଫ୍ରାନ୍ସ ଜି-୭ ସମ୍ମିଳନୀ ସମୟରେ ଇରାନ ଓ ଆମେରିକା ମଧ୍ୟରେ ଆଲୋଚନା କରାଇବାକୁ ଚେଷ୍ଟା କରିଥିଲା ମାତ୍ର ଏହା ସମ୍ଭବ ହୋଇ ପାରିନଥିଲା। ସାଉଦି ଆରବର ସୈନ୍ୟ ସଂଗଠନ ମଧ୍ୟ କହିଛନ୍ତି ଯେ ହମଲାରେ ବ୍ୟବହୃତ ଅସ୍ତ୍ର ଶସ୍ତ୍ର ସାଉଦିର ଚିରପ୍ରତିଦ୍ଵନ୍ଦୀ ଇରାନରୁ ଆସିଛି। ଏବେ ଏହାର ତଦନ୍ତ ଚାଲିଛି ଯେ କେଉଁ ସ୍ଥାନରୁ ଅସ୍ତ୍ର ଶସ୍ତ୍ରକୁ ନିକ୍ଷେପ କରାଯାଇଥିଲା। ଏହି ହମଲା ପରେ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ତୈଳ ଦର ବୃଦ୍ଧି ଘଟିଛି, ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ତୈଳ ଦର ୫ ରୁ ୬ ଟଙ୍କା ବଢିବାର ସମ୍ଭାବନା ମଧ୍ୟ ରହିଛି। 

ସାଉଦି ଆରବର ଆରାମ କୋ ତୈଳ କାରଖାନା ଉପରେ ହୋଇଥିବା ହମଲା ପାଇଁ ୟମନର ହୁତି ବିଦ୍ରୋହୀ ନିଜକୁ ଦାୟୀ କରିଛନ୍ତି। ଏହି ବିଦ୍ରୋହୀ ଇରାନ ସମର୍ଥିତ। ଆମେରିକା ଓ ଇରାନ ମଧ୍ୟରେ ଜାରି ଉତ୍ତେଜନାରେ ଏହି ଘଟଣା ଏବେ ନିଆଁରେ ଘିଅ ଢାଳିବା କାମ କରିଛି। ଟ୍ରମ୍ପ ଟ୍ଵିଟ୍ କରି କହିଛନ୍ତି ଯେ ସାଉଦି ଆରବର ତୈଳ କାରଖାନା ଉପରେ ହମଲା ହୋଇଛି। ଆମ ପାଖରେ ମାନିବାକୁ ସେହି ତଥ୍ୟ ରହିଛି ଯେ ଆମେ ଅପରାଧୀକୁ ଜାଣିଛୁ। ଯଦି ଥରେ ଏହା ସୂଚିତ ହୋଇଯାଏ ତେବେ ଆମେ ଜବାବ ଦେବାକୁ ପ୍ରସ୍ତୁତ। ମାତ୍ର  ସାଉଦି ଆରବଠୁ ଆମେ ଜାଣିବାକୁ ଚାହୁଁଛୁ ଯେ ଏହି ହମଲା ପଛର କାରଣ କଣ। ମାଇକ ପାମ୍ପିଓ ମଧ୍ୟ କହିଥିଲେ ଯେ ଏହି ହମଲା ୟମନ କରିଥିବାର ଏମିତି କୌଣସି ପ୍ରମାଣ ମିଳିନାହିଁ।  ସେ ମଧ୍ୟ ଏଥିପାଇଁ ଇରାନକୁ ଦାୟୀ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଇରାକର ପ୍ରଧାନମନ୍ତ୍ରୀ ଶନିବାର ଆମେରିକାର  ବୈଦେଶିକ ମନ୍ତ୍ରୀ ପାମ୍ପିଓଙ୍କୁ ଫୋନ କରି କହିଛି ଯେ ଏହି ହମଲାରେ ତାଙ୍କ ଦେଶ ସଂପୃକ୍ତ ନାହିଁ। ଏହା ମଧ୍ୟରେ ହୁତି ବିଦ୍ରୋହୀ ମଙ୍ଗଳବାର ଦିନ ସାଉଦି ଆରବ ଉପରେ ଆହୁରି ହମଲା କରିବାକୁ ଧମକ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଇରାକରେ ଇରାନ ସମର୍ଥିତ ଅନେକ ମିଲିସିଆ ରହିଛନ୍ତି। ଅନ୍ୟପଟେ ବାଗଦାଦ ନିକଟ ସମୟରେ ସାଉଦି ଆରବ ସହିତ ନିଜର ସଂପର୍କକୁ ସୁଧାରିବା ପାଇଁ ଅନେକ ପଦକ୍ଷେପ ନେଇଛି। ଏହା ସହିତ ସାଉଦି ଆମେରିକାର ଏକ ମହତ୍ଵପୂର୍ଣ୍ଣ ସହଯୋଗୀ ଦେଶ। 

୫ରୁ ୬ ଟଙ୍କା ବଢିପାରେ ତୈଳ ଦର

ସାଉଦି ତୈଳ କାରଖାନାରେ ହମଲା ପରେ ବିଶେଷଜ୍ଞଙ୍କ କହିବା କଥା ଆଗାମୀ ୧୫ ଦିନରେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ। ଦେଶରେ ପେଟ୍ରୋଲ- ଡିଜେଲ ଦର ୫ ରୁ ୬ ଟଙ୍କା ବଢିପାରେ। କୋଟକର ହାଲିଆ ରିପୋର୍ଟ ଅନୁସାରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ହେବା କାରଣରୁ ଭାରତର ତୈଳ ବିପଣନକାରୀ କମ୍ପାନୀ ଆଗାମୀ ସମୟରେ ଡିଜେଲ ଓ ଗ୍ୟାସୋଲିନ ଦରରେ ପାଞ୍ଚରୁ ଛଅ ଟଙ୍କା  ପ୍ରତି ଲିଟର ବୃଦ୍ଧି କରି ପାରନ୍ତି। ସାଉଦି ଆରବର  ସର୍ବବୃହତ ତୈଳ କାରଖାନା ଉପରେ ହମଲା ପରେ ସୋମବାର ଅଶୋଧିତ ତୈଳ ଦର ବ୍ୟାରେଲ ପ୍ରତି ୨୦ ପ୍ରତିଶତ ବୃଦ୍ଧି ଘଟି ୭୧ ଡଲାରରେ ପହଞ୍ଚିଛି।