Home > ସଂମ୍ପୂର୍ଣ୍ଣ ଖବର
ଦିଗ ବଦଳାଇଲା ‘ବାୟୁ’, ଓମାନ୍‌ ଓ ପାକ୍‌ ମୁହାଁ ବାତ୍ୟା
Khabar Odisha:Cyclonic-Storm-Vayu-may-not-hit-at--Porbandar
ନୂଆଦିଲ୍ଲୀ, ଜୁନ ୧୩ (ଖବର ଓଡ଼ିଶା):

ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବାୟୁ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଦିଗ ପରିବର୍ତ୍ତନ କରିଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରୁଥିବା ବାତ୍ୟା ବାୟୁ ପୁଣି ଥରେ ସମୁଦ୍ର ଆଡ଼କୁ ମୁହାଁଇଛି । ବେରାବଲ ଠାରୁ ୧୫୦ କିଲୋମିଟର ଦୂରରେ ଦିଗ ପରିବର୍ତ୍ତନ କରିଛି ଏବଂ ଏହା ସୌରାଷ୍ଟ୍ର ଉପକୂଳ ଦେଇ ପାକିସ୍ତାନ ଓ ଓମାନ ଦିଗକୁ ଯିବାର ସମ୍ଭାବନା ରହିଛି । ମାତ୍ର ଏହାର ପ୍ରଭାବରେ ଗୁଜୁରାଟରେ ଅତି ପ୍ରବଳ ବର୍ଷା ସହିତ ବହୁତ ଜୋର୍‌ରେ ପବନ ବହିବ ବୋଲି  ଭାରତୀୟ ପାଣିପାଗ ବିଭାଗ କହିଛି ।   

ଗୁଜୁରାଟ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି ବାୟୁ । ଘଣ୍ଟା ପ୍ରତି ୧୩୫ ରୁ ୧୪୫ କିଲୋମିଟର୍‌ ବେଗରେ ଗୁଜୁରାଟ ଆଡ଼କୁ ବଢ଼ୁଥିବା ଘୂର୍ଣ୍ଣି ବାତ୍ୟା ବାୟୁ ବେରାବଲ ନିକଟରେ ଦିଗ ପରିବର୍ତ୍ତନ କରିଛି । ଏହା ଗୁଜୁରାଟ ସ୍ଥଳ ଭାଗ ଛୁଇଁବ ନାହିଁ । ‘ବାୟୁ’ର କେନ୍ଦସ୍ଥଳ ଏବେ ଗୁଜରାଟର ଦକ୍ଷିଣ ପଶ୍ଚିମ ସ୍ଥିତ ବେରବେଲାରୁ ୧୩୦ କିଲୋମିଟର ଏବଂ ପୋରବନ୍ଦରରୁ ୧୮୦ କିଲୋମିଟର ଦୂରରେ ରହିଛି । ଅପରାହ୍ନରେ ସୌରାଷ୍ଟ୍ର ଉପକୂଳ ଦେଇ ଏହା ପୁଣି ଥରେ ସମୁଦ୍ରକୁ ଫେରିବ ଏବଂ ପାକିସ୍ତାନ ଓ ଓମାନକୁ ମୁହାଁଇବ  । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୩୫ ରୁ ୧୪୫ କିଲୋମିଟର ରହିପାରେ । 

ପୂର୍ବରୁ ‘ବାୟୁ’ ଗୁଜୁରାଟ ଉପକୂଳ ପୋରବନ୍ଦର ଓ କଚ୍ଛ ମଧ୍ୟରେ ସ୍ଥଳ ଭାଗକୁ ଛୁଇଁବ ବୋଲି ଆକଳନ କରାଯାଇଥିଲା । କିନ୍ତୁ ଏହା ରାତିରେ ନିଜର ଦିଗ ପରିବର୍ତ୍ତନ କରି ଦେଇଛି । ରାଜ୍ୟ ସରକାର ହାଇହାଲର୍ଟ ଜାରି କରିଛନ୍ତି । ସମ୍ଭାବିତ ବାତ୍ୟା ଅଂଚଳରେ ସରକାର ୫୨ଟି ଏନଡିଆରଏଫ ଟିମ ମୁତୟନ କରିଛନ୍ତି । ବାୟୁ ମୁକାବିଲା ଲାଗି ୯ ଏସ୍‌ଡିଆର୍‌ଏଫ୍‌, ୧୪ ଏସ୍‌ଆର୍‌ପି କମ୍ପାନି ଓ ୩୦୦ ମେରାଇନ କମାଣ୍ଡୋ ମୁତୟନ ଅଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଛି ୯ଟି ହେଲିକପ୍ଟର । ପ୍ରାୟ ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ବାତ୍ୟା ଆସିବା ପୂର୍ବରୁ ୮୨ଟି ଟ୍ରେନ ବାତିଲ କରି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାତ୍ୟା ଉପରେ ନଜର ରଖିବାକୁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ୧୩ ଓ ୧୪ ତାରିଖରେ ସ୍କୁଲ-କଲେଜ ବନ୍ଦ ରଖିବା ପାଇଁ ଆଦେଶ ଦେଇଛନ୍ତି ।  

  • Tags: