Home > ଅନ୍ତରାଷ୍ଟ୍ରୀୟ
UNSCରେ କାଶ୍ମୀର ପ୍ରସଙ୍ଗରେ ଚୀନ-ପାକିସ୍ତାନକୁ ଝଟକା, ଭାରତକୁ ସମର୍ଥନ ଦେଇ ରୁଷ ନିଭାଇଲା ବନ୍ଧୁତ୍ଵର ଦାୟିତ୍ଵ
Khabar Odisha:international-odisha-unsc-meeting-on-kashmir-ends-indo-pak-asked-to-maintain-peace
ନୂଆଦିଲ୍ଲୀ, ଅଗଷ୍ଟ୧୬(ଖବର ଓଡ଼ିଶା):

ମିଳିତ  ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ କାଶ୍ମୀର ପ୍ରସଙ୍ଗକୁ ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ଏଥିରେ ମଧ୍ୟ ପାକିସ୍ତାନକୁ ଝଟକା ଲାଗିଛି। ୟୁଏନଏସସିର କାଶ୍ମୀର ପ୍ରସଙ୍ଗକୁ ନେଇ ରୁଷ ଭାରତ ପକ୍ଷରେ ନଜର ଆସିଥିବା ବେଳେ ଚୀନ ପାକିସ୍ତାନ ସ୍ଵରରେ ସ୍ଵର ମିଳାଇଛି। ୭୧ ମିନିଟ୍ ଧରି ଚାଲିଥିବା ଏହି ବୈଠକରେ ରୁଷ କାଶ୍ମୀରକୁ ନେଇ କେବଳ ଦ୍ଵିପାକ୍ଷିକ ଆଲୋଚନାକୁ ସମର୍ଥନ କରିଛି। ୟୁଏନଏସସିର ଏହି ବୈଠକରେ ଚୀନ ବ୍ୟତୀତ ଅନ୍ୟ କୌଣସି ଦେଶ ପାକିସ୍ତାନକୁ ସମର୍ଥନ କରି ନାହାନ୍ତି।

ବୈଠକ ଶେଷ ପରେ ଚୀନ ରାଷ୍ଟ୍ରଦୂତ କହିଛନ୍ତି ଯେ, ଭାରତ ସମ୍ବିଧାନରେ ଯେଉଁ ସଂଶୋଧନ କରିଛି ସେଥିରେ ବର୍ତ୍ତମାନର ପରିସ୍ଥିତିରେ ପରିବର୍ତ୍ତନ ଆସିଛି। କାଶ୍ମୀରରେ ଅବସ୍ଥା ଚିନ୍ତାଜନକ ରହିଛି। ଚୀନ କହିଛି ଯେ  କାଶ୍ମୀରର ଅବସ୍ଥା ଚିନ୍ତାଜନକ ରହିଛି। କୌଣସି ପକ୍ଷ ଏକତରଫା କାର୍ଯ୍ୟାନୁଷ୍ଠାନ କରନ୍ତୁ ନାହିଁ। 

ପାକିସ୍ତାନକୁ ଜବାବ ଦେଲେ ଅକବରୁଦ୍ଦୀନ

ଅନ୍ୟପକ୍ଷେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୈୟଦ ଅକବରୁଦ୍ଦୀନ କହିଛନ୍ତି ଯେ, ଅନୁଚ୍ଛେଦ ୩୭୦ ଭାରତର ଆଭ୍ୟନ୍ତରୀଣ ବ୍ୟାପାର। ଏଥିରେ ବାହ୍ୟ ଲୋକଙ୍କ କୌଣସି ଆବଶ୍ୟକତା ନାହିଁ। ଜାମ୍ମୁ-କାଶ୍ମୀରର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଭାରତ ଏହି ନିଷ୍ପତି ନେଇଛି। 

ସେ କହିଛନ୍ତି ଯେ ସରକାର ଧିରେ ଧିରେ ପ୍ରତିବନ୍ଧକ ହଟାଉଛନ୍ତି। ପାକିସ୍ତାନର ନାମ ନନେଇ ଅକବରୁଦ୍ଦୀନ କହିଛନ୍ତି ଯେ, ଗୋଟିଏ ଦେଶ  ଜିହାଦ ଓ ହିଂସାର ଭୟ ଦେଖାଉଛି। ଆମେ ଆମ ନୀତିରେ ପୂର୍ବବତ ସର୍ବଦା କାଏମ ରହିଛୁ। ହିଂସା କୌଣସି ସମସ୍ୟାର ସମାଧାନ ନୁହଁ। ଭାରତ ସହିତ ଆଲୋଚନା ପୂର୍ବରୁ ପାକିସ୍ତାନକୁ ଆତଙ୍କବାଦ ରୋକିବାକୁ ପଡ଼ିବ। 

ଉଲ୍ଲେଖଯୋଗ୍ୟ, ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରଠୁ ପାକିସ୍ତାନ ବ୍ୟସ୍ତ ବିବ୍ରତ ହୋଇ ଉଠିଛି। ଜାମ୍ମୁ-କାଶ୍ମୀରକୁ ଅନ୍ତରାଷ୍ଟ୍ରୀୟକରଣ କରିବାକୁ ଅପଚେଷ୍ଟା ଚଳାଇଛି ଏହି ଆତଙ୍କୀ ରାଷ୍ଟ୍ର। ବିଶ୍ଵର ବଡ଼ ବଡ଼ ଦେଶ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଦର୍ଶାଇ ପାକିସ୍ତାନର କଥାକୁ ଅଣଦେଖା କରିଛନ୍ତି। ଅନ୍ତରାଷ୍ଟ୍ରୀୟ ମୋର୍ଚ୍ଚାରେ ପାକିସ୍ତାନ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଛି, ମାତ୍ର କୌଣସି ଦେଶ ଏଥିପ୍ରତି ଧ୍ୟାନ ଦେଇ ନାହାନ୍ତି। ଆଜି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ବୈଠକରେ ଚୀନକୁ ଛାଡ଼ି ବାକି ସବୁ ସଦସ୍ୟ ଦେଶ ପାକିସ୍ତାନକୁ ସମର୍ଥନ କରି ନାହାନ୍ତି। କେବଳ ଚୀନ ହିଁ ପାକିସ୍ତାନକୁ ସମର୍ଥନ କରିଥିବା ବେଳେ ରୁଷ ଭାରତ ସପକ୍ଷରେ ଆସିଛି।